ରାଜନୀତି ପଶାପାଲିରେ ଇତିହାସ

ଇତିହାସ କହେ ଅନେକ ଅକୁହା କଥା। ଇତିହାସ ଶବ୍ଦକୁ ଯଦି ବିଶ୍ଳେଷଣ କରାଯାଏ ତେବେ ଜଣାଯିବ ଯେ ଏହାର ଅର୍ଥ ପୂର୍ବେ ଯାହା ଘଟିଥିଲା। ଏହାକୁ ନେଇ ରାଜନୀତିରେ ଅନେକ ଝଡ ସୃଷ୍ଟି। ଯଦିଓ ଏହାକୁ ସଂପୂର୍ଣ୍ଣ ବଦଳାଇବାକୁ କିମ୍ବା ନିଶ୍ଚିହ୍ନ କରିବାକୁ ଚେଷ୍ଟା କରିବା ବୃଥା; ତଥାପି କେତେକ ଏହାର କିୟଦଂଶକୁ ଉତ୍ତରାଧିକାରୀଙ୍କଠାରୁ ଲୁଚାଇବାକୁ ଚେଷ୍ଟା କରାଯାଇଛି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି ନିକଟରେ ମହାରାଷ୍ଟ୍ର ରାଜ୍ୟ ଶିକ୍ଷା ବୋର୍ଡ ସ୍କୁଲ ପାଠ୍ୟକ୍ରମର ଇତିହାସ ବିଷୟରୁ ସୁଲତାନ ଓ ମୋଗଲଙ୍କ ବିଷୟ ଉଚ୍ଛେଦ କରିବା ସହ ଆକବରଙ୍କ କଥାକୁ ମାତ୍ର ତିନି ଧାଡିରେ ସୀମିତ ରଖିଛନ୍ତି। କେବଳ ସେତିକି ନୁହେଁ; ଉତ୍ତରପ୍ରଦେଶ ସରକାର ମଧ୍ୟ ସ୍କୁଲ ଇତିହାସ ପୁସ୍ତକରୁ ସମ ଭାବରେ ମୁସଲମାନ ଶାସକଙ୍କର ବିଷୟ ଉଚ୍ଛେଦ କରିବାକୁ ଭୁଲିନାହାନ୍ତି। ଅନ୍ୟ ରାଜ୍ୟଗୁଡିକ ମଧ୍ୟ ନିଜ ସୁବିଧା ଅନୁସାରେ ଇତିହାସ ପାଠ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି।

ଆମ ଦେଶରେ ପ୍ରତି ରାଜନୈତିକ ଦଳ ନିଜ ରୁଚି ଅନୁସାରେ ପାରମ୍ପରିକ ଇତିହାସରୁ ନିଜ ଇଚ୍ଛା ଅନୁସାରେ ଏବଂ ନିଜକୁ ସୁହାଇଲା ଭଳି ବିଷୟ ବାଛିବା ଏକ ସାଧାରଣ ଘଟଣା। କଂଗ୍ରେସ ଶାସନ ସମୟର ଐତିହାସିକଗଣ ଯେଉଁ ଇତିହାସ ପ୍ରସ୍ତୁତ କରିଥିଲେ, ସେଥିରେ ମଧ୍ୟ କମ୍‌ ତ୍ରୁଟିବିଚ୍ୟୁତି ନାହିଁ। ଏହା ଅଧିକାଂଶତଃ ଥିଲା ବ୍ରିଟିଶମାନଙ୍କର ରାଜତ୍ବ ବିଷୟରେ ଆଧାରିତ। ବ୍ରିଟିଶମାନେ ଭାରତୀୟ ଇତିହାସକୁ ୩ ଭାଗରେ ବିଭକ୍ତ କରିଥିଲେ, ଯଥା ୩୫୦୦ ବର୍ଷର ପୁରାତନ ହିନ୍ଦୁ ଭାରତ, ମଧ୍ୟଭାରତୀୟ ମୁସ୍‌ଲିମ ଯୁଗ ଯାହା କେବଳ ଯୁଦ୍ଧ, ରାଜ୍ୟଜୟ ଓ ଦେଶ ଲୁଣ୍ଠନ ଉପରେ ଆଧାରିତ ଏବଂ ଶେଷ ଅଧ୍ୟାୟଟି ୨୦୦ ବର୍ଷ ଧରି ଆଧୁନିକ ଭାରତ ଯାହା ବ୍ରିଟିଶ ଦ୍ବାରା ଶାସିତ। ବ୍ରିଟିଶ ଶାସକମାନଙ୍କର ଏକ ମାତ୍ର ଲକ୍ଷ୍ୟ ଥିଲା ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭେଦ ଓ ବିେଦ୍ବଷ ସୃଷ୍ଟି କରି ନିଜର ଶାସନକୁ ଚଳାଇ କରିବା। ସେଥିରେ ସେମାନେ ଥିଲେ ସଂପୂର୍ଣ୍ଣ ସମର୍ଥ।

