ଜାଣନ୍ତୁ ବିଶ୍ବର ସର୍ବବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ ବିଷୟରେ

ଅହମ୍ମଦାବାଦ: ବୁଧବାରଠାରୁ ସର୍ଦାର ପଟେଲ ଗୁଜରାଟ ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍ ଖେଳାଯିବ। ଏହି ଦିବାରାତ୍ର ମ୍ୟାଚ୍ ଗୋଲାପି ବଲ୍‌ରେ ଖେଳାଯିବ। ମୋଟେରାସ୍ଥିତ ଷ୍ଟାଡିୟମ୍‌ ବିଶ୍ବର ସର୍ବବୃହତ୍ କ୍ରିକେଟ୍‌ ଷ୍ଟାଡିୟମ୍‌। ଏଥିରେ ୧ ଲକ୍ଷ ୧୦ ହଜାର ଦର୍ଶକ ବସିପାରିବେ। ମେଲ୍‌ବୋର୍ଣ୍ଣ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଦର୍ଶକ କ୍ଷମତା ୧,୦୦,୦୨୪ ଥିବା ବେଳେ ଏହାକୁ ମୋଟେରା ଷ୍ଟାଡିୟମ୍‌ ଅତିକ୍ରମ କରିଛି। ପୂର୍ବରୁ ଥିବା ଷ୍ଟାଡିୟମ୍‌କୁ ଭାଙ୍ଗି ଏହି ନୂତନ ଷ୍ଟାଡିୟମ୍‌ ନିର୍ମିତ ହୋଇଛି। ଏହା ୬୩ ଏକର ଜମିରେ ପରିବ୍ୟାପ୍ତ। ଷ୍ଟାଡିୟମ୍‌ର ପୁନଃନିର୍ମାଣରେ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୫ରେ ଏହାର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭହୋଇ ୨୦୨୦ରେ ଶେଷ ହୋଇଥିଲା।

ଷ୍ଟାଡିୟମ୍‌ରେ ୭୬ଟି କର୍ପୋରେଟ୍‌ ବକ୍ସ ରହିଛି; ଯେଉଁଥିରେ ୨୫ ଜଣ ଲେଖାଏଁ ଦର୍ଶକ ବସିପାରିବେ। ଷ୍ଟାଡିୟମ୍‌ ପରିସରରେ ୩୦୦୦ କାର୍ ଓ ୧୦,୦୦୦ ଦୁଇଚକିଆ ଯାନ ରହିପାରିବ। ଷ୍ଟାଡିୟମ୍‌ ମଧ୍ୟରେ ଏକ କ୍ରିକେଟ୍‌ ଏକାଡେମୀ ଥିବା ବେଳେ ଅନ୍ୟ କିଛି ଖେଳ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଦର୍ଶକଙ୍କ ସୁବିଧା ପାଇଁ ଷ୍ଟାଡିୟମ୍‌ ସମ୍ମୁଖରେ ଏକ ମେଟ୍ରୋ ଷ୍ଟେସନ୍ ରହିଛି। ଷ୍ଟାଡିୟମ୍‌ରେ ପ୍ରବେଶ ପାଇଁ ୩ଟି ମୁଖ୍ୟ ଫାଟକ ରହିଛି। ଭାରତର ପ୍ରଥମ ଷ୍ଟାଡିୟମ୍‌ ଭାବେ ଏଥିରେ ଏଲ୍‌ଇଡି ଲାଇଟ୍‌ ଲଗାଯାଇଛି। ଷ୍ଟାଡିୟମ୍‌ରେ କ୍ଲବ୍ ହାଉସ୍‌ରେ ୫୫ଟି କୋଠରୀ ରହିଛି। କ୍ଲବ୍ ହାଉସ୍ ମଧ୍ୟରେ ଇନ୍‌ଡୋର ଓ ଆଉଟ୍‌ଡୋର କ୍ରୀଡ଼ା ପାଇଁ ସୁବିଧା ଥିବା ବେଳେ ରେଷ୍ଟୁରାଣ୍ଟ, ଅଲିମ୍ପିକ୍‌ ଆକାରର ସନ୍ତରଣ ପୁଲ୍‌, ଜିମ୍‌ନାସିୟମ୍ ଓ ୩ଡି ପ୍ରୋଜେକ୍ଟର ଥିଏଟର ରହିଛି। ଷ୍ଟାଡିୟମ୍‌ର ସମସ୍ତ ଗ୍ୟାଲେରୀରେ ଖାଦ୍ୟ ଯୋଗାଇବା ପାଇଁ ଫୁଡ୍‌ କୋର୍ଟ ରହିଛି।

Comments are closed.