ଦାମୋଦର ମେଳାରେ ୫୦ ହଜାରରୁ ଉର୍ଦ୍ଦ୍ବ ଶ୍ରଦ୍ଧାଳୁଙ୍କ ସମାବେଶ 

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ପର୍ୟ୍ୟଟନ ସ୍ଥଳୀ ଭୀମକୁଣ୍ଡ ନିକଟରେ ଥିବା ପ୍ରବିତ୍ର ବୈତରଣୀ ନଦୀର ସ୍ବତୀ ଘାଟରେ ସୋମବାର ଦିନ ସାନ୍ତାଳ ସମ୍ପ୍ରଦାୟର ଦାମୋଦର ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ପ୍ରାୟ ୫୦ହଜାରରୁ ଉର୍ଦ୍ଧ୍ଵ ସାନ୍ତାଳ ସମ୍ପ୍ରଦାୟର ଲୋକେ ଉପସ୍ଥିତ ରହି ନିଜନିଜ ପରିବାରରେ ମୃତ ସଦସ୍ୟଙ୍କ ଅସ୍ଥିକୁ ବିସର୍ଜନ କରିଥିଲେ। ସାମୁହିକ ଏହି ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମରେ ମୋଟ ୫୧୪ଟି ଅସ୍ଥି ବିସର୍ଜନ ହୋଇଥିବାର ଜଣା ପଡ଼ିଛି।

ମେଳାରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ  ସମେତ ଝାରଖଣ୍ଡ ଆଦି ସ୍ଥାନରୁ ଲୋକମାନେ ଆସି ମେଳାରେ ଯୋଗ ଦେଇ ଅସ୍ଥି ବିସର୍ଜନ କରିଥିଲେ। ଅସ୍ଥି ବିସର୍ଜନ କରିବାକୁ ଆସିଥିବା ସାନ୍ତାଳ ସମ୍ପ୍ରଦାୟର ଏହି ଲୋକ ମାନେ ବିଭିନ୍ନ ପାରମ୍ପରିକ ବାଜା ବଜାଇ, ବାଣ ଫୁଟାଇ ପରିବାର ସଦସ୍ୟଙ୍କ ସହିତ ବିସର୍ଜନ ସ୍ଥଳୀରେ ପହଞ୍ଚି ପବିତ୍ର ବୈତରଣୀ ନଦୀରେ ଅସ୍ଥି ବିସର୍ଜନ କରିଥିଲେ। ଅସ୍ଥି ବିସର୍ଜନ ପରେ ସେଠାରେ ଥିବା ମାରାଙ୍ଗ ବୁରୁ ବା ବଡ଼ଠାକୁର ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରିଥିଲେ। ଅନୁଷ୍ଠିତ ହୋଇଯାଇଥିବା ଦାମୋଦର ଯାତ୍ରାରେ ରାଜସ୍ୱ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, କରଞ୍ଜିଆ ବିଧାୟିକା ବସନ୍ତି ହେମ୍ବ୍ରମ ଏହି ଅନୁଷ୍ଠିତ ସଭାରେ ଯୋଗ ଦେଇଥିଲେ। ଦାମୋଦର ମେଳା ଆୟଜନ କରୁଥିବା ମାରାଙ୍ଗ ବୁରୁ କମିଟିର ସଭାପତି ଦଶରଥ ସୋରେନ, ସମ୍ପାଦକ ଭାଗୀରଥି ମାଝୀ, ସହ ସମ୍ପାଦକ ବସନ୍ତ ସୋରେନ ପ୍ରମୁଖ ସଦସ୍ୟ ମାନେ ମେଳା ପରିଚାଳନା କରିଥିଲେ। ମେଳାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Comments are closed.