କାଶ୍ମୀରରେ ଦୁଇ ବିହାରୀ ଶ୍ରମିକଙ୍କ ହତ୍ୟାକାରୀ ଆତଙ୍କି ନିପାତ

ଶ୍ରୀନଗର: କାଶ୍ମୀର ପୁଲିସ କାର୍ଯ୍ୟାନୁଷ୍ଠାନରେ ଗୁରୁବାର ଦିନ ଉପତ୍ୟକାରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି । ଉକ୍ତ ଆତଙ୍କବାଦୀ କାଶ୍ୱୀର ୱାନପୋଠାରେ ଦୁଇଜଣ ବିହାରୀ ଶ୍ରମିକଙ୍କୁ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲା । ପୁଲିସ ପକ୍ଷରୁ କୁହାଯାଇଛି ନିହତ ଆତଙ୍କିର ନାମ ଜାଭେଦ ଆହ ୱାନି । ସେ ବାରମୂଳାରେ ଜଣେ ଦୋକାନି ଉପରେ ଆକ୍ରମଣ କରିବା ଯୋଜନା କରିଥିଲା । କାଶ୍ମୀର ଜୋନ୍‌ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଆତଙ୍କବାଦୀମାନେ ବାରମୂଳାର ଚେରଦାରି ଅଞ୍ଚଳରେ ଭାରତୀୟ ସେନାର ଏକ ପାଟ୍ରୋଲିଂ ଦଳ ଉପରକୁ ଗୁଳିଚାଳନା କରିଥିଲେ । ତେବେ ସଜାଗ ଥିବା ସୁରକ୍ଷା ଦଳ ତାହାର କଡା ଜବାବ ଦେବାରୁ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିଲା । ତା ନିକଟରୁ ସୁରକ୍ଷା ବାହିନୀ ଯବାନ ଏକ ପିସ୍ତଲ, ଗୁଳି ଭର୍ତ୍ତି ମାଗାଜିନ ଏବଂ ଗୋଟିଏ ପାକିସ୍ତାନି ଗ୍ରେନେଡ ଜବତ କରିଛନ୍ତି ।
ନିହତ ଆତଙ୍କି ଜମ୍ମୁ କାଶ୍ମୀର କୁଲଗାମ ଜିଲାର ବାସିନ୍ଦା ଏବଂ ପୂର୍ବରୁ ଅକ୍ଟୋବର ୨୦ ତାରିଖରେ ନିହତ ଆତଙ୍କି ଗୁଲଜାରକୁ ସେ ଦୁଇ ବିହାରୀ ଶ୍ରମିକଙ୍କୁ ହତ୍ୟା କରିବାରେ ସହଯୋଗ କରିଥିଲା । ଏଥିସହିତ ବାରମୂଳାରେ ଜଣେ ଦୋକାନିଙ୍କୁ ହତ୍ୟା କରିବାକୁ ସେ ଯୋଜନା କରିଥିବା କାଶ୍ମୀର ପୁଲିସ ଆଇଜି ବିଜୟ କୁମାର କହିଛନ୍ତି । କାଶ୍ମୀର ଉପତ୍ୟକାରେ ଏକାଧିକ ସାଧାରଣ ନାଗରିକଙ୍କୁ ହତ୍ୟା କରାଯିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରହିି । ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ ଏକାଧିକ ଆତଙ୍କି ପ୍ରାଣ ହରାଇଲେଣି । ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ଏପର୍ଯ୍ୟନ୍ତ ୬୧ରୁ ଅଧିକ ସ୍ଥାନରେ ଚଢଉ କରିବା ସହିତ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସଂପୃକ୍ତ ଅନେକଙ୍କୁ ଅଟକ ରଖିଛନ୍ତି ।

Comments are closed.