ଏହାର ଅର୍ଥ ନୁହେଁ ଯେ ଭାରତୀୟ ରାଜ୍ୟଗୁଡିକ ଇତିହାସ ପୁସ୍ତକକୁ ବଦଳାଇପାରିବେ ନାହିଁ। ସେମାନେ ନିଶ୍ଚିତ କରିପାରିବେ ଏବଂ କରିବା ଉଚିତ ମଧ୍ୟ। ଭାରତୀୟ ଇତିହାସ କେବଳ ଦିଲ୍ଲୀର ଇତିହାସକୁ ନେଇ ବର୍ଣ୍ଣିତ; କିନ୍ତୁ ଦିଲ୍ଲୀ ଛଡା ଭାରତର ରାଜ୍ୟ ସମୂହର ଅନେକ ବିସ୍ତୃତ ଓ ମଜାଦାର ଇତିହାସ ରହିଛି। ଆଞ୍ଚଳିକ ଇତିହାସ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଓଡିଆମାନେ ମହାରାଷ୍ଟ୍ର କଥା ଜାଣିବା ସହ ମହାରାଷ୍ଟ୍ରବାସୀ ମଧ୍ୟ ଓଡିଶାର ଇତିହାସ ଜାଣିବାର ଆବଶ୍ୟକତା ରହିଛି। ମହାରାଷ୍ଟ୍ରବାସୀମାନେ ତାମିଲନାଡ଼ୁର ଚୋଳ ରାଜ୍ୟ ଓ ରାଜାମାନଙ୍କ ବିଷୟରେ ଜାଣିବା ସହ ତାମିଲନାଡୁବାସୀ ଶିବାଜୀଙ୍କ ବିଷୟରେ ଅବଗତ ହେବାର ଆବଶ୍ୟକତା ରହିଛି। ଅର୍ଥାତ୍‌ ପ୍ରତ୍ୟେକ ରାଜ୍ୟବାସୀ ଅନ୍ୟ ରାଜ୍ୟର ଇତିହାସ ବିଷୟରେ ଜ୍ଞାନ ଅର୍ଜନ କରିବା ଜରୁରୀ। ଫଳରେ ଆମର ଜାତୀୟ ଏକତା ଓ ଭ୍ରାତୃଭାବ ବୃଦ୍ଧି ପାଇବା ସହ ଭବିଷ୍ୟତରେ ଆମେ ନିଜର ଭୁଲ୍‌ ସୁଧାରିବାକୁ ଚେଷ୍ଟିତ ହେବା। ଜନମାନବର ସ୍ମୃତିରୁ ବିଶ୍ବର କୌଣସି ସରକାର ଇତିହାସର ଚରିତ୍ରମାନଙ୍କୁ ଲିଭାଇବାକୁ ସକ୍ଷମ ହୋଇନାହିଁ। ଆଡ଼ୋଲଫ୍‌ ହିଟଲର, ମୁସୋଲିନି ଓ ଇଦି ଅମିନଙ୍କ ଭଳି ନୃଶଂସ ଶାସକମାନଙ୍କ କଥା କେବେ ବି ଆମ ସ୍ମୃତି ବଳୟ ବହିର୍ଗତ ହେବ ନାହିଁ। ଆମେ ସେମାନଙ୍କୁ କେବେ ବି ଭୁଲି ପାରିବା ନାହିଁ। ଦ୍ବାଦଶ ପୋପ୍‌ ଜନ୍‌ (ଯାହାଙ୍କର କାର୍ଯ୍ୟକାଳ ଥିଲା ୯୫୪ ମସିହାରୁ ୯୬୪ ମସିହା ପର୍ଯ୍ୟନ୍ତ) ବିଭିନ୍ନ ଅପକୀର୍ତ୍ତି ଯୋଗୁଁ ଖ୍ୟାତ ଥିଲେ ମଧ୍ୟ ଆମେ କ’ଣ ତାଙ୍କୁ ଇତିହାସରୁ ବାଦ୍‌ ଦେଇ ପାରିବା ?

