‘ସମାଜ’ ପ୍ରଭାବ, ଚାଲିଲା ଏମ୍‌ଏସ୍‌ଏମ୍‌ଇ ବିଭାଗ ଟ୍ୱିଟର ଆକାଉଣ୍ଟ

ଭୁବନେଶ୍ବର: ପୁନର୍ବାର କାର୍ୟ୍ୟକ୍ଷମ ହୋଇଛି ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିଭାଗର ଟ୍ୱିଟର ଆକାଉଣ୍ଟ। ଆଜି ମଧ୍ୟାହ୍ନରେ ଏହାକୁ ତୁରନ୍ତ ଚାଲୁ କରାଯାଇଛି। ଏମ୍‌ଏସ୍‌ଏମ୍‌ଇ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଟ୍ୱିଟର ଆକାଉଣ୍ଟ କାମ ନ କରିବା ନେଇ ଉଦ୍ୟୋଗୀଙ୍କଠାରୁ ଆରମ୍ଭ କରି ଶିଳ୍ପ ଓ ବାଣିଜ୍ୟ ସଂଘଗୁଡିକ ପକ୍ଷରୁ ଅଭିଯୋଗ ହେଉଥିଲା। ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ହେବ ଟ୍ୱିଟର ଆକାଉଣ୍ଟ କାମ ନ କରିବା ଯୋଗୁ ଶିଳ୍ପୋଦ୍ୟୋଗୀ ଓ ଶିଳ୍ପ ସଂଘଗୁଡିକ ସେମାନଙ୍କର ସମସ୍ୟା ଏବଂ ବିଭିନ୍ନ ସୁଚିନ୍ତିତ ମତାମତ ବିଭାଗ ଜରିଆରେ ସରକାରଙ୍କ ନଜରକୁ ଆଣିପାରୁ ନ ଥିଲେ।

ଏ ନେଇ ବୁଧବାର ଦୈନିକ ‘ସମାଜ’ ଓ ‘ସମାଜ ଲାଇଭ ପୋର୍ଟାଲ’ରେ  ଖବର ପ୍ରକାଶ ପାଇବା ପରେ ତତ୍ପରତା ପ୍ରକାଶ କରିଛି ଏମ୍‌ଏସ୍‌ଏମ୍‌ଇ ବିଭାଗ। ଆଜି ମଧ୍ୟାହ୍ନ ୧୨ଟା ପରେ ହଠାତ୍‌ ବିଭାଗର ଟ୍ୱିଟର ହ୍ୟାଣ୍ଡେଲ କାର୍ୟ୍ୟକ୍ଷମ ହୋଇଛି। ସୂଚନାଯୋଗ୍ୟ, ୨୦୧୯ ଜୁନ୍‌ ୨୭ଠାରୁ ଏ ପର୍ୟ୍ୟନ୍ତ ବିଭାଗର ଟ୍ୱିଟର ହ୍ୟାଣ୍ଡେଲ କାମ କରୁ ନ ଥିଲା। ଆଜି ଆକାଉଣ୍ଟ କାର୍ୟ୍ୟକ୍ଷମ ହେବା ପରେ ଉଦ୍ୟୋଗୀ ଏବଂ ଶିଳ୍ପ ସଂଘ ଏହାକୁ ସ୍ବାଗତ କରି ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଏ ନେଇ ତ୍ବରିତ ପଦକ୍ଷେପକୁ ଧନ୍ୟବାଦ ଦେଇଥିଲେ। ଏହାଛଡା କେତେକ ଉଦ୍ୟୋଗୀ ପ୍ରକଳ୍ପ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟା ନେଇ ବିଭାଗକୁ ତୁରନ୍ତ ଏଥିରେ ଟ୍ୱିଟ‌ କରିଥିବା ଦେଖିବାକୁ ମିଳିଛି। ଟ୍ୱିଟରର ଆକାଉଣ୍ଟ କାମ କରୁ ନ ଥିବା ନେଇ ମଙ୍ଗଳବାର ‘ସମାଜ’ ପକ୍ଷରୁ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଏ ନେଇ ସଚିବ କହିଥିଲେ ଯେ, ଯଦି ଏଭଳି କିଛି ହୋଇଥାଏ ତେବେ ଏହାକୁ ଚାଲୁ କରାଯିବାକୁ ପ୍ରୟାସ କରାଯିବ। ଯାହାର ପ୍ରଭାବ ଆଜି ଦେଖିବାକୁ ମିଳିଛି। ଶ୍ରୀ ସାହୁ ଆଜି ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମେ ୫ଟି ଅଧୀନରେ ସ୍ବଚ୍ଛତାକୁ ଅଧିକ ଗୁରୁତ୍ବ ଦେଉଛୁ। ଟ୍ୱିଟର ଆକାଉଣ୍ଟ କାର୍ୟ୍ୟକ୍ଷମ ହେବା ପରେ ଆମକୁ ଉଦ୍ୟୋଗୀ ଏବଂ ଶିଳ୍ପ ସଂଘମାନଙ୍କ ସହ ଯୋଗାଯୋଗ ଅଧିକ ସହଜ ହେବ। ଅନ୍ୟପକ୍ଷରେ ବର୍ତ୍ତମାନ ଏମ୍‌ଏସ୍‌ଏମ୍‌ଇ ବିଭାଗର ଇ-ମେଲ ଆଇଡି ନାହିଁ। ସମ୍ପ୍ରତି ​କୋଭିଡ‌-୧୯ କଟକଣା ସମୟ​ରେ ଉଦ୍ୟୋଗୀମାନେ ବିଭାଗୀୟ କାର୍ୟ୍ୟାଳୟକୁ ସିଧାସଳଖ ଯାଇପାରୁନାହାନ୍ତି। ତେଣୁ ଏଭଳି ସମୟରେ ଉଦ୍ୟୋଗୀ ଏବଂ ଶିଳ୍ପ ସଂଘ ଇ-ମେଲ ଆଇଡି ଜରିଆରେ ହିଁ ଯୋଗାଯୋଗ କରିପାରିବେ। ବିଭାଗର ଏକ ଇ-ମେଲ ଆଇଡି ଖୋଲିବାକୁ ଆଜି ମଧ୍ୟ ଶିଳ୍ପ ସଂଘଗୁଡିକ ଦାବି କରିଛନ୍ତି।

