ନବବଧୁ ହତ୍ୟା ଅଭିଯୋଗ, କାରଣ ଅସ୍ପଷ୍ଟ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଗୌଡିଆବାହାଳି ଗ୍ରାମରେ ଅଘଟଣ। ବାହାଘରର ୧୩ ଦିନ ପରେ ନବବଧୁର ଆତ୍ମହତ୍ୟା। ଗତକାଲି ବିଳମ୍ବିତ ରାତିରେ କୌଣସି କାରଣ ଯୋଗୁ ଜଣେ ନବବିବାହିତା ବୋହୁ ନିଜ ବାଡିରେ ଥିବା ଏକ ନିମ୍ବ ଗଛରେ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ତେବେ ଆତ୍ମହତ୍ୟାର କାରଣ ଜଣା ପଡିନଥିଲା ବେଳେ ଘଟଣା ସ୍ଥଳକୁ ମହୁଲଡିହା ପୋଲିସ ପହଂଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଜବତ କରି ଅଧିକ ତଦନ୍ତ କରୁଛି। ଏଇ ଘଟଣାକୁ ନେଇ ମହୁଲଡିହା ଥାନା କେଶ ନଂ ୧୧/୨୦୨୦ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛି। ଉକ୍ତ ଗ୍ରାମର ଦୁଲାରାମ ମାଝୀ (୨୮ ) ନାମକ ଜଣେ ଯୁବକ ୧୩ ଦିନ ପୂର୍ବରୁ ଯାଜପୁର ଜିଲ୍ଲା ଡୁବୁରୀ ଥାନା ହାତୀମରା ଗ୍ରାମରୁ ପିଙ୍କି ସୋରେନ ନାମ୍ନୀ ଯୁବତୀକୁ ବିବାହ କରିଥିଲେ। ହେଲେ ଗତକାଲି ବିଳମ୍ବିତ ରାତିରେ ସମ୍ପୃକ୍ତ ମହିଳା କେଉଁ କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ଜଣା ପଡିନି।

Comments are closed.