ଆଗ୍ନେୟଗିରିର ଦେଶ ଆଇସ୍‌ଲାଣ୍ଡରେ ସପ୍ତାହରେ ୧୮ହଜାର କମ୍ପନ

ରେକ୍‌ଜାଭିକ୍‌: ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୧୮ହଜାର ଥର କମ୍ପନ ଯୋଗୁଁ ଆତଙ୍କ ସୃଷ୍ଟି କରିଛି ଆଇସ୍‌ଲାଣ୍ଡର ୮୦୦ବର୍ଷ ପୁରାତନ ଆଗ୍ନେୟଗିରି। ଦେଶର ଦକ୍ଷିଣ-ପଶ୍ଚିମ ଦିଗସ୍ଥ ରାଜଧାନୀ ରେକ୍‌ଜାଭିକ୍‌ ସହର ନିକଟ କେଲିର୍‌ସ୍ଥିତ ଏହି ଆଗ୍ନେୟଗିରି ଦୀର୍ଘ ୮୦୦ ବର୍ଷ ଧରି ସୁପ୍ତ ହୋଇରହିଥିବାବେଳେ ସମ୍ପ୍ରତି ଏଥିରୁ ଅଗ୍ନି ଉଦ୍‌ଗିରଣ ହେବା ଆରମ୍ଭ ହୋଇଛି। ଏଥିସହିତ ସ୍ଥାନୀୟ ଅଞ୍ଚଳରେ ଗତ ବର୍ଷେ ହେଲା ଲକ୍ଷ୍ୟ କରାଯାଉଥିବା ବିଭିନ୍ନ ଭୂତାତ୍ତ୍ବିକ ପରିବର୍ତ୍ତନର ଲକ୍ଷଣ ସବୁ ବୈଜ୍ଞାନିକମାନଙ୍କୁ ବିସ୍ମିତ କରିଛି। ଗତ ବର୍ଷେ ଧରି ଏହି ଅଞ୍ଚଳରେ ଛୋଟମୋଟ ଭୂକମ୍ପ ଅନୁଭୂତ ହେଉଥିଲା; ଯାହାର ଫଳାଫଳ ଏବେ ସ୍ପଷ୍ଟ ହୋଇଥିବା ସେମାନେ ମତ ଦେଉଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଥିବା ୫ ଆଗ୍ନେୟଗିରି ମଧ୍ୟ ଏବେ ସକ୍ରିୟ ହେବା ଆରମ୍ଭ କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ଆଇସଲାଣ୍ଡରେ ମୋଟ ୩୦ଟି ଆଗ୍ନେୟଗିରି ରହିଛି। ଏହାକୁ ଆଗ୍ନେୟଗିରିର ଦେଶ କୁହାଯାଏ।
ଆଗ୍ନେୟଗିରି ଥିବା ଅଞ୍ଚଳ ନିକଟରେ ରହିଛି ବିସ୍ତୀର୍ଣ୍ଣ ଲାଭା ଉପତ୍ୟକା। ଏହା ଏକ ପ୍ରସିଦ୍ଧ ପର୍ୟ୍ୟଟନ କ୍ଷେତ୍ର ‘ବ୍ଲୁ ଲାଗୁନ୍‌’। ଏଠାକାର ରେଜକାନେସ୍‌ ଉପତ୍ୟକାରେ କେଫାଲଭିକ୍‌ ଆନ୍ତର୍ଜାତିକ ବିମାନବନ୍ଦର ରହିଛି। ଦେଶର ପାଣିପାଗ ବିଭାଗ ଆତଙ୍କ ପ୍ରଶମନ ଉଦ୍ଦେଶ୍ୟରେ କହିଛି ଯେ ଆଗ୍ନେୟଗିରିରୁ ଉଦ୍‌ଗିରଣ ହେଉଥିବା ଲାଭା ବିସ୍ଫୋରକ ନୁହେଁ। ସ୍ଥାନୀୟ ଅଧିବାସୀଙ୍କ ପାଇଁ ବିପଦର କୌଣସି କାରଣ ନାହିଁ। ଏହାଦ୍ବାରା ବିଶେଷ କିଛି କ୍ଷୟକ୍ଷତିର ଆଶଙ୍କା ନାହିଁ। ଫେବୃଆରୀ ୨୪ ପରଠାରୁ ଏଠାରେ ବାରମ୍ବାର ଯେଉଁ କମ୍ପନ ସୃଷ୍ଟି ହେଉଛି ତାହା କେବଳ ଭୂତଳ ମାଗ୍‌ମା ବୃଦ୍ଧି କାରଣରୁ ବୋଲି ସ୍ପଷ୍ଟ କରାଯାଇଛି।

Comments are closed.