ଉତ୍କଳ ବିଶ୍ଵବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗର ହୀରକ ଜୟନ୍ତୀ ଲୋଗୋ ଉନ୍ମୋଚିତ, ଗୌରବପୂର୍ଣ୍ଣ ଅତୀତର ସ୍ମୃତିଚାରଣ

ଭୁବନେଶ୍ୱର: ଉତ୍କଳ ବିଶ୍ଵବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗର ହୀରକ ଜୟନ୍ତୀର ଉଦଘାଟନୀ ଉତ୍ସବ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ହୀରକ ଜୟନ୍ତୀର ପ୍ରତୀକାତ୍ମକ ଚିହ୍ନ ବା ଲୋଗୋ ଉନ୍ମୋଚିତ ହୋଇଥିଲା । ହୀରକ ଜୟନ୍ତୀ ବର୍ଷ ନିମନ୍ତେ ଆୟୋଜିତ ହେବାକୁ ଥିବା ସମସ୍ତ କାର୍ୟ୍ୟକ୍ରମର ରୂପରେଖ ପ୍ରସ୍ତୁତ ହୋଇଥିଲା ।

ଉତ୍କଳ ବିଶ୍ଵବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗର ହୀରକ ଜୟନ୍ତୀ ଭବ୍ୟ ସମାରୋହକୁ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଉଦଘାଟନ କରିଥିଲେ। ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପୁରାତନ ଛାତ୍ରଛାତ୍ରୀ , ପ୍ରାଧ୍ୟାପକ ବୃନ୍ଦ , ରିସର୍ଚ୍ଚ ସ୍କଲାର୍ ଏବଂ ଭାରତ ତଥା ବିଦେଶ ସ୍ଥିତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ । ଦେଶରେ ମନସ୍ତତ୍ତ୍ୱର ପ୍ରଥମ ୟୁଜିସି ଉନ୍ନତ ଶିକ୍ଷାର କେନ୍ଦ୍ରସ୍ଥଳୀ (ୟୁଜିସି ସେଣ୍ଟର ଅଫ୍ ଆଡ଼ଭାନ୍ସଡ଼୍ ଷ୍ଟଡି) ହେବାର ସମ୍ମାନ ପାଇଥିବା ଏହି ବିଭାଗର ଗୌରବପୂର୍ଣ୍ଣ ଅତୀତ ଉପରେ ସେ ଆଲୋକପାତ କରିଥିଲେ । ସେ ଏହି ବିଭାଗରୁ ସୃଷ୍ଟ ଦେଶ ବିଦେଶରେ ଅବସ୍ଥାପିତ ଅନେକ ଅଧ୍ୟାପକ, ବିଶେଷଜ୍ଞ ମାନଙ୍କର ଅବଦାନ ସବୁର ମହତ୍ୱ ପ୍ରତିପାଦନ କରିଥିଲେ । ଏହି ବିଭାଗ ସୃଷ୍ଟ ସୁଯୋଗ୍ୟ ତଥା ଦକ୍ଷ ବ୍ୟକ୍ତିତ୍ୱ ମାନଙ୍କ ମଧ୍ୟରେ ଓଡ଼ିଶାରେ ମନସ୍ତତ୍ତ୍ୱର ପ୍ରତିଷ୍ଠାତା ତଥା ଜନକ ସ୍ବର୍ଗତ ପ୍ରଫେସର ରାଧାନାଥ ରଥ , ପ୍ରଫେସର ଜେ.ପି ଦାସ , ପ୍ରଫେସର ସରୋଜ ମିଶ୍ର , ସ୍ବର୍ଗତ ପ୍ରଫେସର ବି.ଏନ୍ ପୁହାଣ , ପ୍ରଫେସର ଅଜିତ୍ କୁମାର ମହାନ୍ତି , ପ୍ରଫେସର ଉଦୟ ନାଥ ଦାଶ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶିଷ୍ଠଙ୍କ ସମ୍ବନ୍ଧରେ ଆଲୋଚନା କରିଥିଲେ ।

 

 

ଏହି ସମାରୋହରେ କାନାଡ଼ାସ୍ଥିତ  ଜେ.ପି ଦାସ ବିକାଶାତ୍ମକ ଓ ଶିକ୍ଷାଗତ ଅକ୍ଷମତା କେନ୍ଦ୍ରର ନିର୍ଦ୍ଦେଶକ ଏବଂ ଆଲବର୍ଟା ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର ଜେ. ପି ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସେ ହେଉଛନ୍ତି ବିଶ୍ୱ ବିଖ୍ୟାତ ସଂଜ୍ଞାନାତ୍ମକ ମନୋସ୍ତତ୍ତ୍ୱବିତ୍ଏ ବଂ ଉତ୍କଳ ବିଶ୍ଵବିଦ୍ୟାଳୟ, ମନସ୍ତତ୍ତ୍ୱ ବିଭାଗର ପୂର୍ବତନ ପ୍ରାଧ୍ୟାପକ ।

ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ମଧ୍ୟ ଏହି କାର୍ୟ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ ଏବଂ ବିଭାଗର ବିକାଶ ଓ ଉନ୍ନତି ଦିଗରେ ସେ ଆଶାବାଦୀ ଥିବା ମତାମତ ଦେଇଥିଲେ । ଦେଶ ବିଦେଶରୁ ନିମନ୍ତ୍ରିତ ଅନେକ ବିଶିଷ୍ଟ ବିଶ୍ଵବିଦ୍ୟାଳୟର ପ୍ରାଧ୍ୟାପକ ବୃନ୍ଦ ଏହି ଐତିହାସିକ ସମାରୋହର ଶୋଭାବର୍ଦ୍ଧନ କରିବା ସହିତ ମନୋବିଜ୍ଞାନ କ୍ଷେତ୍ରରେ ବିଭାଗର ଅବଦାନକୁ ପ୍ରଶଂସା କରିଥିଲେ । ଏହି ସମାରୋହରେ ଉତ୍କଳ ବିଶ୍ଵବିଦ୍ୟାଳୟ ର ମନସ୍ତତ୍ତ୍ୱ ବିଭାଗ ମୁଖ୍ୟ ପ୍ରଫେସର ଭାସ୍ବତୀ ପଟ୍ଟନାୟକ ସ୍ବାଗତୋକ୍ତି ପ୍ରତିପାଦନ କରିଥିଲେ ଏବଂ ମନସ୍ତତ୍ତ୍ୱ ବିଭାଗର ଆସିଷ୍ଟାଣ୍ଟ୍ ପ୍ରଫେସର ଶ୍ରୀମତୀ ଲୁସି ସୋନାଲି ହେମ୍ବ୍ରମ୍ କୃତଜ୍ଞତା ଜ୍ଞାପନ କରିଥିଲେ ।

୫ ଅକ୍ଟୋବର ୨୦୨୧ରୁ ଉତ୍କଳ ବିଶ୍ଵବିଦ୍ୟାଳୟରେ ମନସ୍ତତ୍ତ୍ୱ ଯାତ୍ରାର ସ୍ମୃତିଚାରଣ ନିମନ୍ତେ ଏହାର ୬୦ତମ ବାର୍ଷିକ – ହୀରକ ଜୟନ୍ତୀ ବର୍ଷ ପାଳନ କରୁଛି । ୧୯୬୨ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟ, ଭୁବନେଶ୍ୱର , ଓଡ଼ିଶା ଠାରେ ସ୍ନାତକୋତ୍ତର ମନସ୍ତତ୍ତ୍ୱ ବିଭାଗ ସ୍ଥାପିତ ହୋଇଥିଲା ।

Comments are closed.