ଝଲସି ଉଠିଲା ଐତିହ୍ୟ ସଂପନ୍ନ ମଦନମୋହନ ମନ୍ଦିର

ଗୁରୁଡିଝାଟିଆ : ଗୁରୁଡିଝାଟିଆରେ ରାଜାରାଜୁଡା ସମୟରୁ ନିର୍ମିତ ହୋଇଥିଲା ମଦନ ମୋହନ ମନ୍ଦିର । ଏହାର ଗଠନ ଶୈଳୀ ଓଡିଆ ସ୍ଥାପତ୍ୟଙ୍କ ପାରଦର୍ଶିତାର ଗାଥାକୁ ମନେପକାଇଦେଇଥାଏ । ହେଲେ ଦୀର୍ଘବର୍ଷ ଧରି ମନ୍ଦିରଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିଲା । ମନ୍ଦିର ର ଚୁଳରେ ୨୦ଫୁଟ ଉଚ୍ଚର ଗଛ ସୃଷ୍ଟି ହୋଇଥିଲା । ଯାହାଫଳରେ ମନ୍ଦିରରେ ଫାଟ ମଧ୍ୟ ଦେଖାଦେଇଥିଲା । ବହୁ ପୁରାତନ ମନ୍ଦିର ର ଏଭଳି ଦୟନୀୟସ୍ଥିତି ଗ୍ରାମବାସୀଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଆଧ୍ୟାତ୍ମିକ ପ୍ରେମୀଙ୍କ ଭିତରେ ଘୋର ନୈରାଶ୍ୟଭାବ ସୃଷ୍ଟି କରିଥିଲା । ମନ୍ଦିରର ପୁନଃଉଦ୍ଧାର ଓ ରକ୍ଷଣାବେକ୍ଷଣା ପାଇଁ ଅନେକ ସମୟରେ ଗ୍ରାମର ଯୁବକମାନେ ଆଗଭର ହୋଇ ଉଦ୍ୟମ କରୁଥିଲେ । ହେଲେ ଏଥିପାଇଁ ଅଧିକ ପରିମାଣର ଅର୍ଥ ବାଧକ ସାଜୁଥିଲା । ଗତ ୨ବର୍ଷ ତଳେ ଗାଁର କେତେକ ଯୁବକ ଜରାଜୀର୍ଣ୍ଣ ମନ୍ଦିରକୁ ସଫା ସୁତରା କରି ରଙ୍ଗ ମଧ୍ୟ ଲେପନ କରିଥିଲେ । ହେଲେ ପୁନର୍ବାର ମନ୍ଦିର ଉପରେ ଗଛ ଉଠିଥିଲା । ଏ ସଂପର୍କରେ ଗ୍ରାମବାସୀ ଆଠଗଡ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଥିଲେ ।

ମନ୍ଦିରର ଜରାଜୀର୍ଣ୍ଣସ୍ଥିତିକୁ ଦେଖି ସମାଜରେ ଗତ ