୨୦୭୦ ସୁଦ୍ଧା ବନ୍ଦ ହୋଇଯିବ କୋଇଲା ଖଣି

ପ୍ରଦୂଷଣ ବଢାଉଛି ତାପଜ ବିଦ୍ୟୁତ୍‌ କେନ୍ଦ୍ର

ଭୁବନେଶ୍ୱର : ବିଶ୍ୱ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏବେ ପ୍ରକୃତି ପରିବର୍ତ୍ତନ ହେଉଛି। ଅଦିନେ ବର୍ଷା ଓ ଅସମୟରେ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସୁଛି। ଗ୍ରୀଷ୍ମରେ ଅହେତୁକ ଭାବେ ତାପମାତ୍ରା ବୃଦ୍ଧି ପାଉଛି। ବର୍ଷା ଋତୁରେ କମ ସମୟରେ ଅଧିକ ବର୍ଷା, ଶ୍ରାବଣ ଓ ଭାଦ୍ରବରେ ମାଟି ଫାଟିବା, ଶୀତ ଋତୁରେ କେଉଁ ବର୍ଷ କମ ଶୀତ ତ ଆଉ କେଉଁ ବର୍ଷ ଅତ୍ୟଧିକ ଶୀତ ହେଉଛି। ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜଙ୍ଗଲ ଧ୍ୱଂସ ଏବଂ ପରିବେଶ ପ୍ରଦୂଷିତ ହେଉଛି। ୨୦୭୦ ସୁଦ୍ଧା ୧.୫ ଡିଗ୍ରୀ ସେଲସିୟସ ତାପମାତ୍ରା ବୃଦ୍ଧିପାଇବ ବୋଲି ବୈଜ୍ଞାନିକ ଓ ପାଣିପାଗ ବିଶେଷଜ୍ଞ ଆକଳନ କଲେଣି। ତାପମାତ୍ରା ବୃଦ୍ଧି ପାଇଁ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ର ଗୁଡିକ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି। ତାପଜ ବିଦ୍ୟୁତ କେନ୍ଦ୍ରରୁ ନିର୍ଗତ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଅଧିକ ଉତ୍ତାପ ଏବଂ ପ୍ରଦୂଷିତ କରୁଛି। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ କମ୍‌ କରିବା ନିମନ୍ତେ ୨୦୭୦ ବେଳକୁ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ର ଗୁଡିକୁ ବନ୍ଦ କରିବା ନିମନ୍ତେ ବିଶ୍ବ ସମୁଦାୟ ଶିଖର ସମ୍ମିଳନୀରେ ନିଷ୍ପତ୍ତି ନେଇଥିଲେ। ଏହି କ୍ରମରେ କୋଇଲା ଖଣି ଏବଂ ତାପଜ ବିଦ୍ୟୁତ କେନ୍ଦ୍ର ଗୁଡିକୁ ବନ୍ଦ କରିବାକୁ ଏବେଠାରୁ କାର୍ଯ୍ୟକ୍ରମ ହାତକୁ ନିଆଗଲାଣି।
କୋଇଲା ଖଣି ଏବଂ ତାପଜ ବିଦ୍ୟୁତ କେନ୍ଦ୍ର ଗୁଡିକୁ ବନ୍ଦ କରିବାକୁ ହେଲେ ଆମକୁ ଅକ୍ଷୟ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଯାହା ଦେଖାଯାଉଛି ଓଡ଼ିଶାରେ ଅକ୍ଷୟ ଶକ୍ତି ଉତ୍ପାଦନରେ ଯଥେଷ୍ଟ ଅଗ୍ରଗତି ଆସିପାରି ନାହିଁ। ପ୍ରତି ଘରକୁ ଅକ୍ଷୟ ଶକ୍ତି କ୍ଷେତ୍ରରୁ ବିଦ୍ୟୁତ ଉତ୍ପାଦନ ସମ୍ଭବ ହୋଇ ପାରିଲେ କୋଇଲା ଖଣି ଓ ତାପଜ ବିଦ୍ୟୁତ୍‌‌ କେନ୍ଦ୍ର ବନ୍ଦ କରିବା ସମ୍ଭବ ହୋଇ ପାରିବ। ରାଜ୍ୟରେ ୨୦୧୬ରୁ ଅକ୍ଷୟ ଶକ୍ତି ନୀତି ଆରମ୍ଭ ହୋଇଛି। ୨୦୨୨ ସୁଦ୍ଧା ୨୭୫୦ ମେଗାୱାଟ ବିଦ୍ୟୁତ ଅକ୍ଷୟ ଶକ୍ତି କ୍ଷେତ୍ରରୁ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଲକ୍ଷ୍ୟଧାର୍ଯ୍ୟରୁ ମାତ୍ର ୨୫% ଅର୍ଥାତ ୬୧୭ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରାଯାଇ ପାରିଛି। ଏବେ ବି ଓଡ଼ିଶାକୁ ଶକ୍ତି କ୍ଷେତ୍ରରେ ମୁଖ୍ୟତଃ କୋଇଲା ଉପରେ ହଁ ନିର୍ଭର କରିବାକୁ ପଡୁଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମାବଳୀ ଅନୁଯାୟୀ, ରିନ୍ୟୁଏବୁଲ ପ୍ରପୋଜ ଓବ୍ଲିଗେସନ(ଆରପିଓ) ପୂରଣ ଲାଗି ରାଜ୍ୟ ବାହାର ରାଜ୍ୟରୁ ଅକ୍ଷୟ ଶକ୍ତି ଯଥା ସୋଲାର ଓ ପବନ ଶକ୍ତି ଆମଦାନୀ କରିବାକୁ ପଡୁଛି। ଓଡ଼ିଶାର ନିରନ୍ତର ବିକାଶ ପାଇଁ ଓ ଜଳବାୟୁ ପରିବର୍ତ୍ତନ ମୁକାବିଲା ଲାଗି ଅଧିକ ଅକ୍ଷୟ ଶକ୍ତିର ଆବଶ୍ୟକତା ରହିଛି। ଆର୍ଥିକ ବର୍ଷ ୨୦୨୨-୨୩ରେ ଆରପିଓ ଲକ୍ଷ୍ୟ ୧୧.୫% ଥିବାବେଳେ ୨୦୨୯-୩୦ ସୁଦ୍ଧା ୪୩.୩୩% ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହାରି ଭିତରେ ଯଦି ଓଡ଼ିଶା ନିଜ ଲକ୍ଷ୍ୟ ହାସଲ ନକରିବ ତେବେ ବାହାର ରାଜ୍ୟରୁ ବିଦ୍ୟୁତ ଶକ୍ତି କିଣିବାକୁ ରାଜ୍ୟ ବାଧ୍ୟ ହେବ। ୨୦୩୦ ସୁଦ୍ଧା ୩୦ ମେଗାୱାଟ ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ ନୂତନ ଅକ୍ଷୟ ଶକ୍ତି ନୀତିକୁ ଗୁରୁତ୍ୱ ଦେବାକୁ ପଡିବ।
ଅନୁଗୋଳ ଏନଟିପିସିରେ କୋଇଲାରୁ ତାପଜ ବିଦ୍ୟୁତ୍‌‌ ଶକ୍ତି ଉତ୍ପାଦନ କରାଯାଉଛି। ଅନୁଗୋଳରେ ଦେଶର ୧୨% ତଥା ରାଜ୍ୟର ୫୬ % କୋଇଲା ଉତ୍ପାଦନ ହେଉଛି। ଏହି ସମସ୍ତ ଶିଳ୍ପ ଓ ଖଣି ଜିଲାର ସମୁଦାୟ ଜିଡିପି ୬୧%। ଆଗାମୀ ୧୦ବର୍ଷରେ ଜିଲାରେ ୩ଗୁଣ ଅର୍ଥାତ ୨୦୩୩ ସୁଦ୍ଧା ୩୦୦ ଏମଏମଟି କୋଇଲା ଉତ୍ପାଦନ ହେବାକୁ ଥିବାବେଳେ ବର୍ତ୍ତମାନ କୋଇଲା ଓ ଆନୁଷଙ୍ଗିକ ଶିଳ୍ପରେ ୧.୬୮ ଲକ୍ଷ ଲୋକ ନିଯୁକ୍ତ। ଏହାମଧ୍ୟରୁ ୬୯% ଇନଫର୍ମାଲ। ୨୦୪୦ରୁ ଜିଲାରେ କୋଇଲା ଖଣି ବନ୍ଦ ହେବା ପ୍ରକ୍ରିୟା ଆରମ୍ଭ କରିବ। କୋଇଲା ଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ର ଗୁଡିକ ୨୦୨୫ପରଠାରୁ ବନ୍ଦ ହେବା ଆରମ୍ଭ କରିବାକୁ ଥିବାବେଳେ ୨୦୭୦ ସୁଦ୍ଧା ସମସ୍ତ ଖଣିରୁ କୋଇଲା ଉତ୍ତୋଳନ ଏବଂ ଏନଟିପିସି ବନ୍ଦ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଖଣି ଓ ପାୱାର ପ୍ଲାଣ୍ଟ ବନ୍ଦ ଯୋଗୁଁ ଆଗାମୀ ୩ରୁ ୪ ଦଶନ୍ଧିରେ ୩୩ ହଜାର ହେକ୍ଟର ଜମି ମିଳିବ। ଏହାକୁ ପରିବେଶ ଓ ସବୁଜ ନୀତି ପାଇଁ ବିନିଯୋଗ କରାଯାଇ ପାରିବ।
ଆଇଏମଏମଟି ପ୍ରାକ୍ତନ ମୁଖ୍ୟ ବୈଜ୍ଞାନିକ ଡ. ସୁରେନ୍ଦ୍ର କୁମାର ବିଶ୍ବାଳ କହିଛନ୍ତି, ଶକ୍ତି ମନ୍ତ୍ରାଳୟ ତଥ୍ୟ କହୁଛି, ଦେଶ ପାଇଁ ବାର୍ଷିକ ଯେତିକି ବିଦ୍ୟୁତ୍‌ ଶକ୍ତି ଆବଶ୍ୟକ ତା’ର ୭୦% କେବଳ ଥର୍ମାଲ ପାୱାର ପ୍ଲାଣ୍ଟରୁ ଆସୁଛି। ୨୦% ଜଳ ଏବଂ ୧୦ % ରିନ୍ୟୁଏବୁଲ ଉପରେ ନିର୍ଭର କରିବାକୁ ପଡୁଛି। ପ୍ରତିବର୍ଷ ୫ % ବିଦ୍ୟୁତ ବ୍ୟବହାର ଦେଶ ଓ ରାଜ୍ୟରେ ପଡୁଛି। ଭାରତ ଥର୍ମାଲ ପାୱାର ପ୍ଲାଣ୍ଟକୁ ଛାଡି ଦେଲେ ଆବଶ୍ୟକ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ଅସମ୍ଭବ। କୋଇଲା ଖଣି ଓ ଏନଟିପିସି ବନ୍ଦ ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ସମ୍ଭବ ନୁହେଁ। ତେଣୁ ଭାରତ ସରକାର ଚିନ୍ତା କରୁଛନ୍ତି, କୋଇଲାକୁ ଗ୍ୟାସିଓଫିକେସନ କରି ବିଦ୍ୟୁତ୍‌ ଶକ୍ତି ବାହାର କରାଯିବ। ଫଳରେ ୫୦ରୁ ୬୦% ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ପ୍ରବେଶ କରିବ ନାହିଁ।

Comments are closed.