ଏମ୍‌ଏସ୍‌ଏମ୍ଇ ବିଭାଗର ଟ୍ୱିଟର ହ୍ୟାଣ୍ଡେଲ ପୁନଃ ଚାଲିବା ପରେ ଖୁସି ଜାହିର କରି ଓଡ଼ିଶା ଶିଳ୍ପ ସଂଘର ଅଧ୍ୟକ୍ଷ ଅବନୀ କାନୁନ୍‌ଗୋ କହିଛନ୍ତି ଯେ, ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ବିଶେଷ କରି ‘ସମାଜ’କୁ ଏଥିପାଇଁ ଧନ୍ୟବାଦ। ଟ୍ୱିଟର ଆକାଉଣ୍ଟ ସକ୍ରିୟ ହେବା ଦ୍ବାରା ଏମ୍‌ଏସ୍‌ଏମ୍‌ଇ ବିଭାଗ ଏବଂ ଶିଳ୍ପ ସଂଘ ମଧ୍ୟରେ ଯୋଗାଯୋଗ ଓ ସମ୍ପର୍କ ଅଧିକ ସୁଦୃଢ ହେବ ଏହା ଆମର ଆଶା। ଏ ସମ୍ପର୍କରେ ସେଣ୍ଟର ଫର ପଲିସି ଗଭର୍ଣ୍ଣାଶ ଆଡଭୋକେସି ଅଧ୍ୟକ୍ଷ ତେଜେଶ୍ବର ପରିଡା କୁହନ୍ତି, ଟ୍ୱିଟର ହ୍ୟାଣ୍ଡେଲ ପୁଣି ଥରେ ସକ୍ରିୟ ହେବା ପାଇଁ ଆମେ ବିଭାଗୀୟ ସଚିବଙ୍କୁ ଧନ୍ୟବାଦ ଦେଉଛୁ। ଏହି ପ୍ରୟାସ ୫ଟି ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ବହୁ ସଂଖ୍ୟାରେ ଯୁବ ଉଦ୍ୟୋଗୀଙ୍କୁ ସରକାରଙ୍କ ସହ ​ଯୋଡି ନିଯୁକ୍ତି ସୁଯୋଗ ସୃଷ୍ଟିକୁ ସହଜ କରିବ। ଏ ନେଇ ଓଡ଼ିଶା କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପୋଦ୍ୟୋଗୀ ସଂଘ (ଓସ୍‌ମି)ର ମହାସଚିବ ସ୍ବାତ୍ତ୍ବିକ ସ୍ବାଇଁ କହିଛନ୍ତି ଯେ, ଆମର ଅନୁରୋଧକୁ ରକ୍ଷା କରି ବିଭାଗୀୟ ସଚିବ ଟ୍ୱିଟର ହ୍ୟାଣ୍ଡେଲକୁ ଚାଲୁ କରାଇବା ଦ୍ବାରା ଉଦ୍ୟୋଗୀମାନଙ୍କ ବିଭିନ୍ନ ସମସ୍ୟା ଏବେ ବିଭାଗର ଦୃଷ୍ଟିକୁ ଆସିପାରିବ। ଆମର ଆଉ ଏକ ଅନୁରୋଧ ପୂର୍ବରୁ ଚାଲୁଥିବା ଟୋଲ୍‌ ଫ୍ରି ନମ୍ବର ଏବେ ବନ୍ଦ ହୋଇଯାଇଛି। ତାହାକୁ ପୁନର୍ବାର କାର୍ୟ୍ୟକ୍ଷମ କରିବା ସହ ବିଭାଗର ଏକ ଇ-ମେଲ୍‌ ଆଇଡି ଖୋଲା ଯାଇପାରିଲେ ଏହା ଉଦ୍ୟୋଗୀଙ୍କ ପାଇଁ ଭଲ ହେବ।

Comments are closed.