ଆକବରଙ୍କୁ ଆମେ ଭୁଲି ପାରିବା କି? ଆକବର ହିନ୍ଦୁ ପତ୍ନୀ ଗ୍ରହଣ କରିଥିଲେ ମଧ୍ୟ କେବେ ଧର୍ମାନ୍ତରୀକରଣ ନିମନ୍ତେ ଚାପ ପ୍ରୟୋଗ କରି ନ ଥିଲେ। ସେ ମହାଭାରତକୁ ପାର୍ସିଆନ ଭାଷାରେ ଅନୁବାଦ କରିବା ସହ ନିଜ ରାଜ୍ୟରେ ଗୋ ହତ୍ୟା ବନ୍ଦ କରିଥିଲେ ଏବଂ ସର୍ବଧର୍ମକୁ ମିଶାଇ ଏକ ନୂତନ ଧର୍ମ ‘ଦିନ ଇଲାହି’ର ପ୍ରଚଳନ କରିଥିଲେ। ଏ ସବୁକୁ ଇତିହାସ ପୃଷ୍ଠାରୁ ଲିଭାଇ ଦେଲେ ବି ଆମେ ଏହାକୁ ଭୁଲିପାରିବା ନାହିଁ। ଆକବର ହୁଅନ୍ତୁ, ଜାହାଙ୍ଗିର କିମ୍ବା ଶାହାଜାହାନ ହୁଅନ୍ତୁ ଆମେ କେବେ ବି ତାଙ୍କୁ ଭୁଲି ପାରିବା କି ?
ସେହିପରି କଳା ଓ ଭାସ୍କର୍ଯ୍ୟର ନମୁନାକୁ ଆମେ ମଧ୍ୟ ଭୁଲିବା ସମ୍ଭବପର ନୁହେଁ। ତାଜମହଲଠାରୁ ଆରମ୍ଭ କରି ଆଗ୍ରା ଦୁର୍ଗ, ଦିଲ୍ଲୀର ଲାଲକିଲ୍ଲା, ହୁମାୟୁନଙ୍କ କବର, ଫତେପୁର ସିକ୍ରି ଦୁର୍ଗ, ଦିଲ୍ଲୀର ଜୁମ୍ମା ମସଜିଦ୍‌, ଅାକବରୀ ଦୁର୍ଗ ପର୍ଯ୍ୟନ୍ତ ଅନେକ କାରୁକଳାକୁ ଆମେ କେହି ମଧ୍ୟ ଭୁଲି ପାରିବା ନାହିଁ।

