ଜଳାଭାବ ଓ ଆମ ଚରିତ୍ର

୧୯୮୧ ମସିହା ସେପ୍ଟେମ୍ବର ମାସରେ ଜର୍ମାନୀରୁ ଜଣେ ପ୍ରଫେସରବନ୍ଧୁ ଏଠାକୁ ଆସିଥିଲେ। ଭୁବନେଶ୍ୱରରୁ ଆମେ ପାରାଦ୍ୱୀପ ଯାଉଥାଉ –ବାଟରେ ଭରା ନଈନାଳ ଦେଖି, ଏତେ ପାଣି ତୁଚ୍ଛାଟାରେ ସମୁଦ୍ର ଭିତରକୁ ବହିଯାଉଛି ବୋଲି ସେ ବହୁତ ଆଶ୍ଚର୍ଯ୍ୟ ହେଲେ। ଦୁର୍ମୂଲ୍ୟ ମଧୁର ଜଳର ଅସତ୍‍ ଉପଯୋଗର ଏହା ଏକ ନମୁନା। ମୋ’ଠାରୁ ଏ କଥା ଶୁଣି ଏଠି କେତେକ ବନ୍ଧୁ କହିଲେ ଯେ, ଜଳ ଏକ ଅସରନ୍ତି ପ୍ରାକୃତିକ ସମ୍ବଳ। ପୃଥିବୀରୁ ଯେତେ ପାଣି ଯୁଆଡେ ଗଲେ ବି ଶେଷରେ ବର୍ଷାହୋଇ ଫେରିଆସିବ। ଅନେକଙ୍କର ସେହି ଏକା ଧାରଣା। ତେଣୁ ଦାନ୍ତ ଘଷିଲାବେଳେ, ଗାଧୋଇଲା ବେଳେ, ବାସନକୁସନ କି ଗାଡିମଟର କିମ୍ବା ଲୁଗାପଟା ଧୋଇଲା ବେଳେ ସେମାନେ ନିଧଡକଭାବେ ପାଇପ ଖୋଲା ଛାଡିଦେଇଥାନ୍ତି ଓ ପାଣି ବୋହିଚାଲିଥାଏ। ସେଥିପାଇଁ କାହାରି ନିଘା ନଥାଏ।

ପ୍ରକୃତରେ ପୃଥିବୀରେ ବିଭିନ୍ନ ଭାବରେ ରହିଥିବା ମୋଟ ଜଳପରିମାଣ ବିଶେଷଜ୍ଞମାନଙ୍କ ହିସାବ ଅନୁସାରେ ଏକଶହ ଅଠତିରିଶ କୋଟି ଷାଠିଏ ଲକ୍ଷ ଘନ କିଲୋମିଟର। ଏକ ଘନ କିଲୋମିଟର ଜଳ ହେବ ଏକ ଲକ୍ଷକୋଟି ଲିଟର। କିନ୍ତୁ ଏତେ ଜଳ ଥିଲେ ସୁଦ୍ଧା ଆମେ ବ୍ୟବହାର କରୁଥିବା ମଧୁରଜଳ ଏହାର ଏକଶତାଂଶରୁ କମ୍‍ -ମାତ୍ର ୯୩,୧୨୦ ଘନ କିଲୋମିଟର। ଏହାଛଡା ଝରଣାଜଳ ଭାବରେ ରହିଥିବା ପାୟ ଏକ କୋଟି ପାଂଚଲକ୍ଷ ତିରିଶହଜାର ଘନ କିଲୋମିଟର ମଧୁର ଜଳରୁ କିଛି ଅଂଶ ମଣିଷମାନେ କେଉଁଠି କେଉଁଠି ବ୍ୟବହାର କରିଥାନ୍ତି।
ବିଭିନ୍ନ ଭାବରେ ଆମେ ନଷ୍ଟ କରୁଥିବା ପାଣିର ପୁନରୁଦ୍ଧାର ଏବଂ ପୃଥିବୀରେ ଥିବା ଏକଶହ ଚଉତିରିଶ କୋଟି ପଞ୍ଚଷଠି ଲକ୍ଷ ଘନ କିଲୋମିଟର ପରିମିତ ଲୁଣିପାଣିକୁ ମଧୁର ଜଳରେ ବଦଳାଇ ବ୍ୟବହାରଯୋଗ୍ୟ କରିବା ଅତ୍ୟନ୍ତ ବ୍ୟୟ ସାପେକ୍ଷ ଓ ସମୟ ସାପେକ୍ଷ। ୨୦୧୧ ମସିହାର ଏକ ହିସାବ ଅନୁସାରେ ଦଶକୋଟି ଲିଟର ମଇଳାପାଣିକୁ ନିର୍ମଳ କରିବାଲାଗି ପ୍ରାୟ ସତୁରି କୋଟି ଟଙ୍କା ଖର୍ଚ୍ଚହେବ।

