ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍‌ ନିର୍ଣ୍ଣାୟକ ଟେଷ୍ଟ ଆଜିଠାରୁ , ସିରିଜ୍‌ ବିଜୟ ଲକ୍ଷ୍ୟରେ ଉଭୟ ଦଳ

ମାଞ୍ଚେଷ୍ଟର : ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ ତୃତୀୟ ତଥା ସିରିଜ୍‌ ନିର୍ଣ୍ଣାୟକ ଟେଷ୍ଟ ଶୁକ୍ରବାରଠାରୁ ମାଞ୍ଚେଷ୍ଟରରେ ଖେଳାଯିବ। ୩ ମ୍ୟାଚ ବିଶିଷ୍ଟ ସିରିଜ୍‌ ୧-୧ରେ ବରାବର ରହିଛି। ୱେଷ୍ଟଇଣ୍ଡିଜ୍‌ ସାଉଥମ୍ପଟନରେ ପ୍ରଥମ ଟେଷ୍ଟ ଜିତିଥିବାବେଳେ ଇଂଲଣ୍ଡ ମାଞ୍ଚେଷ୍ଟରରେ ବିଜୟ ସହ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିଛି। ତେଣୁ ତୃତୀୟ ଟେଷ୍ଟ ସିରିଜ୍ ନିର୍ଣ୍ଣାୟକ ହେବ। ଉଭୟ ଦଳ ବିଜୟ ସହ ସିରିଜ୍‌ ବିଜୟ ନେଇ ଆଶା ରଖିଛନ୍ତି।

ସାଉଥମ୍ପଟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍‌ ୪ ୱିକେଟରେ ବିଜୟୀ ହୋଇଥିଲା। ୱେଷ୍ଟଇଣ୍ଡିଜ୍‌ ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଦଳ ପକ୍ଷରୁ ଫାଷ୍ଟ ବୋଲର ସାନନ୍ ଗ୍ରାବିଏଲ ଉଭୟ ଇନିଂସରେ ୯ଟି, ଜାସନ ହୋଲଡର ପ୍ରଥମ ଇନିଂସରେ ୫ଟି ୱିକେଟ ନେଇଥିଲେ। ବ୍ୟାଟିଂରେ ଓପନର ବ୍ରାଥୱେଟ୍‌ ୬୫ ଓ ୪, ଡାରୱିଚ୍ ୬୧ ଓ ୨୦ ଓ ବ୍ଲାକଉଡ୍‌ ୯୫ରନ କରି ଦଳକୁ ବିଜୟୀ କରାଇଥିଲେ। ଇଂଲଣ୍ଡ ପକ୍ଷରୁ ବ୍ୟାଟିଂରେ ବେନ୍ ଷ୍ଟୋକ୍‌ସ ପ୍ରଥମ ଇନିଂସରେ ୪୩ ଓ ଦ୍ବିତୀୟ ଇନିଂସରେ ୪୬, ସିବ୍‌ଲି ଦ୍ବିତୀୟ ଇନିଂସରେ ୫୦ ଓ ବ୍ରାୱେଲ ଦ୍ବିତୀୟ ଇନିଂସରେ ୭୬ରନ କରିଥିଲେ। ବୋଲିଂରେ ବେନ୍ ଷ୍ଟୋକ୍‌ସ ୬ଟି ୱିକେଟ ନେଇଥିବାବେଳେ ଜେମ୍ସ ଆଣ୍ଡରସନ ଓ ଜୋଫ୍ରା ଆର୍ଚର ସେଭଳି ସଫଳତା ହାସଲ କରିପାରିନଥିଲେ। ମାଞ୍ଚେଷ୍ଟରରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ଦୃଢତାର ସହିତ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳ ୧୧୩ରନରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ସିରିଜ୍‌କୁ ୧-୧ ବରାବର କରିଥିଲା। ଘରୋଇ ଦଳର ଓପନର ଡମ୍‌ ସିବ୍‌ଲି ୧୨୦, ବେନ୍ ଷ୍ଟୋକସ ପ୍ରଥମ ଇନିଂସରେ ୧୭୬ ଓ ଦ୍ବିତୀୟ ଇନିଂସରେ ୭୮ରନ କରିଥିଲେ। ବୋଲିଂରେ ଷ୍ଟିୱାର୍ଟ ବ୍ରଡ୍‌ ଉଭୟ ଇନିଂସରେ ୩ଟି ଲେଖାଏଁ ସହ ମୋଟ ୬ଟି, କ୍ରିସ୍‌ ୱକ୍ସ ଉଭୟ ଇନିଂସରେ ୫ଟି ୱିକେଟ ନେଇଥିଲେ। ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଟେଷ୍ଟ ଭଳି ଦ୍ବିତୀୟ ଟେଷ୍ଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦୁର୍ବଳ ପ୍ରଦର୍ଶନ କରିଥିଲେ। ଓପନର ବ୍ରାଥ୍‌ୱେଟ୍‌ ପ୍ରଥମ ଇନିଂସରେ ୭୫, ବ୍ରୁକ୍ସ ୬୮ ରନ କରିଥିବାବେଳେ ଦ୍ବିତୀୟ ଇନିଂସରେ ଦଳ ଦୟନୀୟ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ବୋଲିଂ​‌େ​‌ର ରୋଷ୍ଟନ ଚେଜ୍‌ ପ୍ରଥମ ଇନିଂସରେ ୫ଟି ୱିକେଟ ନେଇଥିଲେ। ଇଂଲଣ୍ଡ ପକ୍ଷରୁ ବ୍ୟାଟିଂରେ ସିବ୍‌ଲି ଓ ବେନ୍ ଷ୍ଟୋକ୍‌ସ ଚମତ୍କାର ଫର୍ମରେ ରହିଛନ୍ତି। ବୋଲିଂରେ ମଧ୍ୟ ଷ୍ଟୋକ୍‌ସ, ଫାଷ୍ଟ ବୋଲର ୱକ୍ସ ଓ ଷ୍ଟିୱାର୍ଟ ବ୍ରଡ୍‌ ଭଲ ପ୍ରଦର୍ଶନ କରୁଛନ୍ତି। ନିୟମ ଉଲଘଂନ ଅଭିଯୋଗରେ ଦ୍ବିତୀୟ ଟେଷ୍ଟ ମ୍ୟାଚରୁ ବାଦ୍‌ ପଡ଼ିଥିବା ଫାଷ୍ଟ ବୋଲର ଜୋଫ୍ରା ଆର୍ଚର ତୃତୀୟ ଟେଷ୍ଟ ଖେଳିବା ନେଇ ଦଳରେ ସାମିଲ ହୋଇଛନ୍ତି। ସେହିପରି ଜେମ୍ସ ଆଣ୍ଡରସନ ମଧ୍ୟ ଦଳକୁ ଫେରିଛନ୍ତି। ଦ୍ବିତୀୟ ଟେଷ୍ଟରେ ଆର୍ଚରଙ୍କ ବଦଳରେ ଖେଳିଥିବା ବ୍ରଡ୍‌ ଉଭୟ ଇନିଂସରେ ୬ଟି ୱିକେଟ ନେଇଛନ୍ତି। ବ୍ରଡ୍‌ ତୃତୀୟ ଟେଷ୍ଟ ଖେଳିବା ନିଶ୍ଚିତ ଥିବାବେଳେ ଆଣ୍ଡରସନ ଓ ଆର୍ଚରଙ୍କୁ ନେଇ ମ୍ୟାନେଜ୍‌ମେଣ୍ଟ ଦ୍ବନ୍ଦ୍ବରେ ରହିଛି। ଉଭୟଙ୍କୁ ତୃତୀୟ ଟେଷ୍ଟରେ ଖେଳାଇବ କି ଜଣଙ୍କୁ ବାଦ୍‌ ଦେବ ସେ ନେଇ ଦଳ ଚିନ୍ତାରେ ପଡ଼ିଛି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ଓପନର ବ୍ରାଥ୍‌ୱେଟ୍‌, ଡାରୱିଚ୍, ବ୍ରୁକ୍ସ ଓ ବ୍ଲାକଉଡ୍‌ଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ଖେଳାଳି ସେଭଳି ପ୍ରଦର୍ଶନ କରିପାରିନାହାନ୍ତି। ବୋଲିଂରେ ସାନନ୍ ଗ୍ରାବିଏଲସ ଜାସନ ହୋଲଡର ଓ ରୋଷ୍ଟନ ଚେଜଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ଖେଳାଳି ସେଭଳି ଭ​‌ାବେ ସଫଳତା ହାସଲ କରିପାରିନାହାନ୍ତି। ଜୋ ରୁଟ୍‌ଙ୍କ ନେତୃତ୍ବାଧୀନ ଇଂଲଣ୍ଡ ଓ ଜାସନ୍ ହୋଲଡରଙ୍କ ନେତୃତ୍ବାଧୀନ ୱେଷ୍ଟଇଣ୍ଡିଜ୍ ଦଳ ଅନ୍ତିମ ଟେଷ୍ଟକୁ ଜିତି ସିରିଜ୍‌ ବିଜୟ ପାଇଁ ଉଦ୍ୟମ କରିବେ।

ସମୟ : ଅପରାହ୍ଣ ୩ଟା୩୦
ସିଧା ପ୍ରସାରଣ : ସୋନି ସ୍ପୋଟ୍ସର୍ସ

Comments are closed.