ବିଶ୍ବବିଦ୍ୟାଳୟ ଅଧ୍ୟାଦେଶ ବନାମ ଓଡ଼ିଆ ବୁଦ୍ଧିଜୀବୀ

“German Universities failed to keep the beacon of freedom and right burning during the right of tyranny.”(ସେଇ ଅତ୍ୟାଚାର ଉତ୍ପୀଡ଼ନ ରାତ୍ରିରେ ଜର୍ମାନ ବିଶ୍ୱବିଦ୍ୟାଳୟଗୁଡ଼ିକ ସ୍ୱାଧୀନତା ଓ ଅଧିକାରର ମଶାଲକୁ ପ୍ରଜ୍ୱଳିତ କରି ରଖିବାରେ ବିଫଳ ହେଲେ)। ଏହା କହିଥିଲେ ଜର୍ମାନ ପ୍ରଫେସର ୟୁଲିଉସ୍‍ ଏବିଙ୍ଗ୍‍ହାଉସ୍‍ (୧୮୮୫-୧୯୮୧), ସେତେବେଳେ ଜର୍ମାନୀରେ ଏକଛତ୍ରବାଦୀ ହିଟଲର ସର୍ବମୟ କର୍ତ୍ତା ଥିଲେ। ଜର୍ମାନୀର ବୁଦ୍ଧିଜୀବୀମାନେ ଦେଶର ସେଇ ଘଡ଼ିସନ୍ଧି ମୁହୂର୍ତ୍ତରେ, ସାମୟିକ ଭାବରେ ହେଲେ ମଧ୍ୟ, ଜାତିକୁ ନେତୃତ୍ୱ ଦେବାକୁ ଅସମର୍ଥ ହୋଇପଡ଼ିଥିବାରୁ ଜର୍ମାନୀ ଦେଶ ପତନର ଅତଳ ଗହ୍ୱର ମଧ୍ୟକୁ ଓହ୍ଲାଇ ଯାଇଥିଲା। ତେଣୁ ପ୍ରଫେସର ଏବିଙ୍ଗ୍‍ହାଉସ୍‍ ଏପରି ମନ୍ତବ୍ୟ ରଖିଥିଲେ। ତାଙ୍କ ମୃତ୍ୟୁର ୩୯ ବର୍ଷ ପରେ ଆଜି ମଧ୍ୟ ତାଙ୍କର ଏପରି ଏକ ମନ୍ତବ୍ୟ ସ୍ୱତନ୍ତ୍ର ବିଚାର ଦାବି କରେ। ଏଇ ପ୍ରସଙ୍ଗରେ ନିକଟରେ ହୋଇଥିବା ‘ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ’କୁ ବିଚାରକୁ ନେଇ ଏଇ ସମୟରେ ଓଡ଼ିଶାର ତଥାକଥିତ ବୁଦ୍ଧିଜୀବୀମାନଙ୍କର ଭୂମିକା ବିଷୟରେ କିଛି ଆଲୋଚନା କରିବା ଏହି ପ୍ରବନ୍ଧର ଲକ୍ଷ୍ୟ।

