ରାଜ୍ୟସଭାରେ ବିରୋଧୀ ଦଳଙ୍କୁ କୃଷିମନ୍ତ୍ରୀଙ୍କ ଆହ୍ବାନ, କୃଷି ଆଇନରେ କ’ଣ ତ୍ରୁଟି ରହିଛି ଦେଖାଅ

ନୂଆଦିଲ୍ଲୀ: କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ନୂଆ କୃଷି ଆଇନକୁ ଦୃଢ ସମର୍ଥନ କରିଛନ୍ତି। ଶୁକ୍ରବାର ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗନେଇ ତୋମାର କହିଛନ୍ତି ଯେ କୃଷକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନୂଆ କୃଷି ଆଇନ ତିଆରି କରାଯାଇଛି। ଯଦି ଆଇନରେ କୌଣସି ଦୋଷତ୍ରୁଟି ରହିଛି ତେବେ ତାକୁ ସଂଶୋଧନ କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି। ତେବେ ଆଇନରେ କି ପ୍ରକାର ତ୍ରୁଟି ଓ କେଉଁଠି ଏହି ତ୍ରୁଟି ରହିଛି ତାକୁ ଆନ୍ଦୋଳନକାରୀ କୃଷକ କିମ୍ବା ସେମାନଙ୍କୁ ଉସୁକାଉଥିବା ବିରୋଧୀ ଦଳ ଦେଖାଇପାରୁ ନାହାନ୍ତି। ମନ୍ତ୍ରୀ ତୋମାର କହିଛନ୍ତି ଆନ୍ଦୋଳକାରୀ କୃଷକ ସଂଗଠନ ସହିତ ସରକାର ୧୧ଥର ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଆଇନରେ ଥିବା ତ୍ରୁଟିକୁ ସଂଶୋଧନ କରିବାକୁ ସରକାର ବାରମ୍ବାର ପ୍ରସ୍ତାବ ଦେଇଥିଲେ; ମାତ୍ର ଆଇନର କୌଣସି ତ୍ରୁଟିକୁ କେବେ କେହି ଦେଖାଇପାରି ନାହାନ୍ତି। ଏପରିକି ବିରୋଧୀ ଦଳଗୁଡିକ ମଧ୍ୟ ଆଇନର ତ୍ରୁଟିକୁ ଦେଖାଇପାରି ନାହାନ୍ତି। ଏବେ ମଧ୍ୟ ସରକାର ଆଇନର ସଂଶୋଧନ ପାଇଁ ପ୍ରସ୍ତୁତ। ତେଣୁ ବିରୋଧୀ ଦଳଗୁଡିକୁ ଆହ୍ବାନ ଦେଉଛି ଯେ ସେମାନେ କୃଷି ଆଇନରେ ଥିବା ତ୍ରୁଟି ମଧ୍ୟରୁ ଗୋଟିଏ ତ୍ରୁଟିକୁ ଚିହ୍ନଟ କରି ସରକାରଙ୍କୁ ଜଣାନ୍ତୁ। ବିରୋଧୀଙ୍କ ଦାବିକୁ ଖଣ୍ଡନ ପୂର୍ବକ ତୋମାର କହିଛନ୍ତି ଯେ କୃଷି ଆଇନକୁ ସାରା ଦେଶର କୃଷକ ବିରୋଧ କରୁ ନାହାନ୍ତି। କେବଳ ଗୋଟିଏ ରାଜ୍ୟର କୃଷକ ଏହି ଆଇନକୁ ବିରୋଧ କରୁଛନ୍ତି। କାରଣ ଏହି କୃଷକଙ୍କୁ ବିଭ୍ରାନ୍ତ କରାଯାଉଛି ଓ ଆନ୍ଦୋଳନ ଲାଗି ଉସୁକାଯାଉଛି।

କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ପୁସ୍ତିକାକୁ ଆକ୍ଷେପ କରି ମନ୍ତ୍ରୀ ତୋମାର କହିଛନ୍ତି ଯେ ସାରା ଦୁନିଆ ଜାଣେ ଯେ କୃ​‌ଷି ପାଇଁ ଜଳର ଆବଶ୍ୟକତା ରହିଛି। କେବଳ କଂଗ୍ରେସ ରକ୍ତରେ କୃଷି କାର୍ଯ୍ୟ କରିଥାଏ। ବିଜେପି ଏହା କରିପାରିବ ନାହିଁ। କୃଷି ଆଇନ ଏବେ ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଥିବା ନେଇ ମନ୍ତ୍ରୀ ତୋମାର ସ୍ବୀକାର କରିଛନ୍ତି। ବିରୋଧୀ ଦଳ ଏହାକୁ କଳା ଆଇନ ବୋଲି କହି ସରକାରଙ୍କୁ ସମାଲୋଚନା କରୁଛି। ତେବେ ଏହି ଆଇନରେ କ’ଣ କଳା ରହିଛି ତାହା ଦେଖାଇବାକୁ ସେ ଦୁଇମାସ ହେଲା କୃଷକ ସଂଗଠନଗୁଡିକୁ କହୁଛନ୍ତି; ମାତ୍ର ଏହାର ଉତ୍ତର ମିଳିପାରୁ ନାହିଁ। ଏପରିକି ବିରୋଧୀ ଦଳଗୁଡିକ ମଧ୍ୟ ଆଇନର କଳା ଅଂଶକୁ ଚିହ୍ନଟ କରିପାରୁ ନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ସରକାର କୃଷକଙ୍କ ହିତ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ। କୃଷକଙ୍କ ଆୟ ଦ୍ବିଗୁଣିତ କରିବା ପୂର୍ବକ ଜିଡିପିରେ କୃଷିର ଅବଦାନକୁ ବଢାଇବା ଲାଗି ସରକାର ଉଦ୍ୟମ ଚଳାଇଛନ୍ତି। ନୂଆ କୃ​‌ଷି ଆଇନ ଏହି ଲକ୍ଷ୍ୟକୁ ଦୃଷ୍ଟିରେ ରଖି କରାଯାଇଛି। କୃଷକଙ୍କ ଶସ୍ୟକୁ ମଣ୍ଡିରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ କ୍ରୟ କରିବା ପ୍ରକ୍ରିୟା ପୂର୍ବପରି ଜାରି ରହିବ। ନୂଆ ଆଇନରେ କୃଷକମାନେ ସେମାନଙ୍କ ଶସ୍ୟକୁ ମଣ୍ଡି ସହିତ ବାହାରେ ବିକ୍ରି କରିବାର ସୁବିଧା କରାଯାଇଛି। ରାଜ୍ୟ ସରକାରଙ୍କ ଅଧୀନରେ ପଞ୍ଜିକୃତ ବଜାରରେ କୃଷକମାନେ ସେମାନଙ୍କ ଶସ୍ୟ ବିକ୍ରି କରିପାରିବେ। ମଣ୍ଡି ବାହାରେ ବିକ୍ରି ଶସ୍ୟ ଉପରେ ମଧ୍ୟ କୌଣସି ଟିକସ ବ୍ୟବସ୍ଥା ରହିବ ନାହିଁ।

ବିରୋଧୀ ଶିରୋମଣି ଅକାଳି ଦଳ ସଦସ୍ୟ ସୁଖଦେବ ସିଂହ ଧିଣ୍ଡସା କହିଥିଲେ ଯେ ଲକ୍ଷାଧିକ କୃଷକ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଛନ୍ତି। ସେମାନଙ୍କ ଦାବିକୁ ସରକାର ପୂରଣ ପୂର୍ବକ ନ୍ୟାୟ ଦେବା ଦରକାର। ଏହା ସହିତ ଜାନୁଆରୀ ୨୬ ତାରିଖ ହିଂସା ଘଟଣାର ତଦନ୍ତ କରାଯାଇ ଷଡଯନ୍ତ୍ରକାରୀଙ୍କୁ ଦଣ୍ଡିତ କରାଯାଉ। ଏହି ହିଂସା ପାଇଁ କୃଷକଙ୍କୁ ଦାୟୀ କରାଯିବା ଠିକ୍ ନୁହେଁ। କଂଗ୍ରେସ ସଦସ୍ୟ ଆନନ୍ଦ ଶର୍ମା ମଧ୍ୟ ଲାଲକିଲା ହିଂସାର ସବିଶେଷ ତଦନ୍ତ ପାଇଁ ଦାବି କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଅଭିଭାଷଣରେ କୃଷି ଆଇନକୁ ପ୍ରଶଂସା କରିଥିବାରୁ ଶର୍ମା ତାଙ୍କୁ ସମାଲୋଚନା କରିଛନ୍ତି। ବିଏସପି ସଦସ୍ୟ ସତୀଶ ମିଶ୍ରା କହିଥିଲେ ଯେ ଆନ୍ଦୋଳକାରୀ କୃଷକଙ୍କୁ ପାଣି ଓ ବିଦ୍ୟୁତ ଯୋଗାଣ ବନ୍ଦ କରିଦେବା ମାନବାଧିକାର ଉଲ୍ଲଙ୍ଘନ। ସରକାର ନିଜର ଅହଂକାର ଛାଡି କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ଶିବସେନା ସଦସ୍ୟ ସଞ୍ଜୟ ରାଉତ କହିଥିଲେ ଯେ ସରକାର କାହିଁକି ଲାଲକିଲା ହିଂସାର ଦୋଷୀଙ୍କୁ ଚିହ୍ନଟ କରୁନାହାନ୍ତି। ହିଂସା ପାଇଁ ୨୦୦ରୁ ଅଧିକ କୃଷକଙ୍କୁ ଅଟକ ରଖାଯାଇଛି। ଅନେକ ଯୁବ ଆନ୍ଦୋଳନକାରୀ ନିଖୋଜ ହୋଇଯାଇଛନ୍ତି।

ଅନ୍ୟପଟେ ଲୋକସଭାର ପ୍ରଶ୍ନ ଉତ୍ତର କାଳରେ କୃଷି ଆଇନ ପ୍ରତ୍ୟାହାର ଦାବିରେ ବିରୋଧୀ ଦଳଗୁଡିକର ନାରାବାଜି ଯୋଗୁଁ ଗୃହକୁ ଦୁଇଥର ମୁଲତବୀ ରଖାଯାଇଥିଲା। ଅପରାହ୍ଣ ୪ଟାରେ ଆରମ୍ଭ ହୋଇଥିବା ଗୃହର ଅଧିବେଶନ ସମୟରେ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ଶୁକ୍ରବାର ସଂସଦ ପ୍ରଥମ ପର୍ଯ୍ୟାୟ ବଜେଟ୍‌ ଅଧିବେଶନର ୬ଷ୍ଠ ଦିନ ଥିଲା।

Comments are closed.