ଭାରତୀୟ ହକିର ଶ୍ରେଷ୍ଠ ଡିଫେଣ୍ଡର ଦିଲ୍ଲୀପ ତିର୍କୀ

ଡେସ୍କ: ହକି ଇଣ୍ଡିଆ ସଭାପତି ଭାବେ ନିର୍ବାଚିତ ଦିଲ୍ଲୀପ ଅନ୍ତର୍ଜାତୀୟ ହକି ଖେଳାଳି ଭାବେ ସୁନାମ ଅର୍ଜନ କରିଛନ୍ତି। ୧୯୯୫ରୁ ୨୦୧୦ ପର୍ଯ୍ୟନ୍ତ ସେ ତାଙ୍କ କ୍ୟାରିଅରରେ ସବୁଠାରୁ ଅଧିକ ୪୧୨ଟି ଜାତୀୟ ଓ ଆନ୍ତର୍ଜାତିକ ମ୍ୟାଚ ଖେଳିଛନ୍ତି। ୨୦୦୩ ଏସିଆନ ଗେମ୍ସରେ ଶ୍ରେଷ୍ଠ କ୍ୟାପଟେନ ଭାବେ ଦିଲ୍ଲୀପ ସ୍ୱର୍ଣ୍ଣ ପଦକ ହାସଲ କରି ଦେଶ ପାଇଁ ସଫଳତା ଆଣିଥିଲେ। ୨୦୦୪ରେ ପଦ୍ମଶ୍ରୀରେ ସମ୍ମାନିତ ଦିଲ୍ଲୀପ ୨୦୧୨ରୁ ୨୦୧୮ ଯାଏଁ ରାଜ୍ୟସଭା ସଦସ୍ୟ ରହିଥିଲେ।

୧୯୭୭ ନଭେମ୍ବର ୨୫ରେ ଜନ୍ମ ଗ୍ରହଣ କରିଥିଲେ ଦିଲ୍ଲୀପ ତିର୍କୀ। ତାଙ୍କ ପିତା ହେଉଛନ୍ତି ପୂର୍ବତନ ଓଡ଼ିଆ ହକି ଖେଳାଳି ଭିନସେଣ୍ଟ ତିର୍କୀ ଓ ମା’ ରେଜିନା ତିର୍କୀ। ଇଂଲଣ୍ଡ ବିରୋଧରେ ଦିଲ୍ଲୀପ ୧୯୯୫ରେ ତାଙ୍କ ହକି କ୍ୟାରିଅର ଆରମ୍ଭ କରିଥିଲେ। ସେ ୧୯୯୬ ଆଟଲାଣ୍ଟା ଅଲିମ୍ପିକସ, ୨୦୦୦ ସିଡନୀ ଅଲିମ୍ପିକ୍ସ ଓ ୨୦୦୪ ଆଥେନ୍ସ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ। ୨୦୧୦ ମେ’ ୨ରେ ସେ ଆନ୍ତର୍ଜାତିକ ହକିରୁ ଅବସର ନେଇଥିଲେ। ଦିଲ୍ଲୀପ ତିର୍କୀ ପଦ୍ମଶ୍ରୀ ସମ୍ମାନ ବ୍ୟତୀତ ଅର୍ଜୁନ ପୁରସ୍କାର, ଏକଲବ୍ୟ ପୁରସ୍କାର, ଓଏନଜିସି ହକି ଇୟର ବୁକ ପୁରସ୍କାର, ବିଜୁ ପଟ୍ଟନାୟକ କ୍ରୀଡ଼ାବିତ ପୁରସ୍କାର, ରିକୋ ହକି ଷ୍ଟାର ପୁରସ୍କାର ଏବଂ ସୋକେଶ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

Comments are closed.