ରାଜ୍ୟର ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ସଂସ୍କାର ଆଣିବାକୁ ଯାଇ ସରକାର ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯କୁ ସଂଶୋଧନ କରିଛନ୍ତି। ତା’ର ଅର୍ଥ ସବୁ ସରକାରୀ ବିଶ୍ୱବିଦ୍ୟାଳୟ ଲାଗି ଗୋଟିଏ ନିୟମ ପ୍ରଣୟନ ହେବ; କୁଳପତି ବାଛିବାରେ ସରକାର ଅଂଶୀଦାର ହେବେ ଓ କୁଳପତିମାନଙ୍କ କାର୍ଯ୍ୟକାଳ ତିନିବର୍ଷ ସ୍ଥାନରେ ଚାରିବର୍ଷ ହେବ ତଥା ବୟସ ୬୭କୁ ବଢ଼ିବ; ସିନେଟ୍‍ ବ୍ୟବସ୍ଥା ଉଠିବ; ଅଧ୍ୟାପକଙ୍କୁ ଓପିଏସ୍‍ସି ବାଛିବେ ଓ ବିଶ୍ୱବିଦ୍ୟାଳୟ କର୍ମଚାରୀମାନେ ସରକାରଙ୍କ ସର୍ଭିସ ସିଲେକସନ୍‍ କମିସନ୍‍ ବାଟେ ଆସିବେ; ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷକ ପଞ୍ଜିକୃତ ବ୍ୟବସ୍ଥା ଉଠିଯିବ; ବିଶ୍ୱବିଦ୍ୟାଳୟଗୁଡ଼ିକରେ ବାର୍ଷିକ ସମୀକ୍ଷା ବିବରଣୀ ୱେବ୍‍ସାଇଟ୍‍ରେ ଉପଲବ୍‍ଧ ହେବ। ଅଧ୍ୟାଦେଶ ମାଧ୍ୟମରେ ନିୟମ ଜାରି କରି ତାହାକୁ କ୍ୟାବିନେଟ୍‍ ଅନୁମୋଦନ ଦେଇଛନ୍ତି। ରାଜ୍ୟପାଳଙ୍କ ସୁପାରିସ ପରେ ଏହା ଆଇନରେ ପରିଣତ ହେବା କଥା। ସିଧାସିଧା କହିଲେ, ଆମର ‘କର୍ମକୁଶଳ’ ଓ ‘ଲୋକପ୍ରିୟ’ ସରକାରଙ୍କର ନୂତନ ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ଆଇନ କାର୍ଯ୍ୟକାରୀ ହେଲେ ବିଶ୍ୱବିଦ୍ୟାଳୟମାନଙ୍କର ସ୍ଥିତି ଆଜିର ପ୍ଲସ୍‍ଟୁ କଲେଜ ବା ବିଦ୍ୟାଳୟଠାରୁ ବି ତଳକୁ ଖସିଯିବ।

ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା। ଏହି ଅଧ୍ୟାଦେଶଟି ଅନୁମୋଦନ କରିବା ପୂର୍ବରୁ ସରକାର କୌଣସି ଶିକ୍ଷା ବିଶେଷଜ୍ଞଙ୍କ ପରାମର୍ଶ ନ ନେଇ ଏକତରଫା ଭାବରେ କାର୍ଯ୍ୟଟି ସମାପନ କରିଥିଲେ, ସତେ ଯେପରି କରୋନା ସମୟରେ ଏହାଠାରୁ ଜରୁରୀ କାର୍ଯ୍ୟ ଆଉ କିଛି ନାହିଁ। ଚାରିଆଡ଼ୁ ବିରୋଧ ହେବା ପରେ ଅପରାଧକୁ ଘୋଡ଼େଇବା ପାଇଁ ସରକାର ରବିବାର ୨୭.୯.୨୦୨୦ ତାରିଖ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଏକ ୱେବିନାରର ଆୟୋଜନ କରାଯାଇଥିଲା। ସରକାରଙ୍କ ତରଫରୁ ବରାଦିଆ ଭାବରେ ଯୋଗ ଦେଇଥିବା ଦୁଇଟି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି (ଫକୀରମୋହନ ଓ ବ୍ରହ୍ମପୁର) ଓ ଜଣେ ଅବସରପ୍ରାପ୍ତ ରାଜନୀତି ବିଜ୍ଞାନର ପ୍ରଫେସର (ଉତ୍କଳ) ସରକାରଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ସେଦିନ ସେମାନେ ନିଜ ହାତରେ କୁରାଢ଼ି ମାରି ସତରେ ଧରାପଡ଼ି ଯାଇଥିଲେ।
ବିଧାନସଭା ଭିତରେ ବିରୋଧୀମାନଙ୍କ ଦ୍ୱାରା ‘ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ’ ବିରୋଧରେ ପ୍ରତିବାଦର ସ୍ୱର ଉଠିଥିଲା। ବିଧାନସଭା ବାହାରେ ମଧ୍ୟ ଦଳମତ ନିର୍ବିଶେଷରେ ହାତଗଣତି କେତେଜଣ ବିଶିଷ୍ଟ ଶିକ୍ଷାବିତ୍‍, ପ୍ରଫେସର, ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଏକାଠି ହୋଇ ଏ ଆଇନର ତୀବ୍ର ସମାଲୋଚନା କରିଥିଲେ। ଏବେ ମଧ୍ୟ ସମାଲୋଚନା ଜାରି ରହିଛି; କିନ୍ତୁ ଏପରି ଅନ୍ୟାୟ ବିରୁଦ୍ଧରେ ଯେପରି ଏକ ‘ଜନ ଆନ୍ଦୋଳନ’ ବା ‘ବିରୋଧାଭାସ’ ହେବାର କଥା ସେପରି ହୋଇପାରିନାହିଁ। ଏହା ଏଇ ଲେଖକକୁ କେବଳ ନୁହେଁ ଅନେକ ସଚେତନ ବ୍ୟକ୍ତିଙ୍କୁ ବ୍ୟଥିତ କରିଛି। ଶାସକଗୋଷ୍ଠୀକୁ କିନ୍ତୁ ଏହା ସୁହାଉଅଛି; କାରଣ ଆଜିର ଶାସକମାନେ ମଣିଷମାନଙ୍କୁ ଦେଖନ୍ତି ନାହିଁ। ସେମାନେ କେବଳ ନିଜର ପ୍ରତିପତ୍ତିକୁ ଦେଖନ୍ତି। କିପରି ଭୋଟ୍‍ ପାଇବେ ତାହା ସେମାନଙ୍କର ମୁଖ୍ୟ ଲକ୍ଷ୍ୟ। ଚିରଦିନ ପାଇଁ ଆକାଶରେ କିପରି ଧ୍ରୁବତାରା ହୋଇ ରହିବେ ସେଥିପାଇଁ ସେମାନେ ସଦାସର୍ବଦା ଚେଷ୍ଟିତ। ସେଥିପାଇଁ ଆଇନଗୁଡ଼ାକ ଅଧ୍ୟାଦେଶରେ ପରିଣତ ହୁଏ।

ଗତ ୧୮ ତାରିଖ ସେପ୍ଟେମ୍ବରରେ ଜେଏନ୍‍ୟୁର ଅବସରପ୍ରାପ୍ତ ପ୍ରଫେସର ସ୍ୱନାମଧନ୍ୟ ମନସ୍ତତ୍ତ୍ୱବିତ୍‍ ଅଜିତକୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ତିନିଜଣ ପୂର୍ବତନ କୁଳପତି (ବିନାୟକ ରଥ, ଶିବପ୍ରସାଦ ଅଧିକାରୀ ଓ ଶିବପ୍ରସାଦ ରଥ) ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇଜଣ ଅବସରପ୍ରାପ୍ତ ପ୍ରଫେସର (ପ୍ରଫୁଲ୍ଲ କୁମାର ମହାପାତ୍ର ଓ ଲମ୍ବୋଦର ପ୍ରତାପ ସିଂହ) ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇ ସେମାନଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଇ ଛଅଜଣ ଶିକ୍ଷାବିତ୍‍ ମୋ’ଠାରୁ ବୟସରେ ଯଥେଷ୍ଟ କନିଷ୍ଠ ହେଲେ ମଧ୍ୟ ସେମାନଙ୍କର ଏପରି ସ୍ୱାଗତଯୋଗ୍ୟ ପଦକ୍ଷେପ ପାଇଁ ସେମାନଙ୍କ ପାଖରେ ନତମସ୍ତକ ହେବାକୁ ମୁଁ ଆଦୌ କୁଣ୍ଠାବୋଧ କରୁନାହିଁ। ପ୍ରଫେସର ଶ୍ରୀ ମହାନ୍ତି ଗୋଟିଏ ପାଦ ଆଗକୁ ଯାଇ ଏହି ସଂଶୋଧନ ଅଧ୍ୟାଦେଶକୁ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି ଓ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଏହି ସମ୍ପର୍କିତ ଆଇନକୁ ଚାଲେଞ୍ଜ କରିବାକୁ ଆବେଦନକାରୀମାନଙ୍କୁ ମଧ୍ୟ ଅନୁମତି ଦେଇଛନ୍ତି। ସମ୍ମାନନୀୟ ଅଜିତବାବୁଙ୍କର ଏପରି ଏକ ସାହସୀ ପଦକ୍ଷେପ ଓଡ଼ିଶାର ବୁଦ୍ଧିଜୀବୀମାନଙ୍କ ପାଇଁ ନିଶ୍ଚିତ ଭାବରେ ଶିକ୍ଷଣୀୟ ଓ ଅନୁକରଣୀୟ। ଓଡ଼ିଶାରେ କ’ଣ ‘ବୁଦ୍ଧିଜୀବୀ ମରୁଡ଼ି’ ପଡ଼ିଯାଇଛି କି?