ସରକାରୀ ସ୍ତରରେ ଯେଉଁ ଇତିହାସ ଅଛି ତାହା ସରକାରଙ୍କ ଅନୁଗତମାନଙ୍କ ଦ୍ବାରା ଲିଖିତ। ବହୁ ବାସ୍ତବତା ଏଥିରେ ସ୍ଥାନ ପାଇନାହିଁ। ଏବେ ଆମେ ଇତିହାସର ପୃଷ୍ଠାରୁ କିଛି ବିଶ୍ଳେଷଣ କରିବା ଯଥାର୍ଥ ହେବ। ଇତିହାସରେ ଉଲ୍ଲିଖିତ ଅଛି ଯେ ପୁରାତନ ଭାରତରେ ଆର୍ଯ୍ୟମାନେ ଭାରତ ଆକ୍ରମଣ ସହ ଏଠାରେ ବସତି ସ୍ଥାପନ କରିଥିଲେ ଯାହାର କୌଣସି ସାମାନ୍ୟତମ ପ୍ରମାଣ ମିଳେ ନାହିଁ। ସେମାନେ ଜାତି ପ୍ରଥାର ଥିଲେ ଜନକ। ସମୟକ୍ରମେ ଏବଂ ପରିବେଶ ଯୋଗୁଁ ସିନ୍ଧୁ ସଭ୍ୟତା ଧ୍ବଂସ ହୋଇଥିଲା ଯାହାର ଅବଶେଷାଂଶ ଏବେ ମାଟି ତଳୁ ଆବିଷ୍କୃତ ହେଉଛି। ଇତିହାସ ଅନୁସାରେ କୃଷ୍ଣକାୟ ଦାସମାନଙ୍କୁ ଆର୍ଯ୍ୟମାନେ ପରାସ୍ତ କରିବା ସହ ପଶ୍ଚିମ ଦିଗରୁ ଆକ୍ରମଣକାରୀମାନଙ୍କୁ ମଧ୍ୟ ପରାସ୍ତ କରିଥିଲେ ଯାହା ଫଳରେ ସେମାନେ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ। ଆର୍ଯ୍ୟମାନଙ୍କର ପରାକ୍ରମୀ ରାଜା ଥିଲେ ଦେବଦାସ ଓ ସୁଦାସ।

ଏହା ପରେ ମଧ୍ୟବର୍ତ୍ତୀକାଳୀନ ଭାରତ ଇତିହାସ ଯାହା କେବଳ ଦିଲ୍ଲୀ ଲୁଣ୍ଠନକାରୀଙ୍କ ବିଷୟରେ ଚର୍ଚ୍ଚିତ; କିନ୍ତୁ ବୋଧହୁଏ ଖୁବ୍‌ କମ୍‌ ଜାଣିଥିବେ ପରାକ୍ରମୀ ତତ୍କାଳୀନ ରାଜାମାନଙ୍କ ବିଷୟରେ ଯେଉଁମାନେ ମୁସ୍‌ଲିମ ଆକ୍ରମଣକାରୀ ଏବଂ ଲୁଣ୍ଠନକାରୀଙ୍କୁ ପରାସ୍ତ କରିବା ସହ ସେମାନଙ୍କୁ ଉଚିତ ଶିକ୍ଷା ପ୍ରଦାନ କରିଥିଲେ। ଏମାନଙ୍କ ମଧ୍ୟରେ ଅଛନ୍ତି ଅନେକ ରାଜା ଯେଉଁମାନେ ମୋଗଲମାନଙ୍କର ବଶ୍ୟତା ସ୍ବୀକାର କରି ନ ଥିଲେ। ଉଦାହରଣ ସ୍ୱରୂପ ଚାଲୁକ୍ୟ ରାଜବଂଶର ରାଜାମାନେ।

