ଜଙ୍ଗଲି ରାସ୍ତାରେ କାର ସହ ଅଟୋର ମୁହାଁମୁହିଁ ଧକ୍କା, ଜଙ୍ଗଲରେ ଲାଗିଥିବା ଜଳନ୍ତା ନିଆଁକୁ ଛିଟିକି ପଡ଼ିଲେ ଜଣେ ୧୫ବର୍ଷିଆ ବାଳିକା

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ନିକଟ ଜୁଆଳିକଟା- ତାଳପଦା ପ୍ରଧାନମନ୍ତ୍ରୀ ରାସ୍ତାର ଖେଜୁରିଆ ଜଙ୍ଗଲ ନିକଟରେ ରବିବାର ଦିନ ପ୍ରାୟ ୧ ଟା ସମୟରେ ଏକ ଯାତ୍ରୀବାହୀ ଅଟୋ ସହିତ ଏକ କାର ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଅଟୋରେ ବସିଥିବା ଜଣେ ୧୫ ବର୍ଷିଆ ବାଳିକା ଛିଟିକି ପଡ଼ି ଜଙ୍ଗଲରେ ଜଳୁଥିବା ଜଳନ୍ତା ନିଆଁରେ ପଡ଼ିଯାଇଥିଲେ। ତାଙ୍କର ହାତ, ଗୋଡ଼ ଓ ପିଠି ପୋଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜଳନ୍ତା ନିଆଁରୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଯାଇଥିଲା। ଅଟୋ ଓ କାର୍‌ ଦୁର୍ଘଟଣାରେ ୪ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ଗୁରୁତର ଥିବା ଜଣାପଡ଼ିଛି। ସମସ୍ତଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।


ମିଳିଥିବା ସୂଚନା ଅନୁଯାୟୀ ଆଜି ଜୁଆଳିକଟା- ତାଳପଦା ରାସ୍ତାର ଖେଜୁରିଆ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ଜଳୁଥିବା ବେଳେ ପବନ ଯୋଗୁଁ ନିଆଁରୁ ବାହାରି ଧୂଆଁ ଚାରି ଆଡ଼େ ଖେଳି ଯାଇଥିଲା। ଏହି ସମୟରେ ରାଇପଦା ଗ୍ରାମରୁ ଏକ ଅଟୋ ନମ୍ବର ଓଡ଼ି ୦୧ କେ ୬୧୫୨ ଯୋଗେ ୩ ଜଣ ଯାତ୍ରୀ ଠାକୁରମୁଣ୍ଡା ବଜାରକୁ ଯାଉଥିଲେ। ବିପରୀତ ଦିଗରୁ ଠାକୁରମୁଣ୍ଡାରୁ ଜଣେ ବ୍ୟବସାୟୀ ନିଜ କାର ଯୋଗେ ସେହି ରାସ୍ତାରେ ଆସୁଥିଲେ। ଜଙ୍ଗଲରେ ଲାଗିଥିବା ନିଆଁରୁ ବାହାରିଥିବା ଧୂଆଁରେ ଉଭୟ ଚାଳକଙ୍କୁ ରାସ୍ତା ଦେଖାଯାଇ ନଥିଲା। ଫଳରେ ଅଟୋ ସହିତ କାର୍‌ର ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଅଟୋରେ ବସିଥିବା ଜଣେ ବାଳିକା ସମ୍ମିତା ନାଏକ (୧୫) ଛିଟିକି ଯାଇ ଜଙ୍ଗଲରେ ଲାଗିଥିବା ନିଆଁରେ ପଡ଼ି ଯାଇଥିଲେ। ଫଳରେ ବାଳିକା ଜଣକଙ୍କ ହାତ, ଗୋଡ ଓ ପିଠି ପୋଡିହୋଇ ଯାଇଥିଲା। ସେହିପରି ସୁମତି ମହାରଣା (୨୫) ଓ ପିଣ୍ଡୁ ମହାରଣା (୫) ଶିଶୁଙ୍କ ଅବସ୍ଥା ଗୁରୁତର ଥିବା ବେଳେ କାର ଚାଳକ ମମତାଜ ଅଲ୍ଲୀ ଆହତ ହୋଇଛନ୍ତି।
ଖବର ପାଇ ଘଟଣା ସ୍ଥଳକୁ ଠାକୁରମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଉଭୟ ଗାଡିକୁ ଜବତ କରିଥିଲେ। ପୁଲିସ ପକ୍ଷରୁ ଗୁରୁତରଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ପଠାଇବା ପରେ ଅଧିକ ତଦନ୍ତ ଜାରି ରଖିଛି।

Comments are closed.