ରାଜ୍ୟପାଳ ଚାହିଁଲେ ନିଜର ସାମ୍ବିଧାନିକ କ୍ଷମତା ବଳରେ ପାରିତ ହୋଇଥିବା ଆଇନକୁ ପୁନର୍ବିଚାର ପାଇଁ ବିଧାନସଭାକୁ ଫେରାଇ ଦେଇପାରିବେ କିମ୍ବା ରାଷ୍ଟ୍ରପତିଙ୍କ ବିଚାର ପାଇଁ ପଠାଇ ଦେଇପାରିବେ। ତେଣୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ତାଙ୍କ ସହିତ ପୁଣି ଥରେ ଏକ ବୌଦ୍ଧିକ ଆଲୋଚନାର ଜରୁରୀ ଆବଶ୍ୟକତା ରହିଛି।

“ଏବେ ପ୍ରଶାସନର ବିଭିନ୍ନ କ୍ଷେତ୍ରରେ ବହୁ ପରିମାଣରେ ବେନିୟମ କାମ ଓ ବହୁ ଦୁର୍ନୀତି ହେଉଛି; କିନ୍ତୁ ସେସବୁ ଦୃଷ୍ଟିକୁ ଆଣି ପ୍ରତିକାର କରିବାକୁ କହିଲେ, ଅଧିକାରୀମାନେ ଅସହାୟତା ପ୍ରକାଶ କରି କହୁଛନ୍ତି, ‘ଆମେ କିଛି କହିପାରିବୁ ନାହିଁ; ଅଦାଲତକୁ ଯାଇ ଅର୍ଡ଼ର ଆଣ।’ ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ, ଆଜିର ଗଣତନ୍ତ୍ରରେ କୋର୍ଟକଚେରି ବା ଅଦାଲତ ହିଁ ଶାସନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରୁଛି, ସରକାର ନୁହେଁ।” ଏହା ଥିଲା ଦୀର୍ଘ ସାତବର୍ଷ ତଳେ ଓଡ଼ିଶାର ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସ୍ୱର୍ଗତ ସୁଧାଂଶୁଭୂଷଣ ମିଶ୍ରଙ୍କ ବକ୍ତବ୍ୟ। ଏହାର ସତ୍ୟତା ଆଜି ମଧ୍ୟ ହୃଦ୍‍ବୋଧ ହେଉଛି। ମୋର ମନେହୁଏ କେବଳ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଏଇ ବିଶ୍ବବିଦ୍ୟାଳୟ ପ୍ରସଙ୍ଗଟିର ସମାଧାନ କରିପାରନ୍ତା।

ଅଧ୍ୟାଦେଶ ଅନୁସାରେ କୁଳପତି ଚୟନ ପ୍ରକ୍ରିୟା ଆଗେଇ ଚାଲିଛି। ଯଥାଶୀଘ୍ର ମନୋନୟନ ପ୍ରକ୍ରିୟା ସରିଯିବ ଓ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକ ନୂତନ କୁଳପତି ପାଇଯିବେ। ଏହି ଅଧ୍ୟାଦେଶ ୨୦୨୦ ଅନୁସାରେ, ନୂତନ କୁଳପତିମାନେ ବିଶ୍ୱବିଦ୍ୟାଳୟ ଶିକ୍ଷକ, କର୍ମଚାରୀ ଚୟନରେ କୌଣସି ଭୂମିକା ନିର୍ବାହ କରିପାରିବେ ନାହିଁ; ବରଂ ଲୋକସେବା ଆୟୋଗ ବା ରାଜ୍ୟ ମନୋନୟନ ବୋର୍ଡ଼ ଦ୍ୱାରା ଯେଉଁ ଶିକ୍ଷକ ବା କର୍ମଚାରୀଙ୍କ ତାଲିକା ନିଯୁକ୍ତି ପାଇଁ ବିଶ୍ୱବିଦ୍ୟାଳୟକୁ ଧରାଇ ଦିଆଯିବ, ସେମାନଙ୍କୁ କୁଳପତି ନିଯୁକ୍ତି ଦେବେ। ଏହି ଅଧ୍ୟାଦେଶ ଦ୍ୱାରା କୁଳପତିମାନଙ୍କର ବିଶ୍ୱବିଦ୍ୟାଳୟ ପରିଚାଳନାରେ ଭୂମିକା ନିଶ୍ଚିତ ଭାବରେ ଗୌଣ ହୋଇଛି; କିନ୍ତୁ ସେମାନଙ୍କର କାର୍ଯ୍ୟକାଳ ଚାରିବର୍ଷ ହେବା ସେମାନଙ୍କ ପାଇଁ ଏକ ଆକର୍ଷଣ। ସମୟ କହିବ ଏହି ନୂତନ କୁଳପତିମାନଙ୍କର ନେତୃତ୍ୱରେ ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ଶିକ୍ଷା କେତେ ଆକର୍ଷଣୀୟ ହେବ ନା ବିହାର ଭଳି ଉଚ୍ଚଶିକ୍ଷା ପାଇଁ ବାହାରକୁ ଛାତ୍ରମାନଙ୍କର ପଳାୟନ ଓଡ଼ିଶାରେ ଏକ ସାଧାରଣ ଦୃଶ୍ୟ ହେବ?

ମନରେ ଭୟ ଆସେ, ପ୍ରବନ୍ଧର ଆରମ୍ଭରେ ଦିଆଯାଇଥିବା ପ୍ରଫେସର ୟୁଲିଅସ୍‍ ଏବିଙ୍ଗ୍‍ହାଉସଙ୍କର ଅନୁରୂପ ଉକ୍ତି ଆମ ଓଡ଼ିଶାର ବିଶ୍ୱବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ବୁଦ୍ଧିଜୀବୀ ପ୍ରଫେସରମାନଙ୍କ ପ୍ରତି ଭବିଷ୍ୟତରେ ପ୍ରଯୁଜ୍ୟ ହେବ କି ? ବିଚରା ଆମ ଓଡ଼ିଶା ସତରେ! ବୁଦ୍ଧିଜୀବୀମାନେ ସଜାଗ ରୁହନ୍ତୁ, ଏହା ହିଁ ସୁଦୂର ଜର୍ମାନୀରୁ ଏକ ପ୍ରବାସୀ ଓଡ଼ିଆର ଆହ୍ୱାନ।

ରାଜେନ୍ଦ୍ର ନାରାୟଣ ଦାସ (ଗିଲ୍‍ବାଖ୍‍ ଷ୍ଟ୍ରାସେ ୯୫ ଇ, ୪୧୪୬୬ ନଏସ୍‍, ଜର୍ମାନୀ)
drrajendradas.germany@gmail.com

Comments are closed.