ତଥାପି ଏହି ନିର୍ମଳପାଣିକୁ ପିଇବା ଲାଗି ବ୍ୟବହାର କରାଯାଇପାରିବନାହିଁ। ଏହାକୁ ବାଡିବଗିଚାରେ ଲଗାଇହେବ। ପାଇଖାନାପାଣିକୁ ଏଭଳି ନିର୍ମଳ କରିବାରେ ଆହୁରି ଅଧିକ ଖର୍ଚ୍ଚ ହେବ। ସେହିପରି ଗୋଟିଏ ଲିଟର ଲୁଣିପାଣିକୁ ମିଠାପାଣିକରିବା ଲାଗି ପ୍ରାୟ ଦୁଇ ମେଗାୱାଟ୍‍ ବିଦ୍ୟୁତଶକ୍ତି ଦରକାର ଏବଂ ସେତିକି ବିଦ୍ୟୁତଶକ୍ତି ଉତ୍ପାଦନପାଇଁ ପ୍ରାୟ ଦଶକୋଟି ଟଙ୍କା ଦରକାର। ତା’ଛଡାଏକ ମେଗାୱାଟ୍‍ ବିଦ୍ୟୁତଶକ୍ତି ଉତ୍ପାଦନରେ ଅଣଚାଳିଶଲକ୍ଷ କ୍ୟୁବିକ-ମିଟର ଜଳ ଉପଯୋଗ ହୋଇଥାଏ। ଆମ ରାଜ୍ୟରେ ଯେତିକି ବିଦ୍ୟୁତଶକ୍ତି ଆବଶ୍ୟକ ସେତିକି ବି ଉତ୍ପାଦନ ହୋଇପାରୁନାହିଁ। ଏପରି ଅବସ୍ଥାରେ ମଇଳାପାଣିକୁ ନିର୍ମଳକରିବା ଅସମ୍ଭବ ଲାଗୁଛି।

ଜଳର ଆବଶ୍ୟକତା ଓ ଉପଲବ୍ଧିରେ ତାଳମେଳ ରହୁନଥିବାରୁ ଜଳାଭାବ ଦେଖାଦେଉଛି ଏବଂ ଅନେକ ସମୟରେ ରାଜ୍ୟ ରାଜ୍ୟ ମଧ୍ୟରେ, ଦେଶ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହେଉଛି। କେତେକ ସ୍ଥାନରେ ଏହା ଗାଁ ଗାଁ ଓ ବ୍ୟକ୍ତିଗତ ସ୍ତରକୁ ମଧ୍ୟ ଖସିଆସୁଛି। ଆବଶ୍ୟକତା ଅନୁଯାୟୀ ଜଳ ନମିଳିବାର ଚାରିଟି ମୁଖ୍ୟକାରଣ ହେଉଛି ଦ୍ରୁତ ହାରରେ ଜନସଂଖ୍ୟାବୃଦ୍ଧି; ଶିଳ୍ପାୟନ ତଥା ସହରୀକରଣ; ଜୀବନଶୈଳୀରେ ପରିବର୍ତ୍ତନ; ଏବଂ ବାୟୁମଣ୍ଡଳର ଉଷ୍ମତାବୃଦ୍ଧି ଯୋଗୁଁ ଘଟୁଥିବା ଜଳବାୟୁ ପରିବର୍ତ୍ତନ। କେବଳ ଜଳାଭାବ ନୁହେଁ, ପ୍ରତ୍ୟେକ ସମସ୍ୟାର ମୂଳକାରଣ ଜନସଂଖ୍ୟାବୃଦ୍ଧି। ବର୍ଦ୍ଧିତ ଜନସଂଖ୍ୟାଲାଗି ଅଧିକ ଘରବାଡି, ସ୍କୁଲକଲେଜ, କୋର୍ଟକଚେରି, ଘରଜମି, ଚାଷଜମି, ରାସ୍ତାଘାଟ, ଗାଡିମଟର, କଳକାରଖାନା, ଡାକ୍ତରଖାନାଠୁ ଆରମ୍ଭକରି ହୋଟେଲ, ସିନେମାଘର ଯାଏ ସବୁକିଛି ଦରକାର। ଅଥଚ ଏହିସବୁ ବର୍ଦ୍ଧିତ ସୁବିଧାପାଇଁ ପୃଥିବୀରେ ସ୍ଥଳଭାଗ ବଢୁନାହିଁ କିମ୍ବା ଜଳପରି ପ୍ରାକୃତିକ ସମ୍ବଳ ବଢୁନାହିଁ। ବରଂ ବଣଜଙ୍ଗଲ, ଗଛଲତା, ଚାଷଜମି, କୀଟପତଙ୍ଗ, ବଣ୍ୟଜୀବଜନ୍ତୁଙ୍କର ସଂଖ୍ୟା ଦ୍ରୁତବେଗରେ ହ୍ରାସପାଉଛି। ଫଳରେ ଲକ୍ଷଲକ୍ଷ ବର୍ଷଧରି ରହିଆସିଥିବା ପରିବେଶର ସନ୍ତୁଳନ ତଥା ଜୈବବିବିଧତା ନଷ୍ଟହେଉଛି। ଭୂତଳଜଳ ହାତପାହାନ୍ତାରୁ ଅପହଞ୍ଚ ଗହୀରକୁ ଖସିଯାଉଛି।

