ହୁ’ ବିଶେଷଜ୍ଞଙ୍କୁ ପ୍ରବେଶ ଅନୁମତି ଦେଲା ନାହିଁ ଚୀନ

ଜେନେଭା: କରୋନା ଭୂତାଣୁ ଉତ୍ପତ୍ତିର ତଦନ୍ତ ପାଇଁ ଚୀନ ଯାଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’)ର ବିଶେଷଜ୍ଞ ଦଳକୁ ବେଜିଂ ଅନୁମତି ​‌​‌ଦେଇ ନାହିଁ। ଚୀନ ସରକାରଙ୍କ ଏପରି କାର୍ଯ୍ୟରେ ହୁ’ର ମହାନିର୍ଦେଶକ ଟେଡ୍ରୋସ୍ ଆଧାନୋମ୍ ଘେବ୍ରେୟେସସ୍‌ ଦୁଃଖଦାୟକ ବୋଲି କହିଛନ୍ତି। ଚୀନର ଉହାନରେ କରୋନା ଭୂତାଣୁର ଉତ୍ପତ୍ତି ହୋଇଥିବା ନେଇ ଅଭିଯୋଗ ହେବା ପରେ ହୁ’ ବହୁ ବିଳମ୍ବରେ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପାଇଁ ହୁ’ ଏହାର ୧୦ଜଣ ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲା। ପିଟର ବେନ୍‌ ଏମବାରେକ୍‌ଙ୍କ ନେତୃତ୍ବରେ ଏହି ଟିମ୍‌ ମଙ୍ଗଳବାର ଚୀନ ଯାଇଥିଲା। ତେବେ ତଦନ୍ତ ନିମନ୍ତେ ଆବଶ୍ୟକ ଅନୁମତି ପତ୍ର ନଥିବା ଦର୍ଶାଇ ଚୀନ ସରକାର ଏହାକୁ ଫେରାଇ ଦେଇଛି। ୨୪ଘଣ୍ଟାର ଅପେକ୍ଷା ପରେ ପ୍ରବେଶ ଅନୁମତି ନ ମିଳିବାରୁ ଟିମ୍‌ର ସଦସ୍ୟମାନେ ସ୍ବଦେଶ ଫେରିଯାଇଛନ୍ତି। ଟେଡ୍ରୋସ୍ କହିଛନ୍ତି ଯେ ବ୍ୟବସ୍ଥା ଅନୁଯାୟୀ ହୁ’ର ତଦନ୍ତକାରୀ ଟିମ୍ ଯିବା ସମ୍ପର୍କରେ ଚୀନ ସରକାରଙ୍କ ସହିତ ପୂର୍ବରୁ ଏ ସମ୍ପର୍କରେ କଥାବାର୍ତ୍ତା ହୋଇଥିଲା। ଏଥିପାଇଁ ଟିମ୍‌ର ସଦସ୍ୟମାନେ ନିଜ ନିଜ ରାଷ୍ଟ୍ରରୁ ଉହାନ ଅଭିମୁଖେ ଯାତ୍ରା କରିଥିଲେ। ଅନୁମତି ପତ୍ର ନଥିବା ଦର୍ଶାଇ ସେମାନଙ୍କୁ ଫେରାଇ ଦିଆଯାଇଥିଲା। ତେବେ ଆଗାମୀ ଦିନରେ ଅନୁମତି ପତ୍ର ହାସଲ ପୂର୍ବକ ଏହି ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ ବୋଲି ​‌‌ଟେଡ୍ରୋସ୍ କହିଛନ୍ତି।

Comments are closed.