ପରିଶେଷରେ ବ୍ରିଟିଶ ଶାସନ ସମୟର ଇତିହାସ। ଏଥିରେ ବ୍ରିଟିଶମାନଙ୍କ ଦ୍ବାରା ରେଳଗାଡି ଚଳାଚଳକୁ ବିଶେଷ ପ୍ରାଧାନ୍ୟ ପ୍ରଦାନ କରାଯାଇଛି ; କିନ୍ତୁ ବ୍ରିଟିଶମାନେ ଏହାଦ୍ୱାରା ଆମର ଜଙ୍ଗଲ, ପରିବେଶ ଧ୍ବଂସ ପୂର୍ବକ ଆମକୁ ଦାରିଦ୍ର୍ୟ ବଳୟ ଭିତରକୁ ଠେଲି ଦେଇଛନ୍ତି। ବାସ୍ତବରେ ବ୍ରିଟିଶ ଶାସନ ଏକ ଲୁଟ୍‌ତରାଜ ଓ ପ୍ରକୃତି ଧ୍ବଂସର ସମୟ। ଇତିହାସ ବହିରେ ଏହାକୁ ସୁବର୍ଣ୍ଣ ଯୁଗ ଭାବରେ ଆଖ୍ୟା ପ୍ରଦାନ କରାଗଲେ ମଧ୍ୟ ପ୍ରକୃତରେ ବ୍ରିଟିଶମାନେ ଟିକସ ଆଦାୟକରି ନିଜ ଦେଶକୁ ସମୃଦ୍ଧ କରିଥିଲେ। କୃଷକମାନଙ୍କୁ ପାରମ୍ପରିକ କୃଷି ବଦଳରେ ଗଞ୍ଜେଇ, ଅଫିମ ଇତ୍ୟାଦି ଚାଷ କରିବାକୁ ବାଧ୍ୟ କରାଯିବା ଫଳରେ କୃଷକମାନେ ନିଜର ନିଜତ୍ବ ହରାଇଥିଲେ। ପରିଶେଷରେ ବ୍ରିଟିଶମାନେ ଭାରତୀୟମାନଙ୍କୁ କେବଳ ଶ୍ରମିକ ଶ୍ରେଣୀ ଭାବରେ ବିବେଚନା କରିବାର ଅପଚେଷ୍ଟା କରିଥିଲେ।

ଏପରି କି ଜାତୀୟତା ଆନ୍ଦୋଳନ ମଧ୍ୟ ଠିକ ଭାବରେ ବର୍ଣ୍ଣିତ ହୋଇନାହିଁ। ମହାତ୍ମା ଗାନ୍ଧୀ ଓ ନେହେରୁଙ୍କ କଥା ଛାଡିଦେଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଅନ୍ୟାନ୍ୟ ବିପ୍ଳବୀମାନଙ୍କ କଥା ଏଥିରେ ଯଥୋଚିତ ସ୍ଥାନ ପାଇନାହିଁ। କେବଳ ୧୮୫୭ର ସିପାହୀ ବିଦ୍ରୋହ ଛଡା ବମ୍ବେର ନୌସେନା ବିଦ୍ରୋହ ଓ ଭାରତୀୟ ଭୂଖଣ୍ଡରେ ଅନେକ ବିଦ୍ରୋହ କଥା ଆମ ଇତିହାସରେ ସ୍ଥାନିତ ହୋଇନାହିଁ। ବିଶେଷକରି ପରିବେଶଗତ ବିଷୟ ଯଥା ଉତ୍ତର ଭାରତରେ ଘନ ଘନ ଭୂକମ୍ପ, ନଦୀମାନଙ୍କର ଗତିପଥ ବଦଳିବା, ଜଙ୍ଗଲ ଧ୍ବଂସ ଇତ୍ୟାଦି ଆମ ଇତିହାସରେ ସ୍ଥାନିତ ହୋଇନାହିଁ। ଏପରିକି ମାନବ ସମାଜ ନିମନ୍ତେ ଜୈବ ମଣ୍ଡଳ ଓ ପ୍ରକୃତି ତଥା ପରିବେଶର ଆବଶ୍ୟକତା ମଧ୍ୟ ଇତିହାସରେ ସ୍ଥାନ ପାଇବାକୁ କେହି ଚିନ୍ତାକରି ନାହାନ୍ତି।