ଶିଳ୍ପାୟନ ଓ ସହରୀକରଣ ଯୋଗୁ ଆବଶ୍ୟକତାଠାରୁ ଅଧିକ ଜଳ ଅପଚୟ ହେଉଛି। ପ୍ରଥମକଥା ହେଲା, ପ୍ରତ୍ୟେକ ଶିଳ୍ପଲାଗି ପ୍ରଚୁର ଜଳ ଓ ବିଦ୍ୟୁତଶକ୍ତି ଦରକାର। ବିଦ୍ୟୁତ ଉତ୍ପାଦନ ପାଇଁ ବିଶେଷକରି ତାପଜ ବିଦ୍ୟୁତ୍‌କେନ୍ଦ୍ରରେ ବହୁତ ପରିମାଣର ଜଳ ଆବଶ୍ୟକ ହୋଇଥାଏ। ଶିଳ୍ପାୟନ ଓ ସହରୀକରଣ ଯୋଗୁଁ ମଟରକାର ବ୍ୟବହାର ବହୁତ ବଢୁଛି। ଏକ ହିସାବରୁ ଜଣାଯାଏ ଯେ, ଗୋଟିଏ ସାଧାରଣ କାର୍‍ ତିଆରିକରିବାରେ ପ୍ରାୟ ଏକଲକ୍ଷ ସତଚାଳିଶ ହଜାର ଲିଟର ପାଣି ଖର୍ଚ୍ଚ ହୋଇଥାଏ। ସହରବଜାର ଜାଗାରେ ହୋଟେଲ, ଗାରେଜ ଇତ୍ୟାଦିର ସଂଖ୍ୟା ମଧ୍ୟ ଅଧିକ। ତେଣୁ ସେସବୁ ସ୍ଥାନରେ ଜଳ ଅପଚୟ ମଧ୍ୟ ଅଧିକ।

