ଚାପଗ୍ରସ୍ତ ଶିକ୍ଷାର୍ଥୀ; ବିଚଳିତ ସରକାର

ମହାମାରୀ କରୋନାର କାରୁଣ୍ୟରେ ଜର୍ଜରିତ ଶିକ୍ଷାବିଭାଗ ବିପର୍ଯ୍ୟସ୍ତ। ଏହି ବିପର୍ଯ୍ୟୟର ପ୍ରଥମେ ପ୍ରକୃତି ଏବଂ ଶେଷରେ ଶିକ୍ଷାବିଭାଗ ପ୍ରମୁଖ ଦାୟୀ। ଶିକ୍ଷାର୍ଥୀମାନେ କ୍ରମାଗତ ଆଜକୁ ୯ମାସ ଧରି ମାନସିକ ଚାପରୁ ମୁକ୍ତି ପାଇବା ଏବେ ବି ଅନିଶ୍ଚିତ। କରୋନା ମହାମାରୀ ଭୟରେ ସମଗ୍ର ପରିବାର ଆତଙ୍କିତ ରହିବା, ଲକ୍‍ଡ଼ାଉନ୍‍, ସଟ୍‍ଡ଼ାଉନ୍‍, ସ୍କୁଲ ବନ୍ଦ, ଟିଉସନ୍‍ ଓ କୋଚିଂ ସେଣ୍ଟର ବନ୍ଦ, ପାଠ୍ୟପୁସ୍ତକ ଓ ପଢ଼ା ସାମଗ୍ରୀ ମିଳିବାରେ ସମସ୍ୟା, ପରିବାରରେ ପିତାମାତାଙ୍କ ଜୀବିକା ଦୁର୍ବିସହ, ଆୟହୀନ ହେତୁ ଖାଦ୍ୟ ମିଳିବାରେ ବାଧା, ଅନ୍‍ଲାଇନ୍‍ ଶିକ୍ଷା ପାଇଁ ଦାମିକା ମୋବାଇଲ ଓ ଇଂଟରନେଟ୍‍ ପାଇବା, ପାଠ୍ୟ ବିଷୟ ବୁଝିବାରେ ସମସ୍ୟା, ଦୂରଦର୍ଶନ ଶିକ୍ଷାର ଅନୁପଯୋଗିତା, ବାହାରକୁ ଯିବା ମନା, କ୍ରୀଡ଼ା, ସାଙ୍ଗମାନଙ୍କ ସହ ସଂପର୍କ, ହସଖୁସିରେ ପ୍ରତିବନ୍ଧକ ଏବଂ କରୋନା ସଂକ୍ରମଣରେ ମୃତ୍ୟୁ ଭୟ, ପରିବାର ଦୁର୍ଦଶା ଦେଖି ଚାପଗ୍ରସ୍ତ ଥିବା ପିଲାଙ୍କୁ ଆଶ୍ୱସ୍ତି ଦେବା ପରିବର୍ତ୍ତେ ମାଧ୍ୟମିକ ଶିକ୍ଷାବୋର୍ଡ଼ର ମାଟ୍ରିକ ଫର୍ମ ପୂରଣ, ୩୦ଭାଗ ସିଲାବସ୍‍ ହ୍ରାସ, ମାଟ୍ରିକ ପରୀକ୍ଷା ନିମନ୍ତେ ପ୍ରଶ୍ନ ପ୍ରସ୍ତୁତିର ଢ଼ାଞ୍ଚା ଘୋଷଣାକୁ ସମ୍ମତି ଦେଇ ଶିକ୍ଷାମନ୍ତ୍ରୀଙ୍କ ସ୍କୁଲ ଖୋଲିବା ନେଇ ବାରମ୍ବାର ଅସଙ୍ଗତ ବିବୃତି, ବିଭିନ୍ନ ଶ୍ରେଣୀ ପାଇଁ ଉତ୍କର୍ଷ, ଉତ୍‍ଥାନ, ଗଣିତ ଶିଖର ଯୋଜନା କମ୍‍ ବୟସର ପିଲା ଓ ଅଭିଭାବକଙ୍କୁ ମର୍ମାହତ କରିବା ସ୍ୱାଭାବିକ।

ଶିକ୍ଷାର୍ଥୀଙ୍କୁ ଶିକ୍ଷା ଗ୍ରହଣ, ଶିକ୍ଷାଦାନ, ପ୍ରିବୋର୍ଡ଼ ପରୀକ୍ଷା, ଟେଷ୍ଟ ପରୀକ୍ଷା ଓ ବିଭିନ୍ନ ପରୀକ୍ଷା ତାରିଖ ଘୋଷଣା କରି ନିଜ ପାଠ୍ୟପ୍ରସ୍ତୁତିରେ ମନୋଯୋଗୀ ହେବାକୁ ସଚେତନତା ସୃଷ୍ଟି କରିବା ପରିବର୍ତ୍ତେ ବାରମ୍ବାର ପ୍ରହେଳିକା ସୃଷ୍ଟି କରିଚାଲିଛନ୍ତି ଶିକ୍ଷାବିଭାଗ।
ମହାମାରୀ କୋଭିଡ଼-୧୯ର ସଂକ୍ରମଣ ହାର ଓ ମୃତକ ହ୍ରାସ ପାଉଥିବାବେଳେ ଲୋକଙ୍କ ଚଳାଚଳ କଟକଣାମୁକ୍ତ ହୋଇଥିବାବେଳେ ଶିକ୍ଷାକ୍ଷେତ୍ରରେ ସୁଧାର ଆସିବା ଏବେ ବି ଅନିଶ୍ଚିତ। ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ସମ୍ବାଦରେ ତାଳମେଳ ରହୁ ନଥିବାବେଳେ ଶିଶୁଠାରୁ ଯୁବକମାନଙ୍କୁ ନେଇ ଚାଲୁଥିବା ଶିକ୍ଷାକ୍ଷେତ୍ର ଚାପଗ୍ରସ୍ତ। ଡ଼ାକ୍ତର ଓ ସରକାରଙ୍କ ମତ, ପ୍ରତିଷେଧକ ଟିକା ବଣ୍ଟନ ପରେ ଶିକ୍ଷାନୁଷ୍ଠାନ ଖୋଲିବା ମଧ୍ୟ ସନ୍ଦେହ ବଳୟରେ। ଟିକାର ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଉଛି।

ରଥର ଯୋଦ୍ଧା ଅପେକ୍ଷା ସାରଥି ବୁଦ୍ଧିମାନ ଥିଲେ ସଂଘର୍ଷ କରିବା ସହଜ ଓ ସଫଳତା ହାସଲ କରିବା ସୁଗମ ହୋଇଥାଏ; କିନ୍ତୁ ଆମ ଶିକ୍ଷା ବ୍ୟବସ୍ଥାରେ ସାରଥିଙ୍କ ଘୋର ଅଭାବ। ଶିକ୍ଷାମନ୍ତ୍ରୀ ନିଜକୁ ଯୋଦ୍ଧା ଭାବି ବିନା ସାରଥିରେ ସବୁ ସଜାଡ଼ି ଦେବାକୁ ଅସମ୍ଭବ ଘୋଷଣା କରୁଛନ୍ତି। ରାଜ୍ୟରେ ବିରୋଧୀ ରାଜନେତାମାନେ ଶିକ୍ଷାମନ୍ତ୍ରୀଙ୍କ ଉପରେ ତମ୍ବିତୋଫାନ କରୁଥିବାବେଳେ ଶିକ୍ଷାବ୍ୟବସ୍ଥାର ସୁଧାର ପାଇଁ ସକାରାତ୍ମକ ପଦକ୍ଷେପ ନେବା ଦେଖାଯାଏନା। ସରକାର ୨୦ଜଣ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରିବାକୁ ଘୋଷଣା କରିବା ପରେ ଜନସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହେବା ସ୍ୱାଭାବିକ। ଯେଉଁ ୭ ହଜାର