ଔଷଧ କମ୍ପାନୀ, ମେଡିକାଲ ଯନ୍ତ୍ରାଂଶ ନିର୍ମାତାଙ୍କ ସତର୍କବାଣୀ : ପ୍ରଭାବିତ ହେବ ଔଷଧ ଯୋଗାଣ

ନୂଆଦିଲ୍ଲୀ : କରୋନା ପାଇଁ ଦେଶବ୍ୟାପୀ ଘୋଷଣା କରାଯାଇଥିବା ତାଲାବନ୍ଦ ପ୍ରଭାବ ସବୁ କ୍ଷେତ୍ରରେ ପଡିବା ଆରମ୍ଭ କଲାଣି। ବିଶେଷକରି ଏଥିଯୋଗୁ ଦେଶରେ ଆଗାମୀ ଦିନରେ ଔଷଧ ଯୋଗାଣ ପ୍ରଭାବିତ ହୋଇପାରେ। ଏ ନେଇ ଔଷଧ କମ୍ପାନୀ ଏବଂ ମେଡିକାଲ ଯନ୍ତ୍ରାଂଶ ନିର୍ମାତାମାନେ ସତର୍କ କରାଇଦେଇଛି। ବର୍ତ୍ତମାନ ପରିସ୍ଥିତିିରେ ଅନେକ ଔଷଧ ପ୍ରସ୍ତୁତ କରୁଥିବା କାରଖାନା ରେ ତାଲା ପଡିବା ଆରମ୍ଭ ହୋଇଥିବାବେଳେ କେତେକରେ ଉତ୍ପାଦନ ମାନ୍ଦା ପଡିଯାଇଛି। ଔଷଧ କ୍ଷେତ୍ରକୁ ଏକ ଅତ୍ୟାବଶ୍ୟକ ସେବା କ୍ଷେତ୍ର ଭାେବ ବିବେଚନା କରାଯାଏ ତଥାପି କରୋନା ପାଇଁ ଲାଗୁ କରାଯାଇଥିବା କଟକଣା ଯୋଗୁଁ ଅନେକ ଶ୍ରମିକଙ୍କୁ କାରଖାନାକୁ ଯିବାକୁ ଅନୁମତି ଦିଆଯାଉ ନାହିଁ। ହିମାଚଳ ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଏବଂ କର୍ଣ୍ଣାଟକ ଆଦି ରାଜ୍ୟରେ ରହିଥିବା ଔଷଧ କାରଖାନାର ଶ୍ରମିକମାନେ ତାଲାବନ୍ଦ କଟକଣାରେ ପ୍ଲାଣ୍ଟକୁ ଯିବାକୁୁ ସ୍ଥାନୀୟ ପ୍ରଶାସନ ଆଡୁ ବେଶୀ ହଇରାଣ ହରକତର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ କର୍ମଚାରୀଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଲାଗୁ କରିବାରୁ ବିରତ ନ ରୁହନ୍ତି ତେବେ ଔଷଧ ଯୋଗାଣ ବନ୍ଦ କରାଯିବ ବୋଲି କେମିଷ୍ଟ ଆଣ୍ଡଢ୍ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ ସରକାରଙ୍କୁ ଚେତାଇ ଦିଆଯାଇଛି। ବର୍ତ୍ତମାନ ଔଷଧ ଶିଳ୍ପରେ କଞ୍ଚାମାଲ ଯୋଗାଣ ଜନିତ ସମସ୍ୟା ଦେଖାଦେଇଛି। ଏହା ଉତ୍ପାଦନକୁ ପ୍ରଭାବିତ କରିପାରେ। ଗୋଦାମ ଘରୁ ଡିଷ୍ଟ୍ରିବ୍ୟୁଟର ଏବଂ ଡିଲରଙ୍କ ନିକଟକୁ ଔଷଧ ଓ ମେଡିକାଲ ଯନ୍ତ୍ରାଂଶ ଯୋଗାଣ କାର୍ଯ୍ୟ ଏବେ ପ୍ରଭାବିତ ହେଉଛି। ସାମ୍ପ୍ରତିକ ସ୍ଥିତିରେ ମାସ୍କ, ସାନିଟାଇଜର,ଗ୍ଲୋଭ୍ସ ଆଦି ସାମଗ୍ରୀ ଆଦିର ଯୋଗାଣ ଓ ଆବଣ୍ଟନ ପ୍ରଭାବିତ ହେଉଥିବା ସଂଘ କହିଛି।