ସଭ୍ୟତାର ବିକାଶ ସଙ୍ଗେସଙ୍ଗେ ଲୋକମାନଙ୍କର ଜୀବନଶୈଳୀ ମଧ୍ୟ ବଦଳିଯାଉଛି। ଖାଇବା ପିଇବା ଅଭ୍ୟାସଠାରୁ ଆରମ୍ଭକରି ଘରସଜ୍ଜା, ଆଲୋକସଜ୍ଜା, ବିଦ୍ୟୁତଖର୍ଚ୍ଚ, ଲୁଗାଧୁଆ, ଗାଧୁଆ ପର୍ଯ୍ୟନ୍ତ ସବୁଥିରେ ପରିବର୍ତ୍ତନ ଆସୁଛି। ଏପ୍ରକାର ପ୍ରତ୍ୟେକଟି କାମରେ ଅଧିକ ପାଣି ବ୍ୟବହୃତ ହୋଇଥାଏ। ରେଫ୍ରିଜେରେଟରଠାରୁ ଆରମ୍ଭକରି, ଏୟାରକଣ୍ଡିସନର, ବିଜୁଳି ଆଲୁଅ, ପଙ୍ଖା କିମ୍ବା ଓଭନଠାରୁ ଟୋଷ୍ଟର ପର୍ଯ୍ୟନ୍ତ ପ୍ରତ୍ୟେକ ସରଞ୍ଜାମ ପାଇଁ ଅଧିକ ବିଜୁଳିଶକ୍ତି ଆବଶ୍ୟକ ହୁଏ। ଏ ସମସ୍ତ କାର୍ଯ୍ୟ ସକାଶେ ପରିବେଶ ପ୍ରଦୂଷଣ ବଢିବା ସହିତ ବାୟୁମଣ୍ଡଳର ଉଷ୍ନତା ମଧ୍ୟ ବୃଦ୍ଧିପାଏ। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳବାଷ୍ପ, ନାଇଟ୍ରସଅକସାଇଡ୍‍, ସଲଫରଡାଇଅକ୍ସାଇଡ ଓ ମିଥେନଭଳି ଗ୍ୟାସପରିମାଣ ବଢିଯାଇ ବାୟୁମଣ୍ଡଳକୁ ଅଧିକ ଉତ୍ତପ୍ତକରେ। ଫଳରେ ଜଳବାୟୁର ପରିବର୍ତ୍ତନ ମଧ୍ୟ ଘଟେ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷା ଠିକ ପରିମାଣରେ କି ଠିକ୍‍ ସମୟରେ ହେବନାହିଁ। ଫଳରେ ବୃକ୍ଷଲତାଙ୍କ ବଂଶହାନି ସହିତ ଜଳାଭାବ ମଧ୍ୟ ଘଟିବ।

ଜାତିସଂଘର ଏକ ରିପୋର୍ଟରୁ ଜଣାଯାଇଛି ଯେ, ସାରାପୃଥିବୀରେ ପ୍ରାୟ ଶହେକୋଡିଏ କୋଟି ଲୋକ ବିଶୁଦ୍ଧ ପାନୀୟଜଳ ନପାଇ ଦୂଷିତଜଳ ଯୋଗୁଁ ନାନାରୋଗରେ ସଢୁଛନ୍ତି। ସେଥିମଧ୍ୟରୁ ପ୍ରତିବର୍ଷ ପ୍ରାୟ ଚାଳିଶଲକ୍ଷ ଲୋକ ମରୁଛନ୍ତି। ଏହି ମୃତକଙ୍କ ମଧ୍ୟରେ ଅଛନ୍ତି ପାଞ୍ଚବର୍ଷରୁ କମ୍‍ ବୟସର ପଚିଶଲକ୍ଷ ଶିଶୁ। ଏକ ହିସାବରୁ ଜଣାଯାଇଛି ଯେ ଆମଦେଶରେ ପ୍ରତିବର୍ଷ ପ୍ରାୟ ଚାରିକୋଟି ଲୋକ ଦୂଷିତ ପାଣି ପିଇବାହେତୁ ରୋଗରେ ପଡୁଛନ୍ତି ଏବଂ ପ୍ରାୟ ପନ୍ଦରଲକ୍ଷ ଶିଶୁଙ୍କର ମୃତ୍ୟୁ ହେଉଛି। ସେହିପରି ଭାରତ ସରକାରଙ୍କ ଜଳଶକ୍ତି ବିଭାଗ ପ୍ରକାଶ କରିଥିବା ରିପୋର୍ଟରୁ ଜଣାଯାଏ ଯେ ଓଡିଶାର ତିରିଶଜିଲାରୁ ପନ୍ଦରଟିରେ ପିଇବାପାଣି ପିଇବାଯୋଗ୍ୟ ନୁହେଁ। ବଲାଙ୍ଗିର, ନୂଆପଡା, କଳାହାଣ୍ଡି ଜିଲାରେ ଅଧିକାଂଶ ପାନୀୟଜଳରେ ଫ୍ଲୋରାଇଡ ଅଧିକ ହେଲାବେଳକୁ କନ୍ଧମାଳ, କେଉଁଝର, ମୟୂରଭଞ୍ଜରେ ଅଧିକ ଲୌହାଂଶ ଏବଂ କେନ୍ଦ୍ରାପଡା, ପୁରୀଜିଲାରେ ଲୁଣଭାଗ ଅଧିକ। ଖୋର୍ଦ୍ଧା, ନୟାଗଡ ଓ କଳାହାଣ୍ଡିର କେତେକ ଅଞ୍ଚଳରେ ନାଇଟ୍ରେଟ ଅଧିକ। ପୁଣି ଖରାଦିନେ ରାଜ୍ୟର ଚାରିଆଡେ ସେହି ଦୂଷିତ ପାଣିଟୋପାକ ବି ସାତ ସପନ ହୋଇଯାଉଛି।

