ପୂର୍ବତନ ଏସପିଓ, ତାଙ୍କ ପତ୍ନୀ ଓ ଝିଅଙ୍କୁ ହତ୍ୟାକଲେ ଆତଙ୍କବାଦୀ

ଘର ଭିତରେ ପଶି ଆଖିବୁଜା ଗୁଳି ଚଳାଇଲେ

ପୁଲୱାମା (ଜମ୍ମୁ କାଶ୍ମୀର): ଜମ୍ମୁ କାଶ୍ମୀରର ଜଣେ ପୂର୍ବତନ ସ୍ପେଶାଲ ପୁଲିସ ଅଫିସର (ଏସପିଓ), ତାଙ୍କ ପତ୍ନୀ ଓ ଝିଅଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି । ପୁଲୱାମା ଜିଲାର ହରିପରିଗାମ୍‍ ଗ୍ରାମରେ ଥିବା ତାଙ୍କ ବାସଭବନ ମଧ୍ୟକୁ ଆତଙ୍କିମାନେ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇଥିଲେ । ରବିବାର ରାତିରେ ଏହି ଦୁଃଖଦାୟକ ଘଟଣା ଘଟିଛି । ଘଟଣା ସମ୍ପର୍କରେ ଖବର ପାଇ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରାଉ କରିନେବା ସହିତ ତଲାସି ଅଭିଯାନ ଆରମ୍ଭ କରିଛନ୍ତି ।
କାଶ୍ମୀର ଜୋନ୍‍ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ ହରିପରିଗାମ୍‍ ଗ୍ରାମର ବାସିନ୍ଦା ତଥା ପୂର୍ବତନ ଏସପିଓ ଫୟାଜ ଅହମଦଙ୍କ ଘର ଭିତରକୁ ଆତଙ୍କବାଦୀମାନେ ପ୍ରବେଶକରି ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ଫୟାଜଙ୍କ ସହିତ ତାଙ୍କ ପତ୍ନୀ ରାଜା ବେଗମ ଏବଂ ଝିଅ ରଫିଆ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ତିନିଜଣଙ୍କର ମୃତ୍ୟୁ ଘଟିଥିଲା । ନିହତ ପୂର୍ବତନ ଏସପିଓଙ୍କ ପୁଅ ଟେରିଟୋରିଆଲ ଆର୍ମିରେ ଜଣେ ଯବାନ ଭାବେ କାର୍ଯ୍ୟ କରୁଛନ୍ତି । ଦୁଇବର୍ଷ ତଳେ ଆତଙ୍କବାଦୀମାନେ ଫୟାଜଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ଧମକ ଦେଇଥିଲେ । କିନ୍ତୁ ଫୟାଜ ତାହା ନକରିବାରୁ ସେମାନେ ପ୍ରତିଶୋଧ ପରାୟଣ ହୋଇ ଏଭଳି ନାରକୀୟ ଘଟଣା ଘଟାଇଥିବା ଜଣାଯାଇଛି ।

Comments are closed.