ରାଜପଥରେ ଝଲସିଲା ଦେଶର ବିବିଧ ସାଂସ୍କୃତିକ ଓ ସାମରିକ ଶକ୍ତି

ଦେଶ ଆଜି ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ଆଜି ଦିଲ୍ଲୀ ରାଜପଥଠାରେ ଭାରତୀୟ ସେନାବାହିନୀର ଶକ୍ତି, ସାଂସ୍କୃତିକ ବିବିଧତା, ସାମାଜିକ ଓ ଆର୍ଥିକ ପ୍ରଗତିର ପ୍ରଦର୍ଶନ କରାଯାଇଥିଲା। ଭାରତୀୟ ବିମାନ ବାହିନୀର ରାଫେଲ୍‍ ଯୁଦ୍ଧ ବିମାନର ପ୍ରଦର୍ଶନ କରାଯାଇଥିଲା। ଗୋଟିଏ ରାଫେଲ୍‍ ବିମାନ ସହିତ ଦୁଇଟି ଲେଖାଏଁ ଜାଗୁଆର୍‍ ଓ ମିଗ୍‍-୨୯ ଯୁଦ୍ଧ ବିମାନକୁ ନେଇ ୩୦୦ ମିଟର ଉଚ୍ଚରେ ଏକଲବ୍ୟ ଫର୍ମେସନ୍‍ ପ୍ରଦର୍ଶନ କରାଯାଇଥିଲା। ଘଣ୍ଟାପ୍ରତି ୯୦୦ କିଲୋମିଟର ବେଗରେ ରାଫେଲ୍‍ ବିମାନର ଉଡ଼ାଣ ପ୍ରଦର୍ଶିତ ହୋଇଥିଲା।

ଚଳିତ ବର୍ଷ ଏହି ଉତ୍ସବରେ ବିମାନ ବାହିନୀର ୩୮ଟି ବିମାନ ଭାଗ ନେଇଥିଲେ। ଏହି ଅବସରରେ ନିଜସ୍ୱ ଜ୍ଞାନକୌଶଳରେ ବିକଶିତ ଭାରତୀୟ ସେନାବାହିନୀର ବିଭିନ୍ନ ଟ୍ୟାଙ୍କ୍‍ ପ୍ରଦର୍ଶିତ ହୋଇଥିଲା। ୧୯୭୧ ମସିହା କରାଚି ବନ୍ଦର ଉପରେ ଭାରତୀୟ ନୌବାହିନୀ ପକ୍ଷରୁ କରାଯାଇଥିବା ଆକ୍ରମଣର କଳାକୌଶଳ ପ୍ରଦର୍ଶନ କରାଯାଇଥିଲା। କୋଭିଡ୍‍ ସଂକ୍ରମଣ ଯୋଗୁଁ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଉତ୍ସବ ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଭିନ୍ନ ରହିଥିଲା। କୋଭିଡ୍‍ ନାଇଣ୍ଟିନ୍‍ ନିୟମର ପାଳନ ସହ ଏହି ଉତ୍ସବ ଅନୁଷ୍ଠିତ ହୋଇଛି। ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍‍ ବିଜୟ ଚୌକ୍‍ରୁ ଆରମ୍ଭ ହୋଇ ନ୍ୟାସନାଲ୍‍ ଷ୍ଟାଡିୟମ୍‍ଠାରେ ଶେଷ ହୋଇଥିଲା। ଅନ୍ୟ ବର୍ଷ ଗୁଡ଼ିକରେ ପ୍ୟାରେଡ୍‍ ଲାଲ୍‍କିଲା ପର୍ଯ୍ୟନ୍ତ ଯାଇଥାଏ।

ପ୍ରତିବର୍ଷ ପ୍ୟାରେଡ ଦେଖିବା ପାଇଁ ୧ ଲକ୍ଷ ୧୫ ହଜାରରୁ ଅଧିକ ଦର୍ଶକଙ୍କୁ ଅନୁମତି ପ୍ରଦାନ କରାଯାଉଥିବାବେଳେ ଚଳିତବର୍ଷ ମାତ୍ର ୨୫ ହଜାର ଦର୍ଶକଙ୍କୁ ଅନୁମତି ଦିଆଯାଇଥିଲା। ସେହିପରି ଚଳିତବର୍ଷ କୌଣସି ବିଦେଶୀ ଅତିଥି ପ୍ୟାରେଡରେ ଯୋଗଦେଇ ନ ଥିଲେ। ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ବିଭିନ୍ନ ମନ୍ତ୍ରଣାଳୟ କିମ୍ବା ଅର୍ଦ୍ଧସାମରିକ ବାହିନୀ ୯ଟି ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ୬ଟିକୁ ମିଶାଇ ମୋଟ ୩୨ଟି ପ୍ରଜ୍ଞାପନ ମେଢ ଚଳିତବର୍ଷର ପ୍ୟାରେଡରେ ଭାଗ ନେଉଥିଲେ। ସ୍କୁଲ ଛାତ୍ରଛାତ୍ରୀମାନେ ଲୋକନୃତ୍ୟ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ।

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ୭୨ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍‍ କରି ଶ୍ରୀ ନାଇଡୁ ଦେଶବାସୀଙ୍କୁ ସ୍ୱାଧୀନତା, ସମାନତା, ଭ୍ରାତୃତ୍ୱ ଭାବ ଓ ନ୍ୟାୟ ଭଳି ଆଦର୍ଶଗୁଡ଼ିକ ପ୍ରତି ସର୍ବଦା ଆନୁଗତ୍ୟ ପ୍ରକାଶ କରିବାକୁ ଆହ୍ୱାନ କରିଛନ୍ତି। ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ସହିତ ଶାନ୍ତି, ସମତା ବଜାୟ ରଖିବା ସହ ଦେଶର ବିକାଶକୁ ଆଗେଇ ନେବା ପ୍ରତି ପ୍ରତିଶ୍ରୁତିବଦ୍ଧ ହେବାକୁ ସେ ଆହ୍ୱାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିଭଳି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।

ବ୍ରିଟେନ୍‍ର ପ୍ରଧାନମନ୍ତ୍ରୀ ବୋରିସ୍‍ ଜନ୍‍ସନ୍‍ ଭାରତର ଜନସାଧାରଣଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ସେ କହିଛନ୍ତି, ବ୍ରିଟେନ୍‍ ଭାରତ ସହିତ ମିଶି କରୋନା ଭୂତାଣୁ ମହାମାରୀରୁ ମାନବ ସମାଜକୁ ମୁକୁଳାଇବାପାଇଁ କାର୍ଯ୍ୟ କରୁଛି। ଚଳିତ ବର୍ଷ ଶ୍ରୀ ଜନ୍‍ସନ୍‍ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍‍ର ଅତିଥି ଭାବେ ଯୋଗଦେବାକୁ ଥିବାବେଳେ ବ୍ରିଟେନରେ କରୋନାର ପୁନଃ ସଂକ୍ରମଣ ଘଟଣା କାରଣରୁ ତାଙ୍କର ଗସ୍ତ ବାତିଲ୍‍ ହୋଇଥିଲା। ତେବେ ସେ ଆଉ କେତେ ମାସ ମଧ୍ୟରେ ଭାରତ ଆସିବେ ବୋଲି ତାଙ୍କ ବାର୍ତ୍ତାରେ ସୂଚନା ଦେଇଛନ୍ତି।

Comments are closed.