ସ୍କୁଲ ଫି ଛାଡ଼ ସଂପର୍କିତ ଏମଓୟୁକୁ ହାଇକୋର୍ଟରେ ଚାଲେଞ୍ଜ, ଆଇନ ଅନୁସାରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ

କଟକ: ସ୍କୁଲ ଫି’ ଛାଡ଼ ପ୍ରସଂଗରେ ହାଇକୋର୍ଟଙ୍କ ୨୦୨୧, ଜାନୁଆରି ୭ ତାରିଖର ରାୟ ପରେ ପୂର୍ବରୁ ସ୍ବାକ୍ଷରିତ ଏମଓୟୁ କାର୍ୟ୍ୟକାରୀ ନେଇ ଜାନୁଆରି ୧୯ରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରକାଶ କରିଥିବା ବିଜ୍ଞପ୍ତିକୁ ବିରୋଧ କରି ଦାୟର ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି। ଏହି ପ୍ରସଂଗରେ ଆବେଦନକାରୀ ନିର୍ଦ୍ଦିଷ୍ଟ ଭାବେ ରହିଥିବା ସମସ୍ୟା ସଂକ୍ରାନ୍ତରେ ସରକାରଙ୍କୁ ଅବଗତ କରବେ। ଦୁଇ ସପ୍ତାହ ଭିତରେ ସରକାର ଏହି ପ୍ରସଂଗରେ ଆଇନ ଅନୁସାରେ ନିଷ୍ପତ୍ତି ନେବା ସହିତ ଏ ନେଇ ଆବେଦନକାରୀଙ୍କୁ ଅବଗତ କରି‌ବେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସୋସିଏସନ୍ ଅଫ୍ ଓଡ଼ିଶା ଆଇସିଏସଇ ସ୍କୁଲ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ସ୍କୁଲ ଫି ଛାଡ ପ୍ରସଂଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗଣଶିକ୍ଷା ସଚିବଙ୍କ ମଧ୍ୟସ୍ଥତାରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଥିଲା। ଏ ସଂପର୍କିତ ରିପୋର୍ଟ ୨୦୨୦, ସେପ୍ଟେମ୍ବର ୨୯ରେ ଏହି ରିପୋର୍ଟ ଗଣଶିକ୍ଷା ବିଭାଗ ହାଇକୋର୍ଟରେ ଦାଖଲ କରିଥିଲା। ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଅନୁସାରେ ୭ଟି ସ୍ଲାବରେ ସ୍କୁଲ ଫି ଛାଡ଼ ପାଇଁ ଏମଓୟୁ ସ୍ବାକ୍ଷରିତ ହୋଇଥିଲା। ହାଇକୋର୍ଟ ଏ ସଂପର୍କିତ ମାମଲାର ଚୂଡାନ୍ତ ରାୟ ୨୦୨୧, ଜାନୁଆରି ୭ରେ ପ୍ରକାଶ କରିଥିଲେ। ଏହାପରେ ୨୦୨୧, ଜାନୁଆରି ୧୯ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରି ଏମଓୟୁ କାର୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ହାଇକୋର୍ଟରେ ଅଭିଭାବକ ମହାସଂଘ ପକ୍ଷରୁ ଆଇନଜୀବୀ ଭି.ନରସିଂହ ଓ ବିଭୁତି ଭୂଷଣ ଚୌଧୁରୀ ସ୍କୁଲ ଫି ଛାଡ ମାମଲା ପରିଚାଳନା କରୁଥିଲେ।

Comments are closed.