୩୦ଜଣଙ୍କ ଜୀବନ ବଞ୍ଚାଇଥିବା କୁକୁର ରୋସ୍‌ଲେ

ବିଶ୍ବସ୍ତ ପ୍ରାଣୀ କୁକୁର ନିଜ ମାଲିକର ଜୀବନ ବଞ୍ଚାଇବାକୁ ଯାଇ ନିଜେ ବିପଦକୁ ବରଣ କରେ। ସେମାନଙ୍କ ବିଶ୍ବସନୀୟତାର ସଂଖ୍ୟାଧିକ ଘଟଣାମାନ ଆମ ଦୃଷ୍ଟିକୁ ଆସିଛି, ବୋଧହୁଏ ସେଇଥିପାଇଁ ଅଧିକାଂଶ ଲୋକ କୁକୁରକୁ ପୋଷା ଭାବେ ରଖିବାକୁ ଆଗ୍ରହ ପ୍ରକାଶ କରନ୍ତି। ଭୃତ୍ୟର ମାଲିକ ପ୍ରତି ଥିବା ଆନୁଗତ୍ୟର ଏକ ସୁନ୍ଦର ତଥା ଶିକ୍ଷଣୀୟ ଉଦାହରଣ ହେଉଛି ୯/୧୧ ଦୁର୍ଘଟଣାର ପ୍ରତକ୍ଷଦର୍ଶୀ କୁକୁର ରୋସ୍‌ଲେ। କାଲିଫର୍ଣ୍ଣିଆ କୁକୁର ତାଲିମ କେନ୍ଦ୍ରରେ ୧୯୯୮ରେ ଏଇ ରୋସ୍‌ଲେ କୁକୁର ଜନ୍ମ ନେଇଥିଲା, ଦୃଷ୍ଟିହୀନ ଲୋକଙ୍କ ଗାଇଡ୍‌ ଭାବେ କାମ କରିବାକୁ ଏହି କେନ୍ଦ୍ରରେ ତାଲିମ ଦିଆଯାଏ। ବଡ଼ ହେବା ପରେ ରୋସ୍‌ଲେକୁ ମଧ୍ୟ ସମାନ ତାଲିମ ମିଳିଲା, ଠିକ୍ ବର୍ଷକ ପରେ ୧୯୯୯, ନଭେମ୍ବର ୨୨ରେ ରୋସ୍‌ଲେକୁ ପୋଷା କୁକୁର ଭାବେ ଗ୍ରହଣ କଲେ ଦୃଷ୍ଟିହୀନ ବ୍ୟକ୍ତି ମାଇକେଲ୍‌ ହିଙ୍ଗସନ୍। ମାସ କେଇଟାରେ ସେମାନଙ୍କ ବନ୍ଧୁତା ଜମିଗଲା, ମାଇକେଲ୍ ଯୁଆଡ଼େ ଗଲେ ସାଥିରେ ତାଙ୍କର ରୋସ୍‌ଲେ ନିଶ୍ଚିତ ଥାଏ। ୨୦୦୧, ସେପ୍ଟେମ୍ବର ୧୧ର ଘଟଣା, ସେଦିନ ୱାର୍ଲଡ ଟ୍ରେଡ୍‌ ସେଣ୍ଟରର୍‌ ଟାୱାର ୱାନ୍‌ସ୍ଥିତ କାର୍ଯ୍ୟାଳୟରେ ମାଇକେଲ୍‌ଙ୍କ ଏକ ମିଟିଂ ଥିଲା। ଯଥା ସମୟରେ ସେ କୁକୁର ରୋସ୍‌ଲେକୁ ଧରି କାର୍ଯ୍ୟାଳୟରେ ପହଞ୍ଚିବା ସହ କାମ ଆରମ୍ଭ କଲେ, ରୋସ୍‌ଲେ ତାଙ୍କ ଟେବୁଲ୍‌ ତଳେ ବସି ସବୁ ଆଡ଼କୁ ଲକ୍ଷ୍ୟ କରୁଥାଏ। ଦିନ ୧୦ଟା ୨୮ରେ ଅପହୃତ ବିମାନ ଦ୍ବାରା ଏହି ଟାୱାର୍‌ ଦୁର୍ଘଟଣା ହେଲାବେଳକୁ ଲୋକେ ଜୀବନ ବିକଳରେ ଏପାଖସେପାଖ ହୋଇ ଧାଁଧଉଡ଼ ଆରମ୍ଭ କଲେ। ମାଇକେଲ୍‌ କେବଳ ଜାଣିପାରିଲେ, ଖୁବ୍ ଜୋର୍‌ରେ ଶବ୍ଦ ହୋଇ ଦୁର୍ଘଟଣା ହେଲା। ଭୟରେ ସେ ଗୋଟାପଣ ଥରୁଥିବାବେଳେ କୁକୁର ରୋସ୍‌ଲେ ଦୌଡ଼ି ଆସି ତାଙ୍କ ପାଖେ ପହଞ୍ଚିଗଲା। ଆଉ କ୍ଷଣେ ମାତ୍ର ବିଳମ୍ବ ନ କରି ମାଲିକଙ୍କୁ ଅନୁକରଣ କରିବାର ଇଙ୍ଗିତ ଦେଇ କୁକୁର ବାଟ ଦେଖାଇ ଚାଲିଲା। ସାହସ ଜୁଟାଇ ମାଇକେଲ୍‌ କୁକୁରର ବେଲ୍ଟ ଧରି ଆଗେଇଲେ, ବୁଦ୍ଧିମାନ କୁକୁର ରୋସ୍‌ଲେ ପାହାଚ ବାଟେ ହିଁ ମାଇକେଲ୍‌ଙ୍କୁ ନେଲା। କୁକୁରର ଉପସ୍ଥିତ ବୁଦ୍ଧି ଦେଖି ମାଇକେଲ୍‌ଙ୍କ କାର୍ଯ୍ୟାଳୟର ଅନ୍ୟ କେତେଜଣ କର୍ମଚାରୀ ମଧ୍ୟ ତାଙ୍କ ପଛରେ ଗଲେ। ଟାୱାର୍‌ ପ୍ରଚଣ୍ଡ ଶବ୍ଦରେ ଭାଙ୍ଗିରୁଜି ଯାଉଥିବାବେଳେ ରୋସ୍‌ଲେ କିନ୍ତୁ ଶାନ୍ତ ଭାବେ ପାହାଚ ତଳକୁ ସାବଧାନତାର ସହ ମାଲିକଙ୍କୁ ବାଟ ଦେଖାଇ ଚାଲିଥାଏ। କିଛି ମିନିଟ୍‌ରେ ସେମାନେ ୧୪୬୩ ପାହାଚ ଅତିକ୍ରମ କରି ତଳେ ପହଞ୍ଚିଥିଲେ, ଟାୱାର୍‌ ତଳେ ପହଞ୍ଚିବାର ୨ ମିନିଟ୍ ଭିତରେ ତାହା ଧୂଳିସାତ୍ ହୋଇଥିଲା। କୁକୁରର ଏଇ ବୁଦ୍ଧିମତ୍ତା ପାଇଁ ୩୦ଜଣ ଲୋକଙ୍କ ଜୀବନ ରକ୍ଷା ହୋଇପାରିଥିଲା, ପରେ ରୋସ୍‌ଲେ୍ର ଏହି ନିର୍ଭୀକତା ପାଇଁ ସେଠା ରାଜ୍ୟସ୍ତରରେ ପୁରସ୍କାର ମିଳିଥିଲା। ୨୦୧୧ରେ ରୋସ୍‌ଲେ ବୟସାଧିକ୍ୟ ରୋଗରେ ପ୍ରାଣ ହରାଇବା ପରେ ମାଲିକ ମାଇକେଲ୍ ନିଃସଙ୍ଗ ହୋଇ ଜୀବନ ଅତିବାହିତ କରୁଛନ୍ତି। ୯/୧୧ ଦୁର୍ଘଟଣାର ବିବରଣୀରେ ରୋସ୍‌ଲେର ସାହସିକତା ସ୍ବର୍ଣ୍ଣାକ୍ଷରରେ ସୁବଦିନ ପାଇଁ ଲିପିବଦ୍ଧ ହୋଇରହିଛି।

Comments are closed.