ସ୍ମିଥ୍‌, ୱାର୍ଣ୍ଣରଙ୍କ ଉପସ୍ଥିତି ସତ୍ତ୍ବେ ଟେଷ୍ଟ ସିରିଜ୍‌ ସଂଘର୍ଷପୂର୍ଣ୍ଣ ହେବ : ପୂଜାରା

ନୂଆଦିଲ୍ଲୀ  : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ମତ ଦେଇଛନ୍ତି ଭାରତୀୟ ଟେଷ୍ଟ ବ୍ୟାଟସମ୍ୟାନ୍‌ ଚେତେଶ୍ବର ପୂଜାରା। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ନିର୍ଭରଯୋଗ୍ୟ ଭାରତୀୟ ଟେଷ୍ଟ ବ୍ୟାଟସମ୍ୟାନ୍‌ ପୂଜାରା କହିଥିଲେ ଚଳିତ ଟେଷ୍ଟ ସିରିଜ୍‌ ନିମନ୍ତେ ଅଷ୍ଟ୍ରେଲିଆ ଦଳରେ ଡେଭିଡ୍ ୱାର୍ଣ୍ଣର ଓ ଷ୍ଟିଭେନ୍‌ ସ୍ମିଥ୍‌ ସାମିଲ ହୋଇଛନ୍ତି। ଏହାଫଳରେ ଅଷ୍ଟ୍ରେଲିଆ ଦଳର ଶକ୍ତି ବୃଦ୍ଧି ପାଇଛି ସତ ​‌େ​‌ହଲେ ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହେବ।

ସୂଚନାଥାଉକି ୨୦୧୮-୧୯ ଟେଷ୍ଟ ସିରିଜ୍‌ରେ ଭାରତୀୟ ଦଳ ୨-୧ରେ ବିଜୟୀ ହୋଇଥିଲା। ଏହି ସିରିଜ୍‌ରେ ପୂଜାରା ୫୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ। ତେବେ ବଲ୍ ଟାମ୍ପରିଂ ମାମଲାରେ ବାସନ୍ଦ ହୋଇ ସ୍ମିଥ୍‌ ଓ ୱାର୍ଣ୍ଣର୍‌ ଏହି ଟେଷ୍ଟ ସିରିଜ୍‌ରେ ଖେଳିପାରିନଥିଲେ। ୨୦୧୮-୧୯ ଟେଷ୍ଟ ସିରିଜ୍‌ରେ ଭାରତୀୟ ଦଳର ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରା, ଈଶାନ୍ତ ଶର୍ମା ଓ ମହମ୍ମଦ ସାମି ଚମତ୍କାର ବୋଲିଂ କରିଥିବା ବେଳେ ଚଳିତଥର ମଧ୍ୟ ସେମାନେ ବେଶ୍‌ ଭଲ ପ୍ରଦର୍ଶନ କରିବେ ବୋଲି ପୂଜାରା ଆଶାବ୍ୟକ୍ତ କରିଛନ୍ତି। ଅଷ୍ଟ୍ରେଲିଆ ପିଚ୍‌ରେ କିପରି ବୋଲିଂ କରିବାକୁ ହୁଏ ତାହା ଭାରତୀୟ ଦ୍ରୁତ ବୋଲରଙ୍କୁ ବେଶ୍‌ ଭଲ ଭାବେ ଜଣା ଏବଂ ସେମାନେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍‌ଙ୍କ ବିରୋଧରେ ସଫଳତା ହାସଲ କରିବେ ବୋଲି ପୂଜାରା କହିଛନ୍ତି। ଆଡିଲେଡ୍‌ରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଦିବାରାତ୍ର ଭାବେ ଆୟୋଜିତ ହେବାକୁ ଥିବା ବେଳେ ଏହି ମ୍ୟାଚ୍‌ରେ ଗୋଲାପି ବଲ୍‌ ବ୍ୟବହାର କରାଯିବ।

ଏ ସଂପର୍କରେ ମତ ଦେଇ ପୂଜାରା କହିଥିଲେ ଗୋଲାପି ବଲ୍‌ରେ ଖେଳିବା ନିଶ୍ଚିତ ଭାବେ ଆହ୍ବାନପୂର୍ଣ୍ଣ। ଗୋଲାପି ବଲ୍‌ରେ ବଲ୍‌ର ଗତି ଓ ବାଉନ୍‌ସରେ ପରିବର୍ତ୍ତନ ଆସିଥାଏ। ତେବେ ଗୋଲାପୀ ବଲ୍‌ରେ ଭଲ ପ୍ରଦର୍ଶନ କରିବାକୁ ଭାରତୀୟ ଦଳର କ୍ରିକେଟର୍‌ମାନେ ନିଜକୁ ପ୍ରସ୍ତୁତ କରିବାକୁ ସକ୍ଷମ ବୋଲି ପୂଜାରା ସ୍ପଷ୍ଟ କରି ଦେଇଛନ୍ତି। ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ଫର୍ମାଟ୍‌ରେ ସଫଳତା ପାଇବାକୁ ସେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ଏବଂ ଏହାକୁ ନେଇ ଅଭ୍ୟାସ ଜାରି ରଖିଛନ୍ତି। ଗତଥର ସେ ଅଷ୍ଟ୍ରେଲିଆ ମାଟିରେ ସଫଳତା ପାଇଥିବା ବେଳେ ଚଳିତଥର ମଧ୍ୟ ସଫଳ ହେବେ ବୋଲି ପୂଜାରା ଆଶାବ୍ୟକ୍ତ କରିଛନ୍ତି। ତେବେ ଜଣେ ଭଲ ପ୍ରଦର୍ଶନ କଲେ ସଫଳତା ମିଳିବ ନାହିଁ, ଦଳର ସମସ୍ତ ଖେଳାଳି ନିଜ ଶ୍ରେଷ୍ଠ ପ୍ରଦର୍ଶନ କଲେ ଭାରତୀୟ ଦଳ ଟେଷ୍ଟ ସିରିଜ୍‌ରେ ବିଜୟୀ ହେବ ବୋଲି ପୂଜାରା କହିଛନ୍ତି। ଟେଷ୍ଟ ସିରିଜ୍‌ ନିମନ୍ତେ ସେ ଭଲ ଭାବେ ପ୍ରସ୍ତୁତ ହୋଇଛନ୍ତି ଏବଂ ତାଙ୍କ ଫିଟନେସ୍‌ ଭଲ ଥିବାରୁ ଚଳିତଥର ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ଥିବା ପୂଜାରା ସୂଚନା ଦେଇଛନ୍ତି।

Comments are closed.