ଏବେ ଆସନ୍ତୁ ଦେଖିବା ନାରୀ ଶକ୍ତିର ଅଭ୍ୟୁଦୟ ଏବଂ ବିପ୍ଲବ ଯାହା କେବଳ ଇତିହାସ ବାହାରେ ଆଲୋଚନାର ବିଷୟ। କତିପୟ ରାଣୀଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ବିଷୟରେ ସମସ୍ତେ ଅଗୋଚର। କେହି ହୁଏ ତ ଜାଣି ନଥିବେ ଯେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଓ ମହାରାଜା ଅଶୋକ ପ୍ର​‌େ​‌ତ୍ୟକ ନିଜର ଏକ ମହିଳା ସୁରକ୍ଷା ବାହିନୀ ଗଠନ କରିଥିଲେ।

ସୁତରାଂ ରାଜ୍ୟ, ଧର୍ମ ଓ ରାଜନୀତି ନିର୍ବିଶେଷରେ ସମସ୍ତଙ୍କ ନିମନ୍ତେ ଏକ ନୂତନ ଜାତୀୟ ଇତିହାସ ରଚନାର ଆବଶ୍ୟକତା ରହିଛି। ଏହି ଇତିହାସକୁ ରାଜନୀତିକ ସୁବିଧା ଅନୁସାରେ ଲେଖା ନ ଯିବା ଶ୍ରେୟସ୍କର। ଇତିହାସରେ କିନ୍ତୁ ଅନେକ ମଜାଦାର କଥା ରହିଛି ଯାହା ପ୍ରେରଣାଦାୟୀ। ଇତିହାସକୁ କେବଳ ଯୁଦ୍ଧ ଓ ତାରିଖ ମଧ୍ୟରେ ସୀମିତ ନରଖି ଏହାକୁ ବ୍ରିଟିଶ ଦେଶରେ ପ୍ରଚଳିତ ଇତିହାସ ଭଳି ଗଳ୍ପ ଆକାରରେ ଲେଖାଗଲେ ଆମ ଉତ୍ତରାଧିକାରୀମାନେ ଏଥିରୁ ଅନେକ ଶିକ୍ଷାଲାଭ କରନ୍ତେ। ଇତିହାସ ଆମର ଅମୂଲ୍ୟ ସମ୍ପତ୍ତି ଏବଂ ଏହାକୁ ରାଜନୀତିର ପଶାପାଲିଠାରୁ ଦୂରେଇ ରଖିବା ଆବଶ୍ୟକ। ଏବେ ଆମ ପିଲାମାନେ ରହୁଥିବା ନିଜ ସହର ବିଷୟରେ ଅଜ୍ଞ; କିନ୍ତୁ ମୋଗଲ ରାଜା ଓ ସେମାନଙ୍କର ଯୁଦ୍ଧର ତାରିଖ ସେମାନଙ୍କର ସ୍ମୃତି ପଟଳରେ ଲିଖିତ। ଆମର ଆବଶ୍ୟକତା ରହିଛି ଏକ ଜାତୀୟ କମିଟି ଯାହାକି ସବୁ ରାଜ୍ୟର ଇତିହାସକୁ ନେଇ ଏକ ସୁନ୍ଦର ଇତିହାସ ପାଠ୍ୟକ୍ରମ ରଚନା କରିବାରେ ମୁଖ୍ୟ ଅଂଶ ଗ୍ରହଣ କରିବ। ଏଥିରେ ରହିବେ ସ୍ବନାମଧନ୍ୟ ଐତିହାସିକ ଓ ବରିଷ୍ଠ ଶିକ୍ଷକ ଓ ଇତିହାସରେ ରୁଚି ରଖିଥିବା ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ ଓ ସମାଜସେବୀ। ଆମେ ଆଶା କରିବା ଯେ ଏହା ରାଜନୈତିକ ପଶାପାଲିରୁ ମୁକ୍ତ ହେବ।

ସୁକାନ୍ତ କୁମାର ପଟେଲ (ବସୁନ୍ଧରା ଲେନ, ବିଡ଼ାନାସୀ, କଟକ)
ଫୋ:୭୦୦୮୩୫୦୪୭୭

Comments are closed.