ବୟନ ଶିଳ୍ପ ବିଭାଗରେ ଅବସର ପରେ ନିଯୁକ୍ତିକୁ ବିରୋଧ, ଅବସରପ୍ରାପ୍ତ ଅଧିକାରୀଙ୍କ ପୁନଃନିଯୁକ୍ତି ଉପରେ ଅନ୍ତରୀଣ ରୋକ୍

କଟକ: ହସ୍ତତନ୍ତ, ବୟନଶିଳ୍ପ ବିଭାଗରେ ସହକାରୀ ନିର୍ଦେଶକ (ରେଶମ ଶିଳ୍ପ) ପଦବୀରେ ଅବସରପ୍ରାପ୍ତ ଅଧିକାରୀଙ୍କ ନିଯୁକ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ପଞ୍ଚାୟତିରାଜ ସଚିବ, କୋ-ଅପରେଟିଭ୍ ସୋସାଇଟି ରେଜିଷ୍ଟ୍ରାର, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥି ସହିତ ଏହି ପଦବୀରେ ୨୦୨୧, ଜାନୁଆରୀ ୧୯ ତାରିଖ ପର୍ଯ୍ୟନ୍ତ କୌଣସି ଅବସରପ୍ରାପ୍ତ ବ୍ୟକ୍ତିଙ୍କୁ ନିୟୋଜିତ/ନିଯୁକ୍ତି ପ୍ରଦାନ କରାଯିବ ନାହିଁ ବୋଲି ଖଣ୍ଡପୀଠ ଅନ୍ତରୀଣ ନି‌‌ର୍ଦେଶ ଦେଇଛନ୍ତି। ଶାଶ୍ବତୀ ମହାନ୍ତିଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏପରି ନିର୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ବୟନଶିଳ୍ପ ନିର୍ଦେଶାଳୟରେ ଖାଲି ପଡିଥିବା ସହକାରୀ ନିର୍ଦେଶକ (ରେଶମ ଶିଳ୍ପ) ପଦବୀରେ ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଆବେଦନକାରୀ। ସେ ଦର୍ଶାଇଛନ୍ତି ଯେ ଏହି ପଦବୀକୁ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପୂରଣ ପାଇଁ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲର ନିର୍ଦେଶ ରହିଛି। ତିନି ବର୍ଷ ହେବ ଟ୍ରିବ୍ୟୁନାଲଙ୍କ ଏହି ନିର୍ଦେଶ କାର୍ଯ୍ୟକାରୀ କରାଯାଉ ନାହିଁ। ଅର୍ଥ ବିଭାଗର ନିୟମକୁ ଉଲ୍ଲଙ୍ଘନ କରି ଏହି ଅବସରପ୍ରାପ୍ତ ଅଧିକାରୀଙ୍କୁ ବିଭିନ୍ନ ବିଭାଗ ଅଧୀନରେ ବିଭିନ୍ନ କାର୍ଯ୍ୟାଳୟରେ ମୁଖ୍ୟ ଭାବେ ଦାୟିତ୍ବ ଦିଆଯାଉଛି। ଅବସରପ୍ରାପ୍ତ ଅଧିକାରୀଙ୍କ ପୁନଃନିଯୁକ୍ତି ଦ୍ବାରା ଚାକରି ଆଶାୟୀ ବେକାର ଯବକ ଯୁବତୀ ନିରାଶ ହୋଇଛନ୍ତି। ଏଥିସହିତ ବୟନ ଶିଳ୍ପ ବିଭାଗର ତଳିଆ କର୍ମଚାରୀ ପଦୋନ୍ନତି ପାଇବାରୁ ବଞ୍ଚିତ ହେଉଛନ୍ତିି।

Comments are closed.