ମାଲାଲାଙ୍କୁ ଗୁଳି କରିଥିବା ଆତଙ୍କୀ ପାକିସ୍ତାନ ଜେଲରୁ ଚମ୍ପଟ

ଇସଲାମାବାଦ: ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମାଲାଲା ୟୁସୁଫଜାଇଙ୍କୁ ଗୁଳି କରିଥିବା ତାଲିବାନ ଆତଙ୍କବାଦୀ ଏହସାନୁଲ୍ଲାହ ଏହସାନ ପାକିସ୍ତାନ ଜେଲ୍‌ରୁ ଫେରାର ହୋଇଯାଇଛି। ଜେଲରୁ ଚମ୍ପଟ ହେବା ପରେ ଏହସାନୁଲ୍ଲାହ ଏକ ଅଡିଓ କ୍ଲିପ ଜାରି କରିଛି। ତେବେ ପାକ୍‌ ସେନା କିମ୍ବା ସରକାର ଏହି ଅଡିଓ କ୍ଲିପ ସମ୍ପର୍କରେ କିଛି କୁହାଯାଇ ନାହିଁ।

ସୂଚନାଯୋଗ୍ୟ, ୨୦୧୨ରେ ମହିଳା ଶିକ୍ଷାର ବିକାଶ ଦିଗରେ କାର୍ଯ୍ୟ କରୁଥିବା ମାଲାଲାଙ୍କୁ ଏହସାନୁଲ୍ଲାହ ଗୁଳି କରିଥିଲା। ଏହା ପରେ ୨୦୧୪ରେ ସେ ପେଶାୱାରସ୍ଥିତ ଆର୍ମି ସ୍କୁଲରେ ଆତଙ୍କବାଦୀ ଆକ୍ରମଣ ଘଟାଇଥିଲା। ଏଥିରେ ୧୩୨ ଛାତ୍ରଛାତ୍ରୀଙ୍କ ସମେତ ୧୪୯ ଜଣଙ୍କ ମୃତ୍ୟୁ ଘଟିଥିଲା। ପାକିସ୍ତାନୀ ତାଲିବାନ ଆତଙ୍କୀ ସଂଗଠନର ସେ ମୁଖପାତ୍ର ଥିଲା। ଗୁରୁବାର ସୋସିଆଲ ମିଡିଆରେ ଏହସାନୁଲ୍ଲାହର ଏକ ଅଡିଓ କ୍ଲିପ ଭାଇରାଲ ହୋଇଥିଲା। ଗତ ଜାନୁୟାରୀ ୧୧ ତାରିଖରେ ସେ ପାକ୍‌ ସୁରକ୍ଷା ସଂସ୍ଥାକୁ ଚକ୍‌ମା ଦେଇ ଫେରାର ହୋଇଯାଇଥିବା ଏଥିରେ ଦାବି କରିଛି। ଏହା ସହିତ ଅଡିଓ କ୍ଲିପରେ ସେ ପାକ୍‌ ସେନା ଉପରେ କିଛି ପ୍ରତିଶ୍ରୁତି ପୂରଣ କରି ନ ଥିବା ଅଭିଯୋଗ କରିଛି। ସେ ଜେଲ୍‌ରେ ଥିବାବେଳେ କଟାଇଥିବା ସମୟ ଏବଂ ଭବିଷ୍ୟତ ଯୋଜନା ବିଷୟରେ ଆଗକୁ ବିସ୍ତୃତ ରୂପେ କହିବ ବୋଲି କହିଛନ୍ତି।

Comments are closed.