ଦାଣ୍ଡରାସ୍ତାକୁ କେନ୍ଦ୍ରକରି ଆକ୍ରମଣ, ବାପ ପୁଅ ଆହତ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ସମସରପୁର ଗ୍ରାମରେ ଏକ ଦାଣ୍ଡରାସ୍ତାକୁ କେନ୍ଦ୍ର କରି ଗୋଟିଏ ପରିବାର ଲୋକଙ୍କ ଶାବଳ ମାଡରେ ସେହ ଗ୍ରାମର ବାପ ପୁଅ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସମସରପୁର ଗ୍ରାମର ଗଗନ ସ୍ୱାଇଁ ନିଜ ଘର ଆଗରେ ପାଚେରୀ ନିର୍ମାଣ ପାଇଁ ସରକାରୀ ଅମୀନଙ୍କ ଦ୍ୱାରା ପୁଲିସ ଉପସ୍ଥିତିରେ ମାପଚୁପ କରୁଥିଲେ। ସେହି ମାପଚୁପକୁ ଗ୍ରାମର ବେହେରା ପରିବାର ମାନିନଥିଲେ। ତେବେ ପାଚେରୀ କାମ ଆରମ୍ଭ କରିବା ସମୟରେ ବେହେରା ପରିବାରର ଲୋକମାନେ ଆସି ହଠାତ୍ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ କହିଥିଲେ। ତେବେ ଗଗନ ଓ ତାଙ୍କ ପୁଅ ଦିନବନ୍ଧୁ କାମ ବନ୍ଦ ନକରିବାରୁ ବେହେରା ପରିବାରର ଲୋକମାନେ ସେମାନଙ୍କ ଉପରେ ଶାବଳରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଗଗନ ଓ ଦିନବନ୍ଧୁଙ୍କ ମୁଣ୍ଡରେ ଗଭୀର କ୍ଷତ ହେବା ସହ ସେମାନେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଆଠଗଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ବାପା ଗଗନଙ୍କ ଅବସ୍ଥା ଗୁରୁତର ଥିବାର ଜଣାପଡିଛି। ଏ ସଂପର୍କରେ ଉଭୟ ପରିବାର ପକ୍ଷରୁ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବାବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜ୍ଞାନରଞ୍ଜନ ମିଶ୍ରଙ୍କ ସୁତ୍ରରୁ ପ୍ରକାଶ।

Comments are closed.