ପୃଥିବୀରେ ଜଳାଭାବର ଉତ୍କଟଚିତ୍ର ସମସ୍ତ ଚିନ୍ତାଶୀଳ ବ୍ୟକ୍ତିଙ୍କୁ ବ୍ୟଥିତ କଲାଣି। ତେଣୁ ଜଳର ସଦୁପଯୋଗ କରିବା ସଙ୍ଗେସଙ୍ଗେ ଜଳଅପବ୍ୟୟକୁ ରୋକିବା ସକାଶେ ଜନସାଧାରଣଙ୍କୁ ସଚେତନ କରାଇବା ଅତ୍ୟନ୍ତ ଜରୁରୀ ମନେହେଲାଣି। ତେଣୁ ୧୯୯୩ ମସିହାଠାରୁ ପ୍ରତିବର୍ଷ ମାର୍ଚ୍ଚମାସ ୨୨ ତାରିଖକୁ ‘ବିଶ୍ୱ ଜଳଦିବସ’ ଭାବରେ ପାଳନ କରାଯାଉଛି। ମାତ୍ର ବର୍ଷରେ ଦିନୁଟିଏ ଜଳଦିବସ ପାଳିଦେଲେ କ’ଣ ଚେଇଁଶୋଇଲା ଲୋକେ ଜାଗ୍ରତ ହେବେ ?
ଏଥିସକାଶେ ମାନବିକ ଚେତନା ଓ ମୂଲ୍ୟବୋଧ ଉଦ୍ରେକହେବା ଆବଶ୍ୟକ। ଏପ୍ରକାର ଚେତନାକଥା କହିଲାବେଳେ ଅଙ୍ଗେ ନିଭାଇଥିବା ଏକ ଘଟଣା ଉଲ୍ଲେଖ କରିବା ସମୀଚୀନ ମନେକରୁଛି।

କେତେବର୍ଷତଳେ ଇଂଲଣ୍ଡରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ଗଛକଟା ବନ୍ଦ କରାଇବାଲାଗି ପ୍ରିନ୍ସ ଚାର୍ଲସଙ୍କୁ ଗୋଟିଏ ବାକ୍ୟ ବିଶିଷ୍ଟ ଚିଠିଟିଏ ଲେଖିଥିଲା। ଏହାର ଉତ୍ତରରେ ଚାର୍ଲସଙ୍କଠାରୁ ତାଙ୍କ ବ୍ୟକ୍ତିଗତ ସହାୟକଙ୍କ ଦସ୍ତଖତରେ ଟାଇପ୍‍କରା ପୂରାପୃଷ୍ଠାର ଚିଠିଟିିଏ ଆସିଥିଲା। ସେହି ଚିଠିର ମର୍ମାଂଶ ଦୁଇଟି କଥାରେ ପ୍ରତିଫଳିତ ଯାହାକି ଏଠାରେ ଉଲ୍ଲେଖନୀୟ। ପ୍ରଥମ କଥାଟି ହେଲା – ତମଘରେ ଅଯଥା ଇଲେକ୍ଟ୍ରିକ ଜଳୁଥିଲେ , ଟିଭି ବା କମ୍ପ୍ୟୁଟର କାମ ନକରି ଖାଲି ‘ଅନ୍‍’ ହୋଇ ରହିଥିଲେ ସୁଇଚକୁ ‘ଅଫ୍‍’ କରିଦେବ। ଦ୍ୱିତୀୟ କଥାଟି ହେଲା – ‘ଦାନ୍ତ ଘଷିଲାବେଳେ ପାଣିଟ୍ୟାପ୍‍ ବନ୍ଦ ରଖିବ ଯେପରି ପାଣି ଅଯଥା ବୋହିନଯାଏ।’ ପ୍ରିନ୍ସ ଚାର୍ଲସଙ୍କ ଚିଠିକଥା ମନେ ପକାଇଲାବେଳକୁ ଏଠି ଆମ ଲୋକେ ନିଜଘରେ କାର, ସ୍କୁଟର କି ମଟର ସାଇକଲ ଧୋଇଲାବେଳକୁ ରାସ୍ତାରେ ପଚାଶ କି ଶହେଫୁଟଯାଏ ପାଣି ବୋହିଯାଉଥିବ। ଜଳସଂରକ୍ଷଣ ଓ ସୃଷ୍ଟିର ସୁରକ୍ଷାଲାଗି ଏହି ଦୁଇଟି କଥାକୁ କାମରେ ଲଗାଇ ଆମ ଭିତରେଥିବା ମାନବିକତାର ପ୍ରମାଣ ଦେବା। କିନ୍ତୁ ଆମଲୋକ ଚରିତ୍ର ଯାହା ସେଥିରେ ଆମେ କ’ଣ ଏହା କରିପାରିବା ନା ଏ କଥାରୁ କିଛି ଶିଖିବା?

