ଟେନିସ୍‌ରୁ ସନ୍ନ୍ୟାସ ନେଲେ ସାରାପୋଭା

ପ୍ୟାରିସ୍‌ : ଟେନିସ୍‌ରୁ ସନ୍ନ୍ୟାସ ନେଇଛନ୍ତି ୫ଥର ଗ୍ରାଣ୍ଡସ୍ଲାମ୍‌ ଚମ୍ପିଆନ୍‌ ହୋଇଥିବା ରୁଷିଆର ମାରିଆ ସାରାପୋଭା। ବୁଧବାର ୩୨ ବର୍ଷ ବୟସରେ ସାରାପୋଭା ଟେନିସ୍‌ରୁ ସନ୍ନ୍ୟାସ ଗ୍ରହଣ କରିବା ସଂପର୍କରେ ଘୋଷଣା କରିଥିଲେ। ଏହି ରୁଷୀୟ ସୁନ୍ଦରୀ ହଠାତ୍ ଟେନିସ୍‌ରୁ ଅବସର ଘୋଷଣା କରିବା ଯୋଗୁଁ ଟେନିସ୍ ଦୁନିଆ ସ୍ତବ୍‌ଧ ହୋଇ ଯାଇଥିବା ବେଳେ ତାଙ୍କ ପ୍ରଶଂସକ ନିରାଶ ହୋଇଛନ୍ତି।
୧୯୮୭ ଏପ୍ରିଲ୍‌ ୧୯ରେ ଜନ୍ମିତ ସାରାପୋଭା ଖେଳ ବ୍ୟତୀତ ନିଜ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଥିଲେ। ମୂଳରୁ ବେଶ୍‌ ପ୍ରତିଭାବାନ୍‌ ଖେଳାଳି ଭାବେ ପରିଗଣିତ ସାରାପୋଭା ୨୦୦୪ରେ ମାତ୍ର ୧୭ ବର୍ଷ ବୟସରେ ୱିମ୍ବିଲଡନ୍‌ ଗ୍ରାଣ୍ଡସ୍ଲାମ ଟେନିସ୍‌ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍‌ସ ଚମ୍ପିଆନ୍‌ ହୋଇଥିଲେ। ୨୦୦୫ ଅଗଷ୍ଟରେ ସେ ମହିଳା ସିଙ୍ଗଲ୍‌ସ ମାନ୍ୟତାର ଶୀର୍ଷ ସ୍ଥାନ ହାସଲ କରିଥିଲେ। ସାରାପୋଭା ଅନ୍ତର୍ଜାତୀୟସ୍ତରରେ ଚମତ୍କାର ପ୍ରଦର୍ଶନ ବଜାୟ ରଖିବା ସହ ୨୦୦୬ରେ ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ୍‌ ଚମ୍ପିଆନ୍ ହୋଇଥିଲେ। ତେବେ ୨୦୦୭ରେ ତାଙ୍କ କ୍ୟାରିୟର ଉପରେ କଳାବାଦଳ ଢ଼ାଙ୍କି ହୋଇଯାଇଥିଲା। କାନ୍ଧରେ ଆଘାତଜନିତ କାରଣରୁ ତାଙ୍କ କ୍ୟାରିୟର ଶେଷ ହୋଇଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ସେ ୯ମାସ ଟେନିସ୍‌ ଜଗତରୁ ଦୂରେଇ ରହିଥିଲେ। ପରବର୍ତ୍ତୀ ସମୟରେ ସଂପୂର୍ଣ୍ଣ ସୁସ୍ଥ ହୋଇ ଟେନିସ୍‌ ଜଗତକୁ ଫେରି ୨୦୦୮ରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଚମ୍ପିଆନ୍‌ ହୋଇ ନିଜ ଦକ୍ଷତା ପ୍ରମାଣିତ କରିଥିଲେ। ସେହିପରି ୨୦୧୨ ଓ ୨୦୧୩ରେ ସେ ଫ୍ରେଞ୍ଚ୍‌ ଓପନ୍‌ ଚମ୍ପିଆନ୍‌ ହୋଇଥିଲେ। ୨୦୧୩ରେ ତାଙ୍କ କାନ୍ଧରେ ପୁଣିଥରେ ସମସ୍ୟା ସୃଷ୍ଟି ହୋଇଥିଲା। ୨୦୧୨ରେ ସେ ଅଲିମ୍ପିକ୍‌ସରେ ମହିଳା ସିଙ୍ଗଲ୍‌ସରେ ରୌପ୍ୟ ପଦକ ବିଜୟିନୀ ହୋଇଥିଲେ। ଏହାବାଦ୍‌ ସେ ୩୬ଟି ଡବ୍ଲ୍ୟୁଟିଏ ଟାଇଟଲ୍‌ ଜିତିଥିଲେ। ସେ ନିଜ କ୍ୟାରିୟରରେ ମୋଟ୍ ୩ କୋଟି ୮୭ ଲକ୍ଷ ୩ ହଜାର ୬୦୯ ଡଲାର ପୁରସ୍କାର ରାଶି ହାସଲ କରିଥିଲେ। ସନ୍ନ୍ୟାସ ନେବା ବେଳକୁ ସାରାପୋଭା ମହିଳା ସିଙ୍ଗଲ୍‌ସ ମାନ୍ୟତାର ୩୭୩ନଂରେ ରହିଥିଲେ।
୨୦୧୬ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଭାଗ ନେଉଥିବା ବେଳେ ସେ ନିଶା ପରୀକ୍ଷା (ଡୋପ୍‌ ଟେଷ୍ଟ)ରେ ବିଫଳ ହୋଇଥିଲେ। ତାଙ୍କୁ ଅନ୍ତର୍ଜାତୀୟ ଟେନିସ୍‌ ମହାସଂଘ ୨ ବର୍ଷ ପାଇଁ ବାସନ୍ଦ କରିଥିଲା। ତେବେ ଏହି ବାସନ୍ଦାଦେଶ ବିରୋଧରେ ସାରାପୋଭା ଅପିଲ୍‌ କରିବାରୁ ଏହାକୁ ୧୫ ମାସକୁ କମାଇ ଦିଆଯାଇଥିଲା। ଏପ୍ରିଲ୍‌ ୨୦୧୭ରେ ସେ ଟେନିସ ଜଗତକୁ ଫେରିଥିଲେ। ଶେଷଥର ପାଇଁ ସାରାପୋଭା ତିଆନ୍‌ଜିନ ଓପନ୍‌ ଟାଇଟଲ୍‌ ହାସଲ କରିଥିଲେ। ୨୦୧୯ ଅଷ୍ଟ୍ରେଲିଆନ୍ ଓପନ୍‌ର ପ୍ରିକ୍ବାର୍ଟରରେ ସାରାପୋଭା ପ୍ରବେଶ କରିଥିବା ବେଳେ ଫ୍ରେଞ୍ଚ୍‌ ଓପନ୍‌ ଖେଳିନଥିଲେ। ସେହିବର୍ଷ ୱିମ୍ବଲଡନ୍‌ ଓ ୟୁଏସ୍‌ ଓପନ୍‌ର ପ୍ରଥମ ରାଉଣ୍ଡରେ ସାରାପୋଭା ପରାସ୍ତ ହୋଇଥିଲେ। ସେହିପରି ଚଳିତବର୍ଷ ଅଷ୍ଟ୍ରେଲିଆନ୍ ଓପନ୍‌ର ପ୍ରଥମ ରାଉଣ୍ଡରେ ହାରିଥିଲେ ସାରାପୋଭା। ଟେନିସ୍‌ ବ୍ୟତୀତ ବିଭିନ୍ନ ନାମୀ କମ୍ପାନୀର ବିଜ୍ଞାପନରେ କାମ କରି ସାରାପୋଭା ବେଶ୍‌ ଅର୍ଥ ରୋଜଗାର କରିଥିଲେ। ସେ ଦୁଇ ଦଶନ୍ଧି ଧରି ସର୍ବାଧିକ ଆୟକାରୀ କ୍ରୀଡ଼ାବିତ୍‌ଙ୍କ ତାଲିକାରେ ରହି ଆସୁଥିଲେ। ୨୦୧୯ରେ ସର୍ବାଧିକ ଆୟକାରୀ ମହିଳା କ୍ରୀଡ଼ାବିତ୍‌ ମହିଳା ତାଲିକାରେ ସେ ୭ମ ସ୍ଥାନରେ ରହିଥିଲେ। ଟେନିସ୍‌ରୁ ସନ୍ନ୍ୟାସ ଘୋଷଣା କରି ସାରାପୋଭା ଦର୍ଶାଇଛନ୍ତି ଜଣେ କ୍ରୀଡ଼ାବିତ୍‌ ଭାବେ ​‌େ​‌ସ ଯାହା ହାସଲ କରିଛନ୍ତି ତାହା ତାଙ୍କ ପାଇଁ ଯଥେଷ୍ଟ। ଭବିଷ୍ୟତରେ ନୂଆ କିଛି କରିବା ଲକ୍ଷ୍ୟରେ ସେ ଟେନିସ୍‌ରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଖେଳୁଥିବା ବେଳେ ଅତୀତ କିମ୍ବା ଭବିଷ୍ୟତ ସଂପର୍କରେ ସେ କେବେ ଚିନ୍ତା କରୁନଥିବାରୁ ଏତେଟା ସଫଳତା ପାଇଛନ୍ତି। ତାଙ୍କୁ ସଫଳ ଟେନିସ୍‌ ଖେଳାଳି ଭାବେ ଗଢ଼ି ତୋଳିବାରେ ଅନେକ ବ୍ୟକ୍ତିଙ୍କ ଅବଦାନ ରହିଛି। ସେଥିପାଇଁ ସେ ସେମାନଙ୍କ ନିକଟରେ କୃତଜ୍ଞ। ଆଗାମୀ ଦିନରେ ଟେନିସ୍‌ ଜଗତକୁ କୌଣସି ପ୍ରକାରେ କିଛି ପ୍ରତିଦାନ ଦେଇପାରିଲେ ସେ ଭାଗ୍ୟଶାଳୀ ମନେକରିବେ।

Comments are closed.