ସୁରକ୍ଷାକର୍ମୀଙ୍କ ଦୃଷ୍ଟିରୁ ଲୁଚୁଥିଲେ ରାଷ୍ଟ୍ରପତି !

ଆମେରିକାର ରାଷ୍ଟ୍ରପତି, ତାଙ୍କ ସୁରକ୍ଷାରେ ମୁତୟନ ଥିବା ସୁରକ୍ଷାକର୍ମୀମାନେ ସମରକଳାରେ ଧୂରୀଣ। ରାଷ୍ଟ୍ରପତି ଓ ତାଙ୍କ ପରିବାରକୁ ଯେମିତି ସମାନ୍ୟତମ କ୍ଷତି ନ ପହଞ୍ଚୁ, ସେ ଦିଗରେ ସୁରକ୍ଷାକର୍ମୀମାନେ ୨୪ ଘଣ୍ଟିଆ ଜାଗ୍ରତ ପ୍ରହରୀ ଭାବେ କାମ କରିଥାନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ୩୦ତମ ରାଷ୍ଟ୍ରପତି ଭାବେ କାଲ୍‌ଭିନ୍‌ କୁଲିଜ୍ ଦାୟିତ୍ବ ନେଇଥିଲେ। ତାଙ୍କ ଶାସନକାଳ ୧୯୨୩ ଅଗଷ୍ଟ ୨ରୁ ଆରମ୍ଭ ହୋଇ ୧୯୨୯ ମାର୍ଚ୍ଚ ୪ରେ ଶେଷ ହୋଇଥିଲା। କାଲଭିନ୍ ନିଜ ଶାସନ ପାଇଁ ନୁହେଁ, ବରଂ ନିଜ କୌତୁକିଆ ବ୍ୟବହାର ପାଇଁ ଚର୍ଚ୍ଚାକୁ ଆସିଥିଲେ। ରାଷ୍ଟ୍ରପତି ଦାୟିତ୍ବରେ ଥିବା ଏଇ ୬ ବର୍ଷ ମଧ୍ୟରେ ସେ ବିଭିନ୍ନ କାରନାମା କରି ତାଙ୍କ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କୁ ହସାଇହସାଇ ବେଦମ୍ କରୁଥିଲେ। ସେ ରାଷ୍ଟ୍ରପତି ପଦରୁ ଓହରିବା ପରେ ଏସବୁ କଥା ଲୋକଲୋଚନକୁ ଆସିଥିଲା। ନିଜ ଶାସନକାଳ ମଧ୍ୟରେ ସେ ନିଜ ଅମାୟିକ ବ୍ୟବହାର ପାଇଁ ମଧ୍ୟ ଲୋକପ୍ରିୟ ହୋଇପାରିଥିଲେ। କାମର ଚାପକୁ କମ୍ କରିବା ନିମନ୍ତେ କାଲଭିନ୍ ହ୍ବାଇଟ୍ ହାଉସ୍‌ରେ ଥିବା କର୍ମଚାରୀଙ୍କ ସହ ଥଟ୍ଟା କରିବାକୁ ଅସହଜ ମଣୁନଥିଲେ। ହେଲେ ସୁରକ୍ଷାକର୍ମୀଙ୍କୁ ତାଙ୍କ ଦାୟିତ୍ବରୁ ହଟାଇବାରେ ସେ କଷ୍ଟ କରୁଥିଲେ। ବିଶାଳ ହ୍ବାଇଟ୍ ହାଉସ୍‌ର କୌଣସି ଏକ କକ୍ଷରେ ଲୁଚି ରହି ସେ ‘ହେଲ୍ପ ହେଲ୍ପ’(ସାହାଯ୍ୟ କର) ​‌େ​‌ବାଲି ଚିତ୍କାର କରୁଥିଲେ। ସୁରକ୍ଷାକର୍ମୀମାନେ ବ୍ୟତିବ୍ୟସ୍ତ ହୋଇ ଏଇ ଭବନର ଏପାଖସେପାଖ ଖୋଜିଖୋଜି ନୟାନ୍ତ ହେବା ପରେ ହସିହସି କୋଣରୁ ବାହାରିଆସୁଥିଲେ କାଲଭିନ୍। ହ୍ବାଇଟ୍ ହାଉସ୍ ରହଣି କାଳରେ ସେ ସୁରକ୍ଷାକର୍ମୀଙ୍କ ସହ ଏଭଳି ମଜା ପ୍ରାୟ ୨୦-୨୫ଥର କରିଥିବାର ହ୍ବାଇଟ୍ ହାଉସ୍ ଡାଏରୀରୁ ଜଣାଯାଏ। ହ୍ବାଇଟ୍ ହାଉସ୍‌ ଇତିହାସରେ ​କାଲଭିନ୍ ଥିଲେ ଏଭଳି ପ୍ରଥମ ଓ ଶେଷ ରାଷ୍ଟ୍ରପତି ଯେ କର୍ମଚାରୀଙ୍କ ସହ ଖୁବ୍ ମଉଜ କରୁଥିଲେ।

Comments are closed.