ଆମ ଲୋକଚରିତ୍ର କହିଲାବେଳକୁ ମନକୁ ଆସୁଛି ଆମଲୋକେ କିପରି ନିଜ ଜୀବନକୁ ମଧ୍ୟ ବିପଦାପନ୍ନ କରୁଛନ୍ତି। ବାହାର ଦେଶରେ ଦୁଇଚକିଆ ସାଇକେଲ ଚଢୁଥିବା ଲୋକମାନେ ବି ହେଲମେଟ ପିନ୍ଧନ୍ତି। ଅଥଚ ଆମର ଏଠି ହେଲମେଟ ନପିନ୍ଧି ଦୁର୍ଘଟଣାରେ ଲୋକ ମରୁଥିଲେ ସୁଦ୍ଧା ଅନେକଲୋକ ମଟରସାଇକେଲ ସ୍କୁଟର ଚଢ଼ିଲାବେଳେ କେବଳ ପୁଲିସକୁ ଠକିବାଲାଗି ମୁଣ୍ଡରେ ହେଲମେଟ ଥୋଇଦିଅନ୍ତି ଓ ପୁଲିସକୁ ଟପିଗଲାପରେ ପୁଣି ହେଲମେଟ ଖୋଲି ରଖିଦିଅନ୍ତି ; ଆଉ ଖାଲି ସାଇକେଲକୁ ପଚାରେ କିଏ ! ସେହିପରି ଏବେ କରୋନା ସଙ୍କ୍ରମଣଲାଗି ଲକ୍‍ ଡାଉନ ସମୟରେ ଗୁପ୍‍ ଚୁପ୍‍ ଖିଆ ବନ୍ଦ ହୋଇଗଲା ବୋଲି କେତେକ ସରକାରଙ୍କୁ ଦୋଷଦେବା ଓ ଗାଳିଦେବା ଆରମ୍ଭ କରିଦେଲେ ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବାଲାଗି, ମାସ୍କ ପିନ୍ଧିବାପାଇଁ, ଗହଳିସ୍ଥାନକୁ ନଯିବାସକାଶେ ସରକାର ଯେତେ ବାଟରେ କହିଲେବି ତାକୁ କ’ଣ ସମସ୍ତେ ମାନୁଛନ୍ତି ! ଆମର ବିଶେଷତ୍ୱ ହେଲା – ଆମକୁ ଯାହା କରିବାକୁ କୁହାଯିବ, ଆମଭିତରୁ କିଛି ଲୋକ ଠିକ୍‍ ଓଲଟା କରିବେ। ଆମର ଏପ୍ରକାର ବିଚିତ୍ର ଚରିତ୍ର କାହିଁକି ହୋଇଛି ସମସ୍ତେ ଚିନ୍ତା କରିବା ଉଚିତ ନୁହେଁ କି ?

ନରେନ୍ଦ୍ର ପ୍ରସାଦ ଦାସ (ପୂର୍ବତନ ଅଧ୍ୟକ୍ଷ, ବିଜେବି କଲେଜ, ଭୁବନେଶ୍ବର)
[email protected]

Comments
Loading...