ସ୍କୁଲ୍‍ ବନ୍ଦ ହେବାକୁ ଯାଉଛି ସେଥିପାଇଁ ଦାୟୀ ସରକାର, ବିଦ୍ୟାଳୟ ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ, ଗ୍ରାମବାସୀ, ଶିକ୍ଷକ ଓ ରାଜନେତା। ଯେତେ ସ୍କୁଲ୍‍ ବନ୍ଦ ହେବାକୁ ଯାଉଛି ଏବଂ ବନ୍ଦ ବିରୋଧରେ ଯେଉଁ ରାଜନେତାମାନେ ମତ ଉପସ୍ଥାପନ କରୁଛନ୍ତି ତାହା ବିଶେଷ ଭାବରେ ବ୍ୟକ୍ତିଗତ ସ୍ୱାର୍ଥସିଦ୍ଧି ପାଇଁ; ଶିକ୍ଷାର ଗୁଣାତ୍ମକ ଦୃଷ୍ଟିରୁ ନୁହେଁ। ବାସ୍ତବରେ ଏହା ‘ବନ୍ଦ’ ନୁହେଁ, ଏହା ପିଲାଙ୍କ ସ୍ୱାର୍ଥ ପାଇଁ ନିକଟସ୍ଥ ଏକ ସ୍କୁଲ ସହ ମିଶ୍ରଣ ହେଉଛି।

ଯେଉଁ ସ୍କୁଲ୍‍ରେ ପାଣି, ପାଇଖାନା, ଆଲୋକ, ବେଞ୍ଚଡେସ୍କ ଓ ରାସ୍ତାର ସୁଗମକରଣରେ ବିଧାୟକଙ୍କ ଅର୍ଥ ବିନିଯୋଗ ହେବା କଥା ଦୀର୍ଘ ବର୍ଷଧରି ହେଉନାହିଁ। ଏପରିକି ଉନ୍ନୟନ କାର୍ଯ୍ୟ ନ’ହୋଇ ସରକାରୀ ଅର୍ଥ ଅଣାଯାଉଛି। ପିଲାସଂଖ୍ୟା କମ୍‍ ହେବାର ଏହା ଏକ କାରଣ। ଏହି ସ୍କୁଲଗୁଡ଼ିକରେ ୩ଟି ଶ୍ରେଣୀକୁ ୧ଜଣ ଓ ୫ଟି ଶ୍ରେଣୀକୁ ୨ଜଣ ଶିକ୍ଷକ ନିଯୁକ୍ତ ପାଇ କ’ଣ ଓ କିପରି ବିଷୟ ସବୁ ପଢ଼ାଇବେ। ବିଦ୍ୟାଳୟର ଏପରି ବିପନ୍ନ ଅବସ୍ଥା ପାଇଁ ସେହି ସ୍କୁଲ୍‍ ନିକଟରେ ଥିବା ଘରୋଇ ବିଦ୍ୟାଳୟକୁ ସରକାରୀ ସ୍ୱୀକୃତି ଦେଇ ନିଜ ଗ୍ରାମ ସ୍କୁଲ୍‍କୁ ବନ୍ଦ କରିବାରେ ସଂପୃକ୍ତ ରାଜନେତା ହିଁ ଦାୟୀ। ଶିକ୍ଷାକ୍ଷେତ୍ରରେ କୁତ୍ସିତ ରାଜନୀତିକୁ ପ୍ରଶ୍ରୟ ଦେବା ଉଚିତ୍‍ ନୁହେଁ। ଅଭିଭାବକଙ୍କ ସହ ସଂପର୍କ ରଖି ସ୍କୁଲରେ ପିଲାସଂଖ୍ୟା ବୃଦ୍ଧି କରିବା ନିମନ୍ତେ ଶିକ୍ଷା ସହାୟକମାନଙ୍କୁ ନିଯୁକ୍ତି ଦିଆଯାଇଛି; ହେଲେ ଫଳପ୍ରଦ ହେଲାନି। ବିରୋଧୀ ଓ ସରକାରୀ ନେତାମାନେ ଏହାକୁ ଏକ ଯଥାର୍ଥ ସମସ୍ୟା ଭାବେ ବିଚାର କରି ପାରସ୍ପରିକ ବୁଝାମଣାରେ ସକାରାତ୍ମକ ପଦକ୍ଷେପ ନେବା ଉଚିତ୍‍। ଯେଉଁ ସ୍କୁଲ୍‍ ୧୫-୨୦ ପିଲା ସଂଖ୍ୟା ଉପସ୍ଥାନ ଦେଖାଉଛନ୍ତି ସେଥିରେ ମଧ୍ୟ ସ୍ୱଚ୍ଛତା ନାହିଁ। ଯଦି ଏହି ସ୍କୁଲ ମିଶ୍ରଣ ନହୋଇ ଶିକ୍ଷା ନିୟମାନୁଯାୟୀ ୨୦ଜଣରେ ଜଣେ ଶିକ୍ଷକ ନିଯୁକ୍ତି ପାଇଲେ ସେ ସ୍କୁଲ୍‍ରେ ଶିକ୍ଷାଦାନ ସଫଳ ହେବ ତ? ଫଳରେ ଘରୋଇ ସ୍କୁଲକୁ ପିଲା ଯିବାକୁ ବାଧ୍ୟ। ଗୋଟିଏ ସରକାରୀ ସ୍କୁଲ୍‍ରେ ସର୍ବନିମ୍ନ ୯ଜଣ ଶିକ୍ଷକ ଶିକ୍ଷୟିତ୍ରୀ ୨୦୦ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ କରିବାରେ ସମସ୍ୟା ନାହିଁ। ୨୦୦ରୁ କମ୍‍ ପିଲାଥିବା ସ୍କୁଲ୍‍ରେ ଏହି ଛୋଟ ସ୍କୁଲଗୁଡ଼ିକୁ ମିଶାଇ ଦିଆଗଲେ ପିଲା, ଅଭିଭାବକ ଓ ଶିକ୍ଷାବିଭାଗ ଆଶ୍ୱସ୍ତ ହେବା ଯୁକ୍ତିଯୁକ୍ତ। ଶିକ୍ଷାର ମାନ ବଢ଼ିବା ନିଶ୍ଚିତ।

ସମ୍ପୃକ୍ତ ଅଞ୍ଚଳର ରାଜନେତା ନିଜ ଗାଁ ଅଞ୍ଚଳରେ ଲୋକଙ୍କୁ ପ୍ରଭାବିତ କରି ପିଲା ସଂଖ୍ୟା ବୃଦ୍ଧି କରି ପାରିଥାନ୍ତେ, ନିଜ ପରିବାରର ପିଲାଙ୍କୁ ଘରୋଇ ସ୍କୁଲ୍‍ରେ ନ ପଢ଼ାଇ ସରକାରୀ ସ୍କୁଲ୍‍ରେ ପଢ଼ାଇବା ଠିକ୍‍ ହୋଇଥାଆନ୍ତା, ନିଜ ଅଞ୍ଚଳର ପ୍ରତିନିଧି ହୋଇ ୫୦ଜଣ ପିଲାଙ୍କୁ ଆକୃଷ୍ଟ କରି ନ ଆଣିବା ଏକ ଅସଫଳ ନେତୃତ୍ୱ ଦର୍ଶାଏ। ଗ୍ରାମାଞ୍ଚଳର ବାସ୍ତବ ଚିତ୍ର ହେଉଛି ଯେତିକି ପିଲା ଅଛନ୍ତି କେବଳ ମାଗଣା ସୁବିଧାସୁଯୋଗ ହାସଲ କରିବାକୁ ଏବଂ ମଧ୍ୟାହ୍ନ ଭୋଜନ କରିସାରିବା ପରେ କେହି ନ’ଥାଆନ୍ତି ସ୍କୁଲରେ। ଏ ପ୍ରକାର ସ୍କୁଲକୁ ଅଙ୍ଗନବାଡ଼ି କେନ୍ଦ୍ର ସହ ଓ ଅବଶିଷ୍ଟ ଶ୍ରେଣୀକୁ ସୁପରିଚାଳିତ ମାଇନର/ହାଇସ୍କୁଲ୍‍ ସହ ମିଶାଇଲେ ପିଲା ଓ ସ୍କୁଲ୍‍ ଉପକୃତ ହୁଅନ୍ତେ। ଶିକ୍ଷା ବିଭାଗର ବାଚାଳତା ହେତୁ ଦୀର୍ଘ ୧ବର୍ଷ ଧରି ୬୧୦ ଯୋଜନା ଅନ୍ତର୍ଭୁକ୍ତ ଅନୁଦାନପ୍ରାପ୍ତ ହାଇସ୍କୁଲ ବନ୍ଦ ହୋଇଯାଇଥିଲେ ବି ଶିକ୍ଷକମାନେ ଘରେ ବସି ଦରମା ପାଉଛନ୍ତି। ବିରୋଧୀ ରାଜନେତା ନୀରବ। ବରିଷ୍ଠ ଅଭିଜ୍ଞ ଶିକ୍ଷକମାନଙ୍କୁ ସରକାରୀ ସ୍କୁଲ୍‍ରେ ଖାଲିପଡ଼ିଥିବା ପଦରେ ବଦଳି କରାଗଲେ ସରକାର, ସ୍କୁଲ୍‍, ଶିକ୍ଷକ ଓ ଶିକ୍ଷାକର୍ମୀମାନେ ଉପକୃତ ହୋଇପାରନ୍ତେ।

ଗ୍ରାମାଞ୍ଚଳର ଅନାଗ୍ରହୀ ପିଲାଙ୍କୁ ଶିକ୍ଷା ସହାୟକଙ୍କ ପ୍ରଚେଷ୍ଟାରେ ବିଦ୍ୟାଳୟକୁ ଟାଣିବା ପ୍ରୟାସ ସଫଳ ହେଉନି; ବରଂ ସେମାନଙ୍କୁ ସାକ୍ଷରତା କେନ୍ଦ୍ରକୁ ପଠାଯାଉ। ଦେଖାଯାଉଛି, ଶିକ୍ଷିତ, ଉଚ୍ଚଶିକ୍ଷିତମାନେ ରୋଜଗାରହୀନ ଥିବାବେଳେ ଏବର ନିରକ୍ଷର ଓ ସାକ୍ଷର ଯୁବକଙ୍କ ରୋଜଗାର ମନ୍ଦ ନୁହେଁ। ସ୍କୁଲକୁ ଯାଇ ମାଗଣା ଖାଇ, ସମୟ, ଶକ୍ତି ନଷ୍ଟ କରିବା ଅପେକ୍ଷା ନିଜ କ୍ଷେତବାଡ଼ିରେ ବାପାମାଆଙ୍କୁ କାର୍ଯ୍ୟରେ ସାହାଯ୍ୟ କରି ଆୟ କରିବାକୁ ପସନ୍ଦ କରୁଛନ୍ତି ଅନେକ ପିଲା ଏବଂ ଶିକ୍ଷକ। କେବଳ ସ୍କୁଲ୍‍କୁ ବଞ୍ଚାଇ ରଖିବାକୁ ଏଭଳି ପିଲାଙ୍କୁ ସ୍କୁଲକୁ ଆଣିଲେ ସେମାନଙ୍କ ପରିବାର ଡୁବିଯିବ।

ପାଠ୍ୟଖସଡ଼ା ବିଚାରକୁ ନେଲେ ସମାଧାନ କରିନପାରି ସମସ୍ୟା ବୃଦ୍ଧି କରିବାରେ ଶିକ୍ଷାବିଭାଗ ନିଜର ଅଦୂରଦର୍ଶିତା ପ୍ରମାଣ କରୁଛି। ଗୋଟିଏ ବର୍ଷ ଶିକ୍ଷାବର୍ଷ ଗଡ଼ାଇଦେଲେ କ୍ଷତି କିଛି ନାହିଁ। ପିଲା ବୁଢ଼ା ହେଉନାହାନ୍ତି, ବହିପତ୍ର ଶଢ଼ିଯାଉନି, ଶିକ୍ଷକଙ୍କ ଚାକିରି ହାତଛଡ଼ା ହେଉନାହିଁ କିମ୍ବା ଅଭିଭାବକ ଚିନ୍ତିତ ହେବାର ନାହିଁ। ୧ ବର୍ଷର ପାଠକୁ ୨ ବର୍ଷ ପଢ଼ିଲେ ବିଦ୍ୟାର୍ଥୀ ଉପକୃତ ହେବେ। ତା’ ଅପେକ୍ଷା ସିଲାବସ୍‍ର ୩୦ଭାଗ କମାଇ ମାତ୍ର ୨-୩ମାସ ପଢ଼ାଇ ନାମକୁ ମାତ୍ର ପରୀକ୍ଷା ଓ ସମୂହ କପି କରାଇ ସମସ୍ତଙ୍କୁ ପାସ୍‍ କରି ବିଭାଗ ବାହାବା ନେବାକୁ ଉଦ୍ୟତ। ଶିକ୍ଷାବୋର୍ଡ଼ ପ୍ରଶ୍ନପ୍ରସ୍ତୁତି ଓ ବଣ୍ଟନ, କେନ୍ଦ୍ର ନିରୂପଣଠାରୁ ବିଭିନ୍ନ ପରୀକ୍ଷା ସଂପର୍କୀୟ କାର୍ଯ୍ୟକରି ପିଲାଙ୍କଠାରୁ ଆୟ କରିବା ଉଦ୍ଦେଶ୍ୟ ପ୍ରଣୋଦିତ। ପ୍ରଥମ ଶ୍ରେଣୀରୁ ନବମଶ୍ରେଣୀ ପିଲାଙ୍କ ପାଇଁ କେହି ଚିନ୍ତା ନ’କରି କେବଳ ୧୦ମ ଓ ୧୨ଶ ଶ୍ରେଣୀ ଉପରେ ଶିକ୍ଷାବୋର୍ଡ଼ର ନଜର। ଏପରିଭାବେ ସ୍କୁଲ୍‍ ଖୋଲି ପାଠପଢ଼ା କାର୍ଯ୍ୟ କରି ଶସ୍ତା ଲୋକପ୍ରିୟତାକୁ ଅଭିଭାବକମାନେ ବିରୋଧ କରିବା ଉଚିତ। ବିଭାଗୀୟ ଅନୁମତି ନେଇ କଟକର ନୂଆବଜାର ହାଇସ୍କୁଲ୍‍ ପ୍ରି-ବୋର୍ଡ଼ ପରୀକ୍ଷା କରାଇ ପ୍ରଶଂସିତ ହୋଇଥିଲାବେଳେ ଅନ୍ୟ ସମସ୍ତ ସ୍କୁଲ୍‍ରେ କେବଳ ପରୀକ୍ଷା କରାଇବାରେ ବିଭାଗର ସମସ୍ୟା ନ’ଥିଲା। ନବୋଦୟ, ଏନ୍‍.ଆର୍‍.ଟି.ଏସ୍‍. ପରୀକ୍ଷା, ଗଣିତ ମେଧାବୃତ୍ତି ଓ ବୃତ୍ତି ପରୀକ୍ଷା ବୋର୍ଡ଼ କରାଉଥିବାବେଳେ ନବମ ଓ ଦଶମ ଶ୍ରେଣୀର ପରିଚାଳନାରେ ଅସୁବିଧା ନଥିଲା। ମାଟ୍ରିକ ପରୀକ୍ଷାର୍ଥୀ ଅନ୍ୟ ଏକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇ ଆସୁଛନ୍ତି; ହେଲେ +୨ ପରୀକ୍ଷାର୍ଥୀ ନିଜ କଲେଜରେ ପରୀକ୍ଷା ଦେଇଥାଆନ୍ତି। ଏବେ ୧୨ଶ ଶ୍ରେଣୀ ସ୍କୁଲରେ ମିଶି ରହିଲେ ସେମାନଙ୍କ ପରୀକ୍ଷା କେନ୍ଦ୍ର ସ୍ଥାପନ ସଂପର୍କରେ ବିଭାଗ ନୀରବ।

ଶିକ୍ଷାବିଭାଗକୁ ଅନୁରୋଧ, ପିଲାଙ୍କୁ ଚାପମୁକ୍ତ ଓ ଅଭିଭାବକଙ୍କୁ ଅର୍ଥଶ୍ରାଦ୍ଧରୁ ମୁକ୍ତି ଦିଅନ୍ତୁ। ସ୍କୁଲରେ ପ୍ରଥମ ନାମଲେଖା ବେଳେ ପିଲା, ଅଭିଭାବକ ଓ ଶିକ୍ଷକଙ୍କ ଅସାବଧାନତା ହେତୁ ନିଜ ନାମ, ପିତାମାତାଙ୍କ ନାମ, ଠିକଣା ଓ ଜନ୍ମ ତାରିଖରେ ତ୍ରୁଟି ରହିଯାଇଥାଏ। ମାଟ୍ରିକ୍‍ ପରୀକ୍ଷା ଫର୍ମପୂରଣ ଓ ଆଡ୍‍ମିଟ୍‍ କାର୍ଡରେ ତ୍ରୁଟି ପରିଲକ୍ଷିତ ହେଲାବେଳେ ସେଗୁଡ଼ିକୁ ସଂଶୋଧନ କରିବାକୁ ଅଭିଭାବକ ଓ ଶିକ୍ଷକଙ୍କୁ ବୋର୍ଡ ଅଫିସ, ଡି.ଇ.ଓ, ଓ ତହସିଲ୍‍ ଅଫିସ୍‍କୁ ଧାଇଁବାକୁ ପଡ଼ିଥାଏ। ଏ ସବୁ ତ୍ରୁଟି ସଂଶୋଧନ କରିବାକୁ ପ୍ରଧାନଶିକ୍ଷକଙ୍କୁ କ୍ଷମତା ଦିଆଗଲେ ଅଭିଭାବକ ଆଶ୍ୱସ୍ତ ହୁଅନ୍ତେ। ବୋର୍ଡ଼ ମାର୍କସିଟ୍‍, ସଂଶୋଧିତ ମାର୍କସିଟ୍‍ ଓ ଉତ୍ତରଖାତାରେ ଦିଆଯାଉଥିବା ମାର୍କ ମଧ୍ୟ ପିଲାଙ୍କ ଉପରେ ଚାପ ସୃଷ୍ଟି କରାଉଛି।

ଆନନ୍ଦର କଥା, ଦୀର୍ଘ ୨୦ବର୍ଷ ପରେ ମୁଖ୍ୟମନ୍ତ୍ରୀ ଶିକ୍ଷାକ୍ଷେତ୍ର ପ୍ରତି ଦୃଷ୍ଟି ନିକ୍ଷେପ କରିବାକୁ ଆଗଭର। ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ବରମୁଣ୍ଡା ବସ୍‍ଷ୍ଟାଣ୍ଡ୍‍ର ଉନ୍ନତିକରଣରେ ନିଜର ବ୍ୟଗ୍ରତା ପ୍ରକାଶ କରିବା ପରି ବିଦ୍ୟାମନ୍ଦିର କ୍ଷେତ୍ରରେ ଉତ୍କଣ୍ଠା ପ୍ରକାଶ କରାଯାଉ। ଶିକ୍ଷାକ୍ଷେତ୍ରର ଦାୟିତ୍ୱ ନେଉଥିବା ମନ୍ତ୍ରୀ ଓ ପ୍ରଶାସକଙ୍କର ଶିକ୍ଷାତ୍ମକ ପ୍ରବୃତ୍ତିକୁ ବିଚାରକୁ ନିଆଯାଉ। ଜଣେ ଶିକ୍ଷାପ୍ରେମୀ, କର୍ମନିଷ୍ଠ, ସ୍ୱଚ୍ଛ ବ୍ୟକ୍ତିତ୍ୱସମ୍ପନ୍ନ ସଚିବଙ୍କୁ ଅନ୍ୟୂନ ୫ ବର୍ଷ କାର୍ଯ୍ୟ କରିବାକୁ ସୁଯୋଗ ଦିଅନ୍ତୁ। ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ପ୍ରାଧାନ୍ୟ ଦେଇ ସମସ୍ୟା ସମାଧାନ କରିବାକୁ ପ୍ରୟାସୀ ହେବା ଆଜିର ଜରୁରୀ ଆବଶ୍ୟକତା। ‘ମୋ ସରକାର’ ଓ ‘୫ଟି ଯୋଜନା’ ଅନ୍ତର୍ଭୁକ୍ତ ଥିବା ଶିକ୍ଷାବିଭାଗ କ୍ରମଶଃ କ୍ରିୟାଶୀଳ ହୋଇ ଶିଶୁଙ୍କ ମୁହଁରେ ହସ ଫୁଟାଉ।

ସୁକାନ୍ତ କୁମାର ମହାନ୍ତି (ଚଉଦ୍ବାର, କଟକ)

Comments
Loading...