ଉଚ୍ଚ ମାଧ୍ୟମିକ ବିଜ୍ଞାନ ସିଲାବସ୍‍ ହ୍ରାସ ସୁଚିନ୍ତିତ ହେଉ

କଟକ:  ଶିକ୍ଷାଦାନ କ୍ଷେତ୍ରରେ କୋଭିଡ-୧୯ ବୈଶ୍ୱିକ ମହାମାରୀର ପ୍ରତିକୂଳ ପ୍ରଭାବ ହେତୁ ସି.ବି.ଏସ୍‍.ଇ, ଉଚ୍ଚ ମାଧ୍ୟମିକ ବିଜ୍ଞାନ ଶ୍ରେଣୀର ବିଭିନ୍ନ ବିଷୟର ସିଲାବସ୍‍କୁ ପାଖାପାଖି ତିରିଶ ପ୍ରତିଶତ କମାଇଅଛି। ନିକଟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ଅନୁକୂଳ ଭାବରେ ସିଲାବସ ହ୍ରାସ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଯେଉଁ ସତୁରି ପ୍ରତିଶତ ବିଷୟ ରହିଲା ତାକୁ ସୁସଂହତ ଭାବରେ ନ ପଢ଼ାଇଲେ ସର୍ବ ଭାରତୀୟ ସ୍ତରର ଇଞ୍ଜିନିୟରିଂ ଓ ମେଡିକାଲ ପ୍ରବେଶିକା ପରୀକ୍ଷାରେ ରାଜ୍ୟର ଛାତ୍ର ଛାତ୍ରୀଙ୍କ ଫଳାଫଳ ସନ୍ତୋଷଜନକ ନ ହୋଇପାରେ ଏପରି ଆଶଙ୍କା ବହୁ ଶିକ୍ଷାବିତ୍‍ ପ୍ରକାଶ କରିଛନ୍ତି।

ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଅନ୍‍-ଲାଇନ ଶିକ୍ଷାଦାନରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଯଥାର୍ଥ କାରଣରୁ ଯୋଡି ହୋଇପାରୁନଥିବା ଉଭୟ ଶିକ୍ଷା ଅଧିକାରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ନଜରକୁ ଆସୁଥିବ ବୋଲି ବିଶ୍ୱାସ। ପୁନଶ୍ଚ ଅନ୍‍-ଲାଇନ ଶିକ୍ଷାଦାନ କେବେ ହେଲେ ଶ୍ରେଣୀଗୃହ ଶିକ୍ଷାଦାନର ବିକଳ୍ପ ନୁହେଁ। ପୂଜାଛୁଟି ପରେ ସ୍କୁଲ, କଲେଜ ଖୋଲିବା ପାଇଁ ସରକାର ସିଦ୍ଧାନ୍ତ ନେଇଥିବାରୁ ଶ୍ରେଣୀଗୃହ ଶିକ୍ଷାଦାନ ପ୍ରାୟତଃ ନଭେମ୍ବର ମାସରୁ ଆରମ୍ଭ ହେବ। ପ୍ରଚଳିତ ସମୟ ସାରଣୀ ଅନୁସାରେ ବର୍ତ୍ତମାନର ସିଲାବସ୍‍ ନିର୍ଦ୍ଧାରିତ ପାଠ୍ୟକ୍ରମ ସାରିବାକୁ ହେଲେ ପାଠପଢ଼ା ନିରବଚ୍ଛିନ୍ନ କରିବାକୁ ହେବ। ଛୁଟି କିଛି ନରଖି ପଢ଼ାଇଲେ ମଧ୍ୟ ସିଲାବସ୍‍ ସରୁ ସରୁ ପ୍ରାୟ ମେ ମାସ
ହୋଇଯିବ। ନିରବଚ୍ଛିନ୍ନ ଭାବରେ ଅତିକମ୍‍ରେ ଛଅମାସ ପଢ଼ାଇଲେହିଁ ସିଲାବସ୍‍ ସାରିବା ସମ୍ଭବ ହେବ।

ଏହା ବାହାରେ ବିଦ୍ୟାଳୟ ସ୍ତରରେ ପରୀକ୍ଷା ଆଦି ମଧ୍ୟ କରିବାକୁ ହେବ ଏବଂ ସେଥିରେ କିଛି ସମୟ ମଧ୍ୟ ନିୟୋଜିତ ହେବ। ପରିଷଦ ଦ୍ୱାରା ପରିଚାଳିତ ପରୀକ୍ଷା ଯାହାକି ସାଧାରଣତଃ ମାର୍ଚ୍ଚ ମାସରେ ହୁଏ, ତାହା ପ୍ରାୟ ଜୁନ ମାସ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ପଡିପାରେ ବୋଲି
ବହୁ ଶିକ୍ଷାବିତ୍‍ ମାନଙ୍କର ମତ। ପୁନର୍ବାର ପ୍ରାକ୍ଟିକାଲ ପରୀକ୍ଷା ମଧ୍ୟ କରିବାକୁ ହେବ। ଆଉମଧ୍ୟ ମେ-ଜୁନ୍‍ ମାସର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରୀକ୍ଷା କରାଇବାରେ ଏକ ବଡ ପ୍ରତିବନ୍ଧକ ହେବ।

ସିଲାବସ୍‍ ହ୍ରାସ କରିବା ବେଳେ ପ୍ରାକ୍ଟିକାଲ ସିଲାବସ୍‍ ଅଧିକ ହ୍ରାସ କରିଥିଲେ ନଭେମ୍ବର ମାସରୁ ଆରମ୍ଭ ହେଉଥିବା ଶ୍ରେଣୀଗୃହ ଶିକ୍ଷାଦାନରେ ମିଳୁଥିବା ସମୟ ମଧ୍ୟରେ ଥିଓରୀ ବିଷୟ ସାରିବା ପାଇଁ ସମୟକୁ ବାଣ୍ଟିବା ସହଜ ହେବ ବୋଲି ଆଶା କରାଯାଇପାରେ। ବର୍ତ୍ତମାନ ସିଲାବସ୍‍ରୁ ବିଭିନ୍ନ ବିଷୟର ଯେଉଁସବୁ ପାଠ୍ୟ ଉଠାଇ ଦିଆଯାଇଅଛି ସେ କ୍ଷେତ୍ରରେ ସି.ବି.ଏସ.ଇ ଓ ସି.ଏଚ.ଏସ.ଇ ନେଇଥିବା ପଦକ୍ଷେପରେ ତାଳମେଳ ନ ଥିବା ଜଣାପଡୁଅଛି। ଅତିତରେ ସି.ବି.ଏସ୍‍.ଇ ସିଲାବସ୍‍କୁ ସରକାରୀ ସ୍ତରରେ ଗ୍ରହଣ କରାଯିବାରୁ ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ବିଜ୍ଞାନ ପୁସ୍ତକ ଗୁଡିକୁ ପୂର୍ନ ଲିଖନ କରାଇଥିଲା।

ଏହା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅନୁମୋଦିତ ପୁସ୍ତକଭାବରେ ବର୍ତ୍ତମାନ ପ୍ରଚଳିତ। ବର୍ତ୍ତମାନ ସି.ବି.ଏସ୍‍.ଇ ତାର ସିଲାବସ୍‍କୁ ପରିବର୍ତ୍ତନ କରିଥିବାରୁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଠିକ୍‍ ସେହି ଅନୁସାରେ ପରିବର୍ତ୍ତନ କରିବା ଆବଶ୍ୟକ ଥିଲା, କିନ୍ତୁ ସେପରି ହୋଇନାହିଁ। ଏହା ପଛରେ କୌଣସି ଯୁକ୍ତିଯୁକ୍ତ କାରଣ ଥିବା ପରି ମନେ ହେଉନାହିଁ। ସର୍ବ ଭାରତୀୟ ଇଞ୍ଜିନିୟରିଙ୍ଗ ଓ ମେଡିକାଲ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ସି.ବି.ଏସ୍‍.ଇ ସିଲାବସ୍‍ ଅନୁସାରେ ପ୍ରସ୍ତୁତ ହେବ। ଯେଉଁ ସବୁ ବିଷୟ ଗୁଡିକ ସି.ବି.ଏସ୍‍.ଇ ରଖିଛି ତାହା ସି.ଏଚ.ଏସ୍‍.ଇ ସିଲାବସରେ ନଥିବାରୁ ପଢ଼ାଯିବ ନାହିଁ ଏବଂ ସେହି ସବୁ ବିଷୟରୁ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନ ଆସିଲେ ଆମ ପିଲାମାନେ ଅସୁବିଧାର ସମ୍ମୁଖୀନ ହେବେ ଏବଂ କମ୍‍ ମାର୍କ ପାଇବେ ବୋଲି ବିଶିଷ୍ଟ ଶିକ୍ଷାବିତ୍‍ ଓ ବୁଦ୍ଧିଜୀବି ମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ଏ କ୍ଷେତ୍ରରେ କିଛି ଉଦାହରଣକୁ ତର୍ଜମା କଲେ ଆଲୋଚ୍ୟ ବିଷୟଟି ସ୍ପଷ୍ଟ ହୋଇଯିବ। କେମେଷ୍ଟ୍ରିରେ ବାୟୋମଲିକ୍ୟୁଲ୍‍, ଫିଜିକ୍ସରେ ଇଲେକ୍ଟ୍ରନିକ୍ସ ଓ ମ୍ୟାଗ୍ନେଟିଜିମ୍‍ର କେତେକ ଅଂଶ ଏବଂ ଗଣିତରେ ପ୍ରୋବାବିଲିଟି ସି.ବି.ଏସ୍‍.ଇ ସିଲାବସରେ ଥିବାବେଳେ, ସି.ଏଚ.ଏସ୍‍.ଇ  ସିଲାବସରେ ନାହିଁ। ବହୁ ଶିକ୍ଷାବିତ୍‍ ମାନଙ୍କର ମତ ଯେ ଶିକ୍ଷାଦାନ ବର୍ଷ ବର୍ତ୍ତମାନ ପ୍ରଚଳିତ ଜୁନ୍‍ରୁ ମେ ମାସ ପରିବର୍ତ୍ତେ ଜାନୁୟାରୀରୁ ଡିସେମ୍ବର ମାସ ହେଲେ ପାଠପଢ଼ା, ପରୀକ୍ଷା କରାଇବା ଆଦି ଅଧିକ ସୁସଂହତ ହେବ ଏବଂ ଏ କ୍ଷେତ୍ରରେ ଆବଶ୍ୟକ ସ୍ଥଳେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବା ଉଚିତ୍‍ ଏବଂ ଏଥିରେ ବରିଷ୍ଠ ଅଭିଜ୍ଞ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ସାମିଲ କଲେ ଭଲ ହେବ। ତେବେ ବର୍ତ୍ତମାନ ନଭେମ୍ବର ମାସରୁ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହୋଇପାରିଲେ ଉପଯୁକ୍ତ ସମୟରେ ପରୀକ୍ଷା ହେଉ।
ଡଃ. ବିଜୟ କୁମାର ପଟ୍ଟନାୟକ (ଅବସରପ୍ରାପ୍ତ ଅଧ୍ୟକ୍ଷ)
ବି.ଜେ.ବି. ସ୍ୱୟଂଶାସିତ ମହାବିଦ୍ୟାଳୟ, ଭୁବନେଶ୍ୱର

Comments are closed.