ରୋଗୀ ମୃତ୍ୟୁ ନେଇ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା, ମୃତଦେହ ରଖି ରାଜରାସ୍ତା ଅବରୋଧ

ନର୍ଲା: ନର୍ଲା ଜୟନ୍ତୀ ନଗର ପଡାର କୈବଲ୍ୟ ସେନାପତିଙ୍କ ପୁଅ ମନୋଜ ସେନାପତି (୧୨)ର ମୃତ୍ୟୁକୁ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୂଚନାମତେ ମନୋଜକୁ ରାତିରେ ପେଟ ବ୍ୟଥା ହୋଇଥିଲା। ପରିବାର ଲୋକେ ନର୍ଲା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ମନୋଜକୁ ଇଞ୍ଜେକ୍ସନ ଦିଆଯାଇଥିଲା। ଇଞ୍ଜେକ୍ସନ ନେବା ପରେ ମନୋଜ ବହୁ ବ୍ୟତିବ୍ୟସ୍ତ ହୋଇଥିଲା ବୋଲି ତାଙ୍କ ବାପା ପ୍ରକାଶ କରିଛନ୍ତି। ତେବେ ଏହା ଜଣାଇବା ସତ୍ତ୍ବେ ଡାକ୍ତରଖାନା କର୍ତ୍ତୃପକ୍ଷ କିଛି ହେବ ନାହିଁ ବୋଲି କୁଆଡେ କହିଥିଲେ। ପରିବାର ଲୋକେ ମନୋଜକୁ ଘରକୁ ଆଣିଥିଲେ ଓ କିଛି ସମୟରେ ସେ ଗୁରୁତର ହେବାରୁ ପୁଣି ଡାକ୍ତରଖାନାକୁ ଅଣାଯାଇଥିଲା। ପରେ ତାର ମୃତ୍ୟୁ ହୋଇଥିଲା ଓ ଏହା ଡାକ୍ତରଙ୍କ ଅବହେଳାରୁ ହୋଇଛି ବୋଲି ଅଭିଯୋଗ ହେଉଛି। ତେବେ ଡାକ୍ତରଖାନାର ମୁଖ୍ୟ ଦ୍ବାରକୁ ବନ୍ଦ କରି ସମ୍ମୁଖରେ ଶବକୁ ରଖି ରାଜରାସ୍ତାକୁ ଅବରୋଧ କରାଯାଇଛି।

ମୃତକ ପରିବାରକୁ କ୍ଷତିପୂରଣ ସହ ଡାକ୍ତର ନିଯୁକ୍ତି ନେଇ ଦାବୀ ଉଠିଛି। ଏ ସଂପର୍କରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପଚାରିବାରୁ, ମୃତକ ମନୋଜ ରକ୍ତ ଶିକୁଳିରେ ପିଡୀତ ଥିଲା ବୋଲି କହିଛନ୍ତି। ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ହୋଇନାହିଁ ବୋଲି ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା କେହି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ବେଳେ ଲୋକଙ୍କ ଆନ୍ଦୋଳନ ଜାରି ରହିଛି।

Comments are closed.