୨୨ ବର୍ଷ ପରେ ପୁଣି ଖୋଲିବ ଅଞ୍ଜନା ଫାଇଲ

ଭୁବନେଶ୍ବର: ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ଓରଫ୍‌ ବିବେକାନନ୍ଦ ବିଶ୍ବାଳକୁ କମିସନରେଟ ପୁଲିସ ଗିରଫ କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ବହୁଚର୍ଚ୍ଚତ ଏହି ଗଣବଳାତ୍କାର ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ପୀଡ଼ିତାଙ୍କୁ ନ୍ୟାୟ ଦେବା ଲାଗି ୨୨ବର୍ଷ ପରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଠାବ କରିବା ଦ୍ବାରା ସୁପ୍ତ ପ୍ରାୟ ଏ ଘଟଣା ଲୋକଙ୍କ ମାନସପଟରେ ପୁଣି ଚେଇଁ ଉଠିଛି। କାହିଁକି ୨୨ ବର୍ଷ ପରେ ବିବନ ଫାଇଲ ଖୋଲିଲା ପୁଲିସ। କ’ଣ ଉଦ୍ଦେଶ୍ୟ ? ଏହାକୁ ନେଇ ଏବେ ସବୁ ମହଲରେ ଆଲୋଚନା ଜୋରି ଧରିଛି।

୨୦୨୦ ନଭେମ୍ବର ୧୯ରେ ନୟାସଡ଼କସ୍ଥିତ ଇଣ୍ଡିଆ ଇନ୍‌ଫୋଲାଇନ୍ ଫାଇନାନ୍ସ ଲିମିଟେଡ଼ (ଆଇଆଇଏଫ୍ଏଲ୍‌)ରୁ ୧୦ କୋଟି ଟଙ୍କା ଡକାୟତି ଘଟଣା ପରେ କମିସନରେଟ ପୁଲିସକୁ ଏକ ଶକ୍ତ ଧକ୍କା ଲାଗିଥିଲା। ଏହି ଘଟଣାରେ କୌଣସି ପୁରୁଣା ଅପରାଧୀଙ୍କ ସମ୍ପୃକ୍ତି ଥିବା ନେଇ କମିସନରେଟ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ ଏବଂ ଡିସିପି ପ୍ରତୀକ ସିଂହଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଚୌଦ୍ବାର ସର୍କଲ ଜେଲ୍‌କୁ ଯାଇ ବହୁ ପୁରୁଣା ଓ ଦୁର୍ଦାନ୍ତ ଅପରାଧୀଙ୍କୁ ପଚରାଉଚରା କରିଥିଲେ। ଆଇଆଇଏଫ୍ଏଲ୍‌ ଡକାୟତି ଘଟଣାରେ ଅଞ୍ଜନା ମିଶ୍ର ବଳାତ୍କାର ଘଟଣାରେ ଅନ୍ୟତମ ଆସାମୀ କୁନିଆ ଓରଫ୍ ଧୀରେନ୍ଦ୍ର ମହାନ୍ତିକୁ ଚୌଦ୍ବାର ଜେଲରେ ଜେରା କରାଯାଇଥିଲା। ପୁଲିସ କମିସନରଙ୍କୁ ସେ ଅଞ୍ଜନା ମିଶ୍ର ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଧୀରେନ୍ଦ୍ର କହିଥିଲା। ସେହି ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ଏପର୍ଯ୍ୟନ୍ତ ଫେରାର୍‌ ଥିଲା। ତା’ ସମ୍ପର୍କରେ କୁନିଆକୁ ପଚରାଯାଇଥିଲେ ହେଁ ସେ କିଛି କହିପାରି ନ ଥିଲା।

ଜେଲ୍‌ରୁ ଫେରିବା ପରେ ବରିଷ୍ଠ ପୁଲିସ ଅଧିକାରୀମାନେ ଏହି ଅସମାହିତ ମାମଲାର ପୁରୁଣା ଫାଇଲ୍‌କୁ ଲେଉଟାଇଥିଲେ। ବିବନ ବିଷୟରେ ଅନେକ ତଥ୍ୟ ପଦାକୁ ଆସିଥିଲା। ଏହି ଚର୍ଚ୍ଚିତ ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତକୁ ଧରିବା ଲାଗି ଆରମ୍ଭ ହୋଇଥିଲା ସୁଚନ୍ତିିତ ଯୋଜନା। ପ୍ରସ୍ତୁତ ହୋଇଥିଲା ‘ସାଇଲେଣ୍ଟ ଭାଇପର’ ଅଭିଯାନର ନକ୍ସା। କେବଳ ୪ଜଣ ଅଧିକାରୀଙ୍କୁ ନେଇ ଗଠନ ହୋଇଥିଲା ଟିମ୍‌। ୩ ମାସ ଧରି ୪ ଅଧିକାରୀ ଏହି ଘଟଣାର ତନାଘନା କରିବା ସହିତ ତଥ୍ୟ ଓ ପ୍ରମାଣ ସଂଗ୍ରହରେ ଲାଗିଥିଲେ ବୋଲି କହିଛନ୍ତି ପୁଲିସ କମିସନର ଡ. ଷଡ଼ଙ୍ଗୀ।

ମଙ୍ଗଳବାର ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଏକ ଅନୌପଚାରିକ ମତବିନିମୟ ସମୟରେ ଏହି ମାମଲାର ଅନେକ ଅକୁହା କଥା କହିଥିଲେ। ଆଜି ସିବିଆଇର ୨ଜଣ ଅଧିକାରୀ ପୁଲିସ କମିସନର ଡ. ଷଡ଼ଙ୍ଗୀଙ୍କୁ ଭେଟିଛନ୍ତି। କଲକାତା ସିବିଆଇର ଏହି ମାମଲାର ଆଇଓ(ତଦନ୍ତକାରୀ ଅଧିକାରୀ) ଚନ୍ଦ୍ରନ ଏବଂ ବରିଷ୍ଠ ଆଇନଜୀବୀ ଆଶିଷ ଜୟସ୍ବାଲ୍‌ ପୁଲିସ କମିସନରଙ୍କୁ ସାକ୍ଷାତ କରି ମାମଲା ସମ୍ପର୍କରେ ଆଲୋଚନା କରିଛନ୍ତି। କମିସନରଙ୍କୁ ଭେଟିବା ସେମାନଙ୍କର ଏକ ‌ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ସେମାନେ ଗଣମାଧ୍ୟମକୁ କହିଛନ୍ତି। ବିବନ ବିଶ୍ବାଳ ଗିରଫ ପରେ ଏହାର ଶୁଣାଣି ପୁଣି ଥରେ କୋର୍ଟରେ ଆରମ୍ଭ ହେବ। ମୁଖ୍ୟ ଅଭିଯୁକ୍ତ ବିବନକୁ ଫାଶୀ ଦେବା ଲାଗି ପୀଡିତା ଅଞ୍ଜନା ଦାବି କରିଛନ୍ତି। ଏହି ମାମଲାର ଖୁବ୍‌ଶୀଘ୍ର ଶୁଣାଣି ଆରମ୍ଭ ଲାଗି ସିବିଆଇ ଅଭିଯୋଗ ଫର୍ଦ ଦାଖଲ କରିବା ନିମନ୍ତେ ବିବନକୁ ହେପାଜତରେ ନେବ ବୋଲି କହିଛନ୍ତି ଜଣେ ବରିଷ୍ଠ ପୁଲିସ ଅଧିକାରୀ। ସିବିଆଇ ବିବନକୁ ୧୯୯୯ ଜାନୁଆରୀ ୯ ତାରିଖ ଘଟଣା ସମ୍ପର୍କରେ ପଚରାଉଚରା କରିବ। ବିବନର ଜେଲ୍‌ରେ ଟିଆଇ ପରେଡ କରାଯିବ। କୋର୍ଟରେ ଶୁଣାଣି ସମୟରେ ଅଭିଯୁକ୍ତକୁ ଚିହ୍ନଟ କରାଯିବ। ୨୨ ବର୍ଷ ପରେ ଏହି ଅଭିଯୁକ୍ତକୁ ପୀଡ଼ିତା ଅଞ୍ଜନା ମିଶ୍ର ଚିହ୍ନଟ କରିବେ।

ଅନ୍ୟପକ୍ଷରେ ବିବନ ଗିରଫ ହେବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ପତ୍ନୀ ଗୀତାଞ୍ଜଳି ବିଶ୍ବାଳ। ଦୀର୍ଘ ୨୨ ବର୍ଷ ଧରି ତାଙ୍କର ସ୍ବାମୀଙ୍କ ସହିତ କୌଣସି ସଂପର୍କ ନଥିଲା ଓ ସ୍ବାମୀ କେବେ ବି ଘରକୁ ଆସି ନଥିବା ଗୀତାଞ୍ଜଳି ଗଣମାଧ୍ୟମକୁ କହିଛନ୍ତି। ବ୍ୟାଙ୍କକୁ ବିବନ ଟଙ୍କା ପଠାଉଥିବା ନେଇ ଯେଉଁ ଖବର ପ୍ରକାଶ ପାଇଛି ତାହାକୁ ସେ ଖଣ୍ଡନ କରିଛନ୍ତି। ଏପରିକି ବିବନଙ୍କ ମୃତ୍ୟୁ ପ୍ରମାଣପତ୍ର ଯୋଗାଡ ଚାଲିଥିବା ଖବରକୁ ମଧ୍ୟ ସେ ଅସ୍ବୀକାର କରିଛନ୍ତି। ଶ୍ବଶୁର ପୂର୍ଣ୍ଣଚନ୍ଦ୍ର ବିଶ୍ବାଳଙ୍କ ମୃତ୍ୟୁ ପ୍ରମାଣପତ୍ର ହାସଲ ଲାଗି ପରିବାର ଲୋକେ ଆବେଦନ କରିଥିବା ଗୀତାଞ୍ଜଳି ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ବିବନ ଗତକାଲିଠାରୁ ଗିରଫ ହେବା ପରେ ଏହି ପ୍ରସଙ୍ଗରେ ତାଙ୍କ ବାରଙ୍ଗ ବ୍ଲକ୍‌ ଅଧୀନ ନରଣପୁର ଗାଁର ଗ୍ରାମବାସୀ ମୁହଁ ଖୋଲି ନାହାନ୍ତି। ଆଜି ବିବନଙ୍କ ଘରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ବିବନଙ୍କର ୨୯ ବର୍ଷ ଓ ୨୭ ବର୍ଷ ବୟସ୍କ ଦୁଇ ପୁଅ ଅଛନ୍ତି।

Comments are closed.