ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବାଘଗଣନା ଶେଷ ; ଡିଜିଟାଲ ସର୍ଭେ ଆପ ମଧ୍ୟମରେ ଛଅଦିନଧରି ଚାଲିଥିଲା ଗଣନା

ଆସନ୍ତା ୪୫ଦିନ କ୍ୟାମେରା ଦ୍ୱାରା ଗ୍ରୀଡ ପଏଂଟର ଚାଲିବ ବନ୍ୟପ୍ରାଣୀଙ୍କ ଅନୁଧ୍ୟାନା

ହରଭଙ୍ଗା : ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର କୁଶଙ୍ଗ, ଛମୁଣ୍ଡିଆ, କୁଆଁରିଆ ଏବଂ ବାଣିଗୋଛା ଭଳି ୪ଟି ରେଞ୍ଜରେ ବୁଧୁବାରଠାରୁ ଆରମ୍ଭ ହୋଇଥିବା ବାଘ ଗଣନା କାର୍ଯ୍ୟକ୍ରମ ସୋମବାର ଶେଷ ହୋଇଛି। ଗତ ୧୬ତାରିଖରୁ ଛଅ ଦିନ ଧରି ଡିଜିଟାଲ ସର୍ଭେ, ଆପ ମାଧ୍ୟମରେ ଏହି ଗଣନା କାର୍ଯ୍ୟ ଚାଲିଥିଲା। ଗଣନା କାର୍ଯ୍ୟଶେଷ ପରେ ବିଭିନ୍ନ ଗ୍ରୀଡ ପଏଂଟରେ କ୍ୟାମେରା ଲଗାଯାଇ ଆସନ୍ତା ୪୫ଦିନ ପର୍ଯ୍ୟନ୍ତ ବନ୍ୟପ୍ରାଣୀଙ୍କ ସର୍ଭେ ଚାଲିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ରେଞ୍ଜରେ ଗଣନା କାର୍ଯ୍ୟ ମନିଟରିଂ ପାଇଁ ଏ.ସି.ଏଫ ଶୁଭଦର୍ଶନୀ ମହାନ୍ତି ପ୍ରତ୍ୟକ୍ଷ ତତ୍ୱାବଧାନ କରୁଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ୪୬ଟି ଗ୍ରୀଡ ପଏଂଟରେ କ୍ୟାମେରା ଦ୍ୱାରା ବନ୍ୟପ୍ରାଣୀଙ୍କ ଗତିବିଧିକୁ ସର୍ଭେ କରାଯିବା ପାଇଁ ପ୍ରକିୟା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେଥିବା ୪ଟି ରେଞ୍ଜରେ ଛଅଦିନ ଧରି ବାଘ ଗଣନା କାର୍ଯ୍ୟ ଚାଲିଥିଲା। ଏଥରେ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ୧୧ଟି ବିଟରେ ୩୩ଜଣ, ଛାମୁଣ୍ଡିଆ ରେଞ୍ଜର ୧୨ଟା ବିଟରେ ୩୬ଜଣ, ବାଣିଗୋଛା ୦୭ଟି ବିଟରେ ୨୧ଜଣ ଏବଂ କୁଆଁରିଆ ୦୭ଟି ବିଟ୍‌ରେ ୨୧ଜଣକୁ ମିଶାଇ ମୋଟ ଶହେ ଏଗାର ଜଣ ବନ୍ୟପ୍ରାଣୀ କର୍ମଚାରୀ  ନିୟୋଜିତ ହୋଇଥିଲେ। ଭୋର ସକାଳୁ ସକାଳୁ ଅଭୟାରଣ୍ୟ ମଧ୍ୟରେ ଥିବା ବିଭିନ୍ନ ବିଟ ଅଂଚଳରେ ବୁଲି ବୁଲି ବନ୍ୟପ୍ରାଣୀଙ୍କ ପାଦଚିହ୍ନ, ମଳ, ଗର୍ଜ୍ଜନ, ରାମ୍ପୁଡା ଦାଗକୁ ଚିହ୍ନଟ କରି  ଡିଜିଟାଲ ସର୍ଭେ ଏବଂ ଇକୋଲୋଜିକାଲ ମୋବାଇଲ ଆପ ସାହାଯ୍ୟରେ ବିଭିନ୍ନ ପ୍ରଜାତିର ବାଘ ତଥା ମାଂସାଶୀ ପ୍ରାଣୀ ଏବଂ ତୃଣଭୋଜୀ ପ୍ରାଣୀଙ୍କ ଗଣନା ଚାଲିଥିଲା। ପ୍ରତ୍ୟେକ ରେଞ୍ଜରେ ଦୁଇଟି ଟ୍ରାନିଜିଟରେ ଏହି ଗଣନା କାର୍ଯ୍ୟ ଚାଲିଥିବାବେଳେ ଅଭୟାରଣ୍ୟ ମଧ୍ୟରେ ମହାବଳ ବାଘ,ଚିତାବାଘ,ବଣ କୁକୁର, ରାମଶୀଆଳ ଭଳି ସମସ୍ତ ପ୍ରଜାତିର ମାଂଶାସୀ ଏବଂ ତୃଣଭୋଜୀ ପ୍ରାଣୀଙ୍କ ଗଣନା କରାଯାଇଥିଲା। ପ୍ରଥମ ଦଫାରେ ୧୬ରୁ୧୮ ପର୍ଯ୍ୟନ୍ତ ତିନି ଦିନ ଧରି ମାଂଶାସୀ ପ୍ରାଣୀଙ୍କ ସର୍ଭେ କରାଯାଇଥିଲା। ଦ୍ୱିତୀୟ ଦଫାରେ ଅର୍ଥାତ ୧୯ରୁ୨୧ପର୍ଯ୍ୟନ୍ତ ତିନିଦିନଧରି ତୃଣଭୋଜୀ ପ୍ରାଣୀଙ୍କ ଗଣନା କରାଯାଇଥିଲା। ଆସନ୍ତା ୪୫ଦିନ ପର୍ଯ୍ୟନ୍ତ ସମସ୍ତ ରେଞ୍ଜର ବିଭିନ୍ନ ଗ୍ରୀଡ ପଏଂଟରେ କ୍ୟାମେରା ଦ୍ୱାରା ବନ୍ୟପ୍ରାଣୀଙ୍କ ଗତିବିଧି ଅନୁଧ୍ୟାନ କରାଯିବା ବୋଲି ସୂଚନା ମିଳିଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ ଗଣନାପରେ ତୃଣଭୋଜି ବନ୍ୟପ୍ରାଣୀ ସଂଖ୍ୟା ବୃଦ୍ଧି ଘଟିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.