ଦୁର୍ବୃର୍ତ୍ତଙ୍କ ଗୁଳି ମାଡ଼ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିହତ

କୋଦଳା: ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପାରିବାରିକ କଳହକୁ କେନ୍ଦ୍ରକରି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ହତ୍ୟା ଘଟଣାର ଖବର ପାଇ ଗଞ୍ଜାମ ଏସପି, ୨ ଏସଡିପିଓ, ଜଣେ ଏଏସି ଓ ୩ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି। ଅପରାଧୀଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ପୁଲିସ ଟିମ ଗଠନ କରାଯାଇଛି।

ମିଳିଥିବା ସୂଚନା ପ୍ରକାରେ କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁ ସୁମଣ୍ଡଳଛକର ଏକ ଚା’ ଦୋକାନରେ ଆଜି ସକାଳେ ଚା’ ପିଉଥିଲେ। ଚାରିଜଣ ଦୁର୍ବୃତ୍ତ ଏକ କାରରେ ଆସି ଅତି ନିକଟରୁ ତାଙ୍କ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ। ଘଟଣାସ୍ଥଳରେ ହିଁ ଦେବରାଜ ଟଳି ପଡିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବେଗୁନିଆପଡାଠାରୁ ଏକ କାର ସୁମଣ୍ଡଳ ଆସି ସାଙ୍କୁଡ଼ା ଅଭିମୁଖେ ଯାଇଥିଲା। ପୁନର୍ବାର ସେହି କାରଟି ସୁମଣ୍ଡଳ ଫେରି ଆସି ରାସ୍ତାକଡରେ ପାର୍କିଂ କରିଥିଲା। ୪ ଦୁର୍ବୃର୍ତ୍ତ ଗାଡିରେ ଥିଲେ। ଗାଡି ଭିତରେ ଚାଳକ ଓ ଅନ୍ୟ ଜଣେ ଯୁବକ ରହି ଯାଇଥିଲେ। କାର ବାହାରକୁ ୨ ଜଣ ୩ଟି ପିସ୍ତଲ ହାତରେ ଧରି ଅତର୍କିତ ଭାବେ ଆସି ଅତି ନିକଟରୁ ଦେବରାଜଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ। ଲଗାତର ଗୁଳି ଫୁଟିବା ଫଳରେ ଚା’ ଦୋକାନୀ ଭୟରେ ତଳେ ଶୋଇ ପଡ଼ିଥିଲେ। ଦେବରାଜଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଏତିକିରେ ଦୁର୍ବୃତ୍ତଙ୍କ କ୍ରୋଧ ପ୍ରଶମିତ ହୋଇ ନ ଥିଲା। ସେମାନେ ଦେବରାଜଙ୍କୁ ପାଦରେ ଦଳଚକଟା କରିଥିଲେ। ଦେବରାଜଙ୍କୁ ବଞ୍ଚାଇବାକୁ ସାହସ ଥିଲେ କିଏ ପାଖକୁ ଆସ ବୋଲି ଦୁର୍ବୃତ୍ତଦ୍ବୟ ଚିତ୍କାର କରି ବାରମ୍ବାର ବ୍ଲାଙ୍କ ଫାୟାରିଂ କରିବାରୁ ଆଖପାଖ ଲୋକେ ଭୟରେ ଛତ୍ରଭଙ୍ଗ ଦେଇଥିଲେ। ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ସୂଚନା ମୁତାବକ ସେହି ସୁମଣ୍ଡଳର ଜଣେ ବ୍ୟକ୍ତିଙ୍କ ସହ ନିହତ ଦେବରାଜଙ୍କ ପରିବାର ମଧ୍ୟରେ ଲକ୍‌ଡାଉନ ସମୟରେ କୁଆଡେ ଭୀଷଣ ଗଣ୍ଡଗୋଳ ହୋଇଥିଲା। ଏହାପରଠାରୁ ସମ୍ପୃକ୍ତ ବ୍ୟକ୍ତି ଗାଁ ଛାଡି ଚାଲି ଯାଇଥିଲେ। ଆଜି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏହି ଘଟଣା ସମୟରେ ଦେଖିବାକୁ ମିଳିଥିବା ଏକ ସୂତ୍ରରୁ ଜଣାପଡିଛି। ଦେବରାଜଙ୍କ ମୃତ୍ୟୁରେ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ଦୁର୍ବୃତ୍ତଙ୍କ ପତ୍ତା ମିଳିପାରିନି। ବ୍ୟକ୍ତିଗତ ଶତ୍ରୁତା ନା ରାଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇ ନଥିଲେ ହେଁ ଦେବରାଜଙ୍କ ପରିବାର ସହ ଅନ୍ୟ ଏକ ପରିବାର ମଧ୍ୟରେ ପୂର୍ବରୁ ଝଗଡାଝାଟି ହୋଇଥିଲା ବୋଲି ତାଙ୍କ ପରିବାର ଲୋକେ କହିଥିବାରୁ ଏହା ପାରିବାରିକ ଶତ୍ରୁତାରୁ ହୋଇଥିବା ସନ୍ଦେହ କରାଯାଉଛି।

ଦେବରାଜଙ୍କ ପରିବାର ଲୋକଙ୍କ କହିବା ପ୍ରକାରେ କିଏ ଏଭଳି କାମ କରିଛନ୍ତି ତାହା ସେମାନେ ଜାଣନ୍ତିନି। ଦୁଇ ତିନିମାସ ପୂର୍ବରୁ ଏକ ପରିବାର ସହ ଦେବରାଜଙ୍କ ପରିବାରର ଝଗଡା ହୋଇଥିଲା। ଆଇନ ଉପରେ ଭରସା ଅଛି, ଦୁର୍ବୃତ୍ତଙ୍କୁ ଗିରଫ କରାଯିବାକୁ ପରିବାର ଲୋକେ ଦାବି କରିଛନ୍ତି।

ଗୁଳିମାଡ ଖବର ପାଇ ଘଟଣାସ୍ଥଳକୁ ଗଞ୍ଜାମ ଏସପି ବ୍ରିଜେଶକୁମାର ରାୟ, ଅତିରିକ୍ତ ଏସ.ପି ଠାକୁରପ୍ରସାଦ ପାତ୍ର, ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ୱାଇଁ, ଛତ୍ରପୁର ଏସଡିପିଓ ଗୌତମ କିଷାନ, କୋଦଳା ଆଇଆଇସି ଦେବାଶିଷ ମହାନ୍ତି, ପୋଲସରା ଥାନା ଆଇଆଇସି ଜିତେନ୍ଦ୍ରକୁମାର ମଲ୍ଲିକ, ଖଲ୍ଲିକୋଟ ଆଇଆଇସି ସତ୍ୟରଞ୍ଜନ ପ୍ରଧାନ, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନ ବେହେରାଙ୍କ ସହ ଅନ୍ୟ ପୁଲିସ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଗୁଳିମାଡ଼ସ୍ଥଳରେ ପଡ଼ିଥିବା ଖୋଖାକୁ ପୁଲିସ ଜବତ କରିଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବଛାବଛା ପୁଲିସ ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଛି। ଖୁବଶୀଘ୍ର ଅପରାଧି ଧରା ପଡିବେ ବୋଲି ଏସପି ପ୍ରକାଶ କରିଛନ୍ତି।

Comments are closed.