ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସ୍ଥାପନ ପାଇଁ ଗ୍ରାମସଭାରେ ଜମି ଅଧିଗ୍ରହଣକୁ ବିରୋଧ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘୁଳୁଘୁଳିଆ ଗ୍ରାମ ଠାରେ ପ୍ରସ୍ତାବିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସ୍ଥାପନ ନିମନ୍ତେ ଆବଶ୍ୟକ ଜମି ଅଧିଗ୍ରହଣ କରାଯିବାକୁ ଆଜି ଶୁକ୍ରବାର ହୋଇଥିବା ଗ୍ରାମସଭା ଶେଷରେ ଭଣ୍ଡୁର ହୋଇଛି। ଯାହା ଫଳରେ ଗ୍ରାମ ସଭାରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ।

 

ପ୍ରକାଶ ଯେ ଠାକୁରମୁଣ୍ଡା- ଆନନ୍ଦପୁର ମୁଖ୍ୟ ରାସ୍ତା କଡରେ ରହିଥିବା ସାତକୋଶିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘୁଲୁଘୁଳିଆ ଠାରେ ପ୍ରସ୍ତାବିତ ଏହି ବିଦ୍ୟାଳୟ ନିମନ୍ତେ ଜମି ଅଧିଗ୍ରହଣ କରାଯିବାକୁ ଗ୍ରାମସଭା ଡକାଯାଇଥିଲା। ଠାକୁରମୁଣ୍ଡା ବିଡ଼ିଓ ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୫୯୧ ଓ ତହସିଲଦାରଙ୍କ ପତ୍ର ସଂଖ୍ୟା ୧୮୬୨ ଅନୁଯାୟୀ ସାତକୋଶିଆ ପଞ୍ଚାୟତ ପକ୍ଷରୁ ଶୁକ୍ରବାର ଦିନ ଗ୍ରାମରେ ଗ୍ରାମସଭା ପାଈଁ ଗତ ୨୬ ତାରିଖ ଦିନ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଥିଲା। ଗ୍ରାମସଭା ହେବା ସ୍ଥାନରେ ଟେଣ୍ଟ ମଧ୍ୟ ମରାଯାଇଥିଲା।ସାତକୋଶିଆ ସରପଞ୍ଚ ପୁଷ୍ପିତା ସୋରେନଙ୍କ ସଭାପତିତ୍ୱରେ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ସୁଶାନ୍ତ କୁମାର ସାହୁ, ସାତକୋଶିଆ ରେଞ୍ଜର ପିତାମ୍ବର ସେଠୀ, ଆର ଆଈ ସୁରେଶ ବେହେରା, ପୂର୍ବତନ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ବ୍ଲକ ଉପାଧ୍ୟକ୍ଷା ସୁଶ୍ରୀ ଜବମଣି ଟୁଡୁ, ସ୍ଥାନୀୟ ସମିତି ସଭ୍ୟ ରଞ୍ଜନ କୁମାର ମହାନ୍ତ, ମହୁଲଡିହା ସରପଞ୍ଚ ମନରଞ୍ଜନ କାଣ୍ଡିୟାଙ୍ଗ, ଫରେଷ୍ଟ ବିଶ୍ବଜିତ ମହାନ୍ତ ଓ ସାତକୋଶିଆ ଏବଂ ମହୁଲଡିହା ପଞ୍ଚାୟତର ସମସ୍ତ କର୍ମଚାରୀ ସ୍ଥାନୀୟ ଔର୍ଡ ସଭ୍ୟ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଘୁଳୁଘୁଳିଆ ଗ୍ରାମର ଖାତା ନମ୍ବର ୨୦୧,୨୦୪,୨୨୭୧,୨୨୭୨ ରେ ଥିବା ଜଙ୍ଗଲ ଓ ଡାହି କିସମ ଜମିକୁ ବିଦ୍ୟାଳୟ ସ୍ଥାପନ ନିମନ୍ତେ ଦେବା ସମ୍ପର୍କରେ ଆଲୋଚନା କରାଯାଇଥିଲା। କିନ୍ତୁ ଗ୍ରାମସଭାରେ ଲଙ୍ଗଳକଟା ସାହିର ଶତାଧିକ ମହିଳା ଓ ପୁରୁଷମାନେ ଏହି ଜମି ଅଧିଗ୍ରହଣ କୁ ବିରୋଧ କରି ଉତ୍ତେଜିତ ହୋଇଯାଇଥିଲେ। ସଭାରେ ବିରୋଧ କରୁଥିବା ଏହି ଲୋକମାନେ ଅଭିଯୋଗ କରିଥିଲେ ଯେ ଜମି ଅଧିଗ୍ରହଣ ହେବାକୁ ଥିବା ଏହି ପ୍ଲଟରେ ବାପା ଜେଜେ ଅମଳରୁ ଘର କରି ଆମେ ରହି ଆସିଛନ୍ତି ତେଣୁ ଆମେ ଏ ଜମି ଛାଡିବୁ ନାହିଁ। ପ୍ରାୟ ୧୫/୨୦ ଟି ପରିବାର ଦୀର୍ଘ ବର୍ଷ ଧରି ରହି ଆସୁଥିବା ବେଳେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ନଳକୂପ, ପକ୍କା ରାସ୍ତା, ବିଜୁଳି ଯୋଗାଇ ଦିଆଯାଇଛି। ଏଣୁ ସେମାନେ ସେଠାରୁ ହଟିବାକୁ ବିରୋଧ କରିଛନ୍ତି। ଗ୍ରାମ ସଭାରେ ପ୍ରସ୍ତାବିତ ସ୍ଥାନରେ ଘରକରି ରହିଥିବା ଲୋକଙ୍କ ବିରୋଧ ପରେ ଗ୍ରାମସଭାରେ କୌଣସି ନିଷ୍ପତ୍ତି ହୋଈ ପାରିନଥିଲା। ଏ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଆସି ଗ୍ରାମସଭାରେ ଯୋଗ ଦେଇଥିବା ସମାଜ ମଙ୍ଗଳ ଅଧିକାରୀ ହୋଇଥିବା ଗ୍ରାମସଭାର ରିପୋର୍ଟ ବିଡ଼ିଓଙ୍କୁ ଦେବେ ବୋଲି କହିଛନ୍ତି।

Comments are closed.