କାଶୀରୁ କାଶ୍ମୀର ଯାଏ ଚାଲିଛି ମନ୍ଦିର ପୁନରୁଦ୍ଧାର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଶାସନ କାଳରେ ଦେଶର ପ୍ରମୁଖ ମନ୍ଦିର ବା ଧର୍ମପୀଠଗୁଡ଼ିକର ପୁନରୁଦ୍ଧାର ଉଦ୍ୟମ ଜୋର୍‌ଦାର କରିଥିବା ଲକ୍ଷ୍ୟ କରାଯାଇଛି। କାଶୀରୁ କାଶ୍ମୀର ପର୍ଯ୍ୟନ୍ତ ମୋଦୀ ସରକାରଙ୍କ ଏହି ଅଭିଯାନକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ବିଶେଷକରି ବାରାଣସୀରେ କାଶୀ ବିଶ୍ବନାଥଙ୍କ ମନ୍ଦିର ଓ ଏହାର ପରିସର ପୁନରୁଦ୍ଧାର ପରେ ଏହି ଚର୍ଚ୍ଚା ଜୋର୍‌ ଧରିଛି। ଆଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଗକୁ ବଳବତ୍ତର ରହିବ ବୋଲି ଜଣାପଡ଼ିଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ବାରାଣସୀର ବିକାଶ ନେଇ ସ୍ବପ୍ନ ଦେଖିଥିଲେ ଏବଂ ଇତିମଧ୍ୟରେ ଅନେକାଂଶରେ ଏହା ଚରିତାର୍ଥ ହୋଇଛି। ସେଠାରେ ବିଶ୍ବସ୍ତରୀୟ ସମ୍ମିଳନୀ କକ୍ଷଠାରୁ ଆରମ୍ଭକରି ସ୍ମାର୍ଟ ସିଟି ଓ ବିଶ୍ବନାଥ ମନ୍ଦିର ପ୍ରକଳ୍ପ, ଗଙ୍ଗା ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ ଗୁଜରାତର ପ୍ରସିଦ୍ଧ ସୋମନାଥ ମନ୍ଦିର ବିକାଶ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ସେହିପରି ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିର ଓ ପାରିପାର୍ଶ୍ବିକ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ୨୦୧୩ର ପ୍ରଳୟଙ୍କରୀ ବନ୍ୟାରେ ଏହି ପୀଠ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା। କେଦାରନାଥ ପୀଠ ସଂଲଗ୍ନ କେତେକ ପୀଠର ଉନ୍ନତିକରଣ ମଧ୍ୟ କରାଯାଇଛି। ଉତ୍ତରାଖଣ୍ଡରେ ଚାରିଧାମ ସଡ଼କ ପ୍ରକଳ୍ପ କାର୍ଯ୍ୟ ତୀବ୍ରଗତିରେ ଚାଲିଛି। ଏ କ୍ଷେତ୍ରରେ ରହିଥିବା ଆଇନଗତ ପ୍ରତିବନ୍ଧକକୁ ସର୍ବୋଚ୍ଚ ନ୍ୟାୟାଳୟ ଇତିମଧ୍ୟରେ ହଟାଇ ଦେଇଛନ୍ତି। ଏହି ସଡ଼କ ଦ୍ବାରା ଗ​ଙ୍ଗୋତ୍ରୀ, ଯମୁନେତ୍ରୀ, କେଦାରନାଥ ଓ ବଦ୍ରିନାଥକୁ ସଡ଼କ ସଂଯୋଗ ସହଜ ହେବ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ଅଯୋଧ୍ୟା ଜମି ବିବାଦର ସମାଧାନ ହେବା ପରେ ସେଠାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି। ୨୦୨୪ ପୂର୍ବରୁ ଏହା ଶେଷ ହେବା ଲକ୍ଷ୍ୟ ରହିଛି।
ସେହିପରି କାଶ୍ମୀରରେ ଥିବା ବହୁ ମନ୍ଦିର ଓ ହିନ୍ଦୁ ଧର୍ମପୀଠର ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ୨୦୧୯ରେ ଧାରା-୩୭୦ ଉଚ୍ଛେଦ ପରଠାରୁ ଏହା ତ୍ବରାନ୍ବିତ ହୋଇଛି। ଜାମ୍ମୁ-କାଶ୍ମୀରରେ ଥିବା ୫୦ହଜାର ମନ୍ଦିରର ପୁନରୁଦ୍ଧାର କରାଯିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କାଶ୍ମୀର ଉପତ୍ୟକାରେ ୧୮୪୨ ଓ ଜାମ୍ମୁରେ ୪ହଜାର ମନ୍ଦିରର ପୁନର୍ନିମାଣ କାର୍ଯ୍ୟ ଜାରି ରହିଛି। କେବଳ ଦେଶ ଭିତରେ ନୁହେଁ; ବିଦେଶରେ ମଧ୍ୟ ସରକାର ଏହି କାର୍ଯ୍ୟ ହାତକୁ ନେଇଛନ୍ତି। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ରାଜଧାନୀ ଆବୁଧାବିରେ ୨୦୧୮ରେ ମୋଦୀ ଭବ୍ୟ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରବର୍ଷ ବାହାରିନ୍‌ରେ ଥିବା ୨୦୦ବର୍ଷ ପୁରାତନ ଶ୍ରୀକୃଷ୍ଣ ମନ୍ଦିରର ପୁନର୍ନିମାଣ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏ ବାବଦରେ ହଜାର ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

Comments are closed.