କରୋନା ପ୍ରଭାବିତ ପରିବାରର ଶିକ୍ଷା ଖର୍ଚ୍ଚ ବହନ କରନ୍ତୁ ସରକାର : ଏ.ଆଇ.ଏସ୍.ଏଫ

 

ଭୁବନେଶ୍ଵର : ମହାମାରୀ କରୋନା ଦେଶବାସୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । କରୋନା ପ୍ରଭାବରେ କାମ ଧନ୍ଧା ନପାଇ ଅନ୍ୟରାଜ୍ୟରେ ପେଟ ଚାଖଣ୍ଡେ ପାଇଁ ଦାଦନ ଖଟୁଥିବା ଶ୍ରମିକ ନିଜ ରାଜ୍ୟକୁ ଫେରିଆସୁଛି । କାମ ମିଳୁନଥିବା ବେଳେ ପାଖରେ ଅର୍ଥର ଅଭାବ ଥିବାରୁ ଦୁଇ ଓଳି ଖାଇବାକୁ ନପାଇ ଶ୍ରମିକମାନେ ହଜାର ହଜାର ମାଇଲ ପାଦରେ ଚାଲି ଅତିକ୍ରମ କରୁଛନ୍ତି । ଫେରିବା ବାଟରେ କିଏ ବାଟରେ ଟଳିପଡୁଛି ତ ଆଉ କିଏ ଦୁର୍ଘଟଣାରେ ପ୍ରାଣ ହରାଉଛି । କୃଷକର ମଧ୍ୟ ଚାଷଜମିରେ ଅଦିନିଆ ମେଘ ଓ କୁଆପଥର ମାଡ ଦାଉ ସାଜିଛି,ତା’ ଉପରେ ପୁଣି ଲକଡାଉନର ପ୍ରଭାବ ତାକୁ ଅସହାୟ କରିଦେଇଛି । ଲଘୁ ଓ ମଧ୍ୟମ ବ୍ୟବସାୟୀଙ୍କ ଅବସ୍ଥା ବି ସମାନ ପାଖରେ ଅର୍ଥନାହିଁ ଦି’ ଓଳି ଦି’ ମୁଠା ଖାଇ ବଞ୍ଚିବାକୁ ଓ ପରିବାର ଚଳାଇବାକୁ। ଏଭଳି ସ୍ଥଳେ ସେ ପରିବାରର ପିଲାମାନେ ଶିକ୍ଷା ଖର୍ଚ୍ଚ ବହନ କରିବା ସମ୍ଭବ ନୁହଁ । ଏଣୁ ସରକାର କରୋନା ପ୍ରଭାବିତ ହୋଇଥିବା ପରିବାରର ଶିକ୍ଷା ଖର୍ଚ୍ଚ ବହନ କରୁନ୍ତୁ ବୋଲି ଏ.ଆଇ.ଏସ୍.ଏଫ ଦାବି କରିଛି ।

ସୋମବାର ଏ.ଆଇ.ଏସ୍.ଏଫ ପକ୍ଷରୁ ଏନେଇ ରାଜ୍ୟବ୍ୟାପି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିବେକ କୃଷ୍ଣାଙ୍କ ନେତୃତ୍ଵରେ ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ପ୍ଲାକାର୍ଡ ପଦର୍ଶନ କରାଯାଇଥିଲା ।  ରାଜ୍ୟ ସରକାର କରୋନା ପ୍ରଭାବିତ ପରିବାରର ଶିକ୍ଷାଖର୍ଚ୍ଚ ବହନ କରିବା ସହ ଆସନ୍ତା ଶିକ୍ଷାବର୍ଷ ପାଇଁ ତୁରନ୍ତ କାର୍ଯ୍ୟ ସୂଚି ପ୍ରଣୟନ କରନ୍ତୁ ଏବଂ ରାଜ୍ୟରେ ଖାଲି ପଡିଥିବା ଶିକ୍ଷକ ଓ ଅଧ୍ୟାପକ ପଦବୀରେ ତୁରନ୍ତ ସ୍ଥାୟୀ ନିଯୁକ୍ତ,କ୍ୟାମ୍ପସରେ ମାଗଣା ୱାଇ-ଫାଇ ସେବା,ର-ପାଠାଗାର ସୁନିଶ୍ଚିତ କରିବା ବୋଲି ଦାବି କରାଯାଇଥିଲା ।  

ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର। ହୋଇଥିବା ବେଳେ କରୋନା ମହାମାରୀ ଆଳରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସାଧାରଣ ପିଲାଠାରୁ ଶିକ୍ଷା ଛଡାନେବାର ଚକ୍ରାନ୍ତ କରୁଛନ୍ତି ବୋଲି ଏ.ଆଇ.ଏସ୍.ଏଫ ରାଜ୍ୟ ସଭାନେତ୍ରୀ ସଘଂମିତ୍ରା ଜେନା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ରାଜ୍ୟ ସରକାର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅନ୍ଧାରରେ ରଖିଛନ୍ତି । ଖୋଦ୍ ସରକାର। ଜଣାନାହିଁ କ’ଣ ହେବ ଆଗାମୀ ଶିକ୍ଷାବର୍ଷ ।  ୨ମାସର ଲକଡାଉନ୍ ସମୟରେ ସରକାର ହୁଏତ ଆସନ୍ତା ଶିକ୍ଷାବର୍ଷର ଏକ କାର୍ଯ୍ୟସୂଚି ପ୍ରସ୍ତୁତ କରିପାରିଥା’ନ୍ତେ କିନ୍ତୁ ସରକାର ତାହା କରିପାରିଲେ ନାହିଁ । ପିଲାମାନଙ୍କର ବାକି  ରହିଥିବା ପରୀକ୍ଷା କେବେ ହେବ ତାହା ମଧ୍ୟ ବର୍ତ୍ତମାନ ଅନିଶ୍ଚିତତା ମଧ୍ୟରେ ରହିଛି ।  ସ୍କୁଲ ଓ କଲେଜକୁ କ୍ୱାରେଣ୍ଟାଇନ୍ ସେଣ୍ଟର କରାଯାଇଛି। ଏଭଳି ସ୍ଥିତିରେ କେବେ ସ୍କୁଲ୍ କଲେଜ୍ ଖୋଲିବ ତାହା ପ୍ରଶ୍ନବାଚୀ ମଧ୍ୟରେ ରହିଛି ।  ଏପରି ଅନେକ ପ୍ରଶ୍ନର ଅନ୍ଧକାର ଭିତରେ ଛାତ୍ରଛାତ୍ରୀଙ୍କୁ ଛନ୍ଦି ଦିଆଯାଇଛି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ଏଭଳି ସ୍ଥିତିରେ ସରକାର ଯଥାଶିଘ୍ର ଆଗାମୀ ଶିକ୍ଷାବର୍ଷର କାର୍ଯ୍ୟସୂଚୀ ପ୍ରଣୟନ କରିବା ସହ କରୋନା ପ୍ରଭାବରେ ପ୍ରଭାବିତ ପରିବାରର ଶିକ୍ଷା ଖର୍ଚ୍ଚ ବହନ କରିବା ପାଇଁ ସରକାର ଯଥାଶିଘ୍ର ପଦକ୍ଷେପ ନିଅନ୍ତୁ ବୋଲି ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି ।

Comments are closed.