୫ଟି ପଥର ବୋଝେଇ ଟ୍ରକ ଜବତ କଲେ ତହସିଲଦାର

ବେଗୁନିଆ : ବେଗୁନିଆରେ ନୂତନ ଭାବେ ଯୋଗ ଦେଇଥିବା ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ତହସିଲ ଅଂଚଳରେ ଚାଲୁଥିବା ବହୁ ବେଆଇନ ପଥର ଖଣି ଉପରେ ଚଢ଼ଉ କରି ପଥର ମାଫିଆମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିବାବେଳେ ସେମାନେ ତହସିଲଦାରଙ୍କୁ ଲୁଚି ଛପି ରାତି ଅଧିଆ ବେଆଇନ ଭାବେ ପଥର ଚାଲାଣ କରୁଛନ୍ତି। ସେଥିପାଇଁ ତହସିଲଦାର ଶ୍ରୀ ମଣ୍ଡଳ ଆଜି ଭୋର ସମୟରେ ସୁପରଭାଇଜର କୃଷ୍ଣଚନ୍ଦ୍ର ମହାପାତ୍ର, କୁରାଢ଼ିଲୋ ଆର ଆଇ ସୁରେଶ କୁମାର ପ୍ରଧାନ, ବେଗୁନିଆ ଆର ଆଇ ବିଜୟ କୁମାର ମାର୍ଥା ଏବଂ ସିକୋ ଆର ଆଇ ମନୋଜ କୁମାର ନାୟକଙ୍କ ସହିତ ସିକୋ ସର୍କଲ ରେ ଥିବା ବିଭିନ୍ନ ବେଆଇନ ପଥର ଖଣି ଉପରେ ଚଢ଼ଉ କରିଥିଲେ। ଛିମାରୁ ରଣପୁର ଅଭିମୁଖେ ଯାଉଥିବା ୩ଟି ପଥର ବୋଝେଇ ଟ୍ରକକୁ ଛିମାରୁ ଜବତ କରି ଆଣି ତହସିଲଦାର ନିଜ କାର୍ଯ୍ୟାଳୟରେ ରଖିଥିବାବେଳେ ତହସିଲଦାରଙ୍କୁ ଦେଖି ଗୋଟିଏ ଟ୍ରାକ୍ଟର ଏବଂ ମିନି ଟ୍ରକରେ ପଥର ବୋଝେଇ କରି ହଜ ରୁ ଜଙ୍କିଆ ଅଭିମୁଖେ ପଳାଇଯାଉଥିବାବେଳେ ଗାଡି ଦୁଇଟିକୁ ତହସିଲଦାର ହଜ ଠାରେ ଜବତ କରି ଜଙ୍କିଆ ଥାନା ଜିମା ଦେଇଛନ୍ତି। ଆଜି ୫ଟି ପଥର ବୋଝେଇ ଗାଡି ଜବତ ହେବା ପରେ ତହସିଲଦାରଙ୍କ କାର୍ଯ୍ୟଶୈଳୀକୁ ନେଇ ପଥର ମାଫିଆ ମାନଙ୍କର ନିଦ ହଜି ଯାଇଛି।

Comments are closed.