ଅଜଣା ଆତତାୟୀଙ୍କ ଗୁଳିରେ ହାଇତି ରାଷ୍ଟ୍ରପତି ମୃତ

ଆଜି ସକାଳେ ହାଇତିର ରାଷ୍ଟ୍ରପତି ଜୋବେନଲ ମୋଇସିଙ୍କୁ ତାଙ୍କ ଘରେ ଅଜଣା ଆତତାୟୀମାନେ ଗୁଳି କରି ହତ୍ୟା କରିଛନ୍ତି। ସେଠାକାର ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ଏକ ବିବୃତ୍ତିରେ ହାଇତିର ପ୍ରଧାନମନ୍ତ୍ରୀ କ୍ଲାଉଡ଼ ଜୋସେଫ କହିଛନ୍ତି ଯେ, ବୁଧବାର ଦିନ ପ୍ରାୟ ୧ଟା ସମୟରେ ପୋର୍ଟ ପ୍ରିନ୍ସରେ ଥିବା ତାଙ୍କ ବ୍ୟକ୍ତିଗତ ବାସଭବନରେ ଅଜଣା ଆତତାୟୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ରାଷ୍ଟ୍ରପତିଙ୍କ ପତ୍ନୀ ମଧ୍ୟ ଗୁଳି ମାଡ଼ରେ ଆହତ ହୋଇଥିବା ଜଣାପଡିଛି। ହାଇତିରେ କ୍ରେଓଲ୍ ଏବଂ ଫରାସୀ ଭାଷା ପ୍ରଚଳିତ ଥିବା ବେଳେ ଆତତାୟୀମାନେ ସ୍ପେନୀୟ ଭାଷାରେ କଥା ହେଉଥିଲେ ବୋଲି ପ୍ରାଥମିକ ସୂଚନା ମିଳିଛି। ୨୦୧୭ ଫେବୃଆରୀ ମାସରୁ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରି ଆସୁଥିବା ଜୋବେନଲ ମୋଇସିଙ୍କ ସରକାର ଉପରେ ରାଜନୈତିକ ଚାପ ରହିଥିଲା ଏବଂ ତାଙ୍କୁ ନିଜ ପଦବୀରୁ ଇସ୍ତଫା ଦେବାକୁ ସେଠାରେ ବର୍ଷ ବର୍ଷ ଧରି ବିରୋଧ ପ୍ରଦର୍ଶନ କରାଯାଉଥିଲା। ପ୍ରଧାନମନ୍ତ୍ରୀ କ୍ଲାଉଡ଼ ଜୋସେଫ ଏହି ଆକ୍ରମଣକୁ ଘୃଣ୍ୟ, ଅମାନୁଷିକ ତଥା ବର୍ବର ବୋଲି କହିଛନ୍ତି।

Comments are closed.