ମାସେ ହେଲା ଜଳ ଯୋଗାଣ ପ୍ରକଳ୍ପ ଅଚଳ ; ପାଣି ପାଇଁ ଲୋକେ ହନ୍ତସନ୍ତ

ମହିଳାଙ୍କୁ ଭରସା ସାଜିଛି ବାଲିଚୁଆଁ

ବଙ୍ଗୋମୁଣ୍ଡା : ଫଗୁଣ ଯାଇନି ତଥାପି ଅନେକ ସ୍ଥାନରେ ଜଳ ସଂକଟ ଉଗ୍ର ରୂପ ନେଲାଣି। ଧିରେ ଧିରେ ଖରା ତାତିର  ପ୍ରକୋପ ବୃଦ୍ଧି ପାଇ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏବେଠୁ ବଙ୍ଗୋମୁଣ୍ଡା ବ୍ଲକର ଗ୍ରାମାଂଚଳରେ ପାନୀୟ ଜଳାଭାବ ସମସ୍ୟା ଉତ୍କଟ ହୋଇଛି। ଗ୍ରାମାଞ୍ଚଳର ବିଭିନ୍ନ ଗ୍ରାମରେ ନଳକୂପ ଅଚଳ ହୋଇପଡିବା ସହ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟ ଅଚଳ ହୋଇପଡୁଛି। ଜଳ ସମସ୍ୟା ଜଣାଇଲେ ମଧ୍ୟ ସମାଧାନ ହୋଇପାରୁ ନଥିବା ଅଭିଯୋଗ ହେଉଛି।

ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସୀମାନ୍ତ ତଥା କପିଲାଭଟା ପଂଚାୟତର ଅସୁର୍ଲା ଗ୍ରାମବାସୀ ପାନୀୟ ଜଳ ପାଇବା ପାଇଁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନଈକୂଳିଆ ଏହି ଗାଁରେ ପାନୀୟ ଜଳର ଉତ୍କଟ ଅଭାବ ଯୋଗୁଁ  ପାଣି ପାଇଁ ନାହିଁ ନଥିବା  ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପ୍ରାୟ ୨ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ଅନେକ ନଳକୂପ ଥିଲେ ସୁଦ୍ଧା ଅଧିକ ନଳକୂପ ଫ୍ଲୋରାଇଡ ମିଶା ପାଣି ବାହାରୁଥିବାରୁ ପିଇବା ପାଇଁ ଅନୁପଯୋଗୀ ହୋଇପଡିଛି। କିଛି ବର୍ଷ ତଳେ କପିଲାଭଟା ପଂଚାୟତର ଅସୁର୍ଲା, ବରତୁଣ୍ଡା ଓ ସନ୍ଧିସର ଗାଁକୁ ଜଳ ଯୋଗାଣ ପାଇଁ ଅସୁର୍ଲା ଗ୍ରାମ ଠାରେ ବସୁଧା ଯୋଜନାରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ତିଆରି ହୋଇଥିଲେ ମଧ୍ୟ ତାହା କିଛି ବର୍ଷ ନହେଉଣୁ ପ୍ରକଳ୍ପ ଲୋକଙ୍କ କାମରେ ଆସୁନାହିଁ। ପ୍ରକଳ୍ପରେ ପାଣି ଶୁଖି ଯାଉଛି।

ଗ୍ରାମବାସୀଙ୍କ କହିବା ଅନୁସାରେ ପ୍ରକଳ୍ପଟି ମାସେ ହେଲା ଅଚଳ ହୋଇପଡିଥିବା ବେଲେ ଏନେଇ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କେହି ଶୁଣୁନାହାନ୍ତି। ପ୍ରକଳ୍ପର ଅନେକ ଠାରେ ଥିବା ଷ୍ଟାଣ୍ଡପୋଷ୍ଟ ଓ ବିଭିନ୍ନ ପାଇପ ସବୁ ଭାଙ୍ଗି ଗଲାଣି।  ଅନ୍ୟ ପକ୍ଷରେ ମାତ୍ର ୨୨ ଫୁଟ ଖୋଲା ଯାଇ ୩ ଗୋଟି ଗ୍ରାମକୁ ଜଳ ଯୋଗାଣ ହେଉଥିବା ବେଲେ କୂଅରେ ପାଣି ନଥିବାରୁ ଜଳ ଯୋଗାଣ କରିବା ପାଇଁ ବ୍ୟାହତ ହେଉଛି। ଏଭଳି ପରିସ୍ଥିତିରେ ଗ୍ରାମରୁ ୧ କିମି ଦୂରରେ ଥିବା ଅର୍ଜୁନୀ ନଦୀରୁ ବାଲି ଚୂଆଁ  ଖୋଳି ପାଣି ସଂଗ୍ରହ କରୁଥିଲେ ମଧ୍ୟ ଏହା କାଠିକର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କୁ ଯୋଗାଯୋଗ କରିବାରୁ, ଖୁବ ଶୀଘ୍ର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ। ଅଚଳ ହୋଇ ପଡିଥିବା ଜଳ ଯୋଗାଣ ପ୍ରକଳ୍ପକୁ ଅବିଳମ୍ବେ କାର୍ଯ୍ୟକ୍ଷମ କରାଯିବାକୁ ଗ୍ରାମର ମଧୁସୂଦନ ସାହୁ, ବେଦାନ୍ତ ସାହୁ, ଦେବରାଜ ମହାନନ୍ଦ, କେଦାର ଭୋଇ ପ୍ରମୁଖଙ୍କ ସମେତ ଅସୁର୍ଲା,ସନ୍ଧିସର ଓ ବରତୁଣ୍ଡା ଗ୍ରାମର ଲୋକେ ଦାବି କରିଛନ୍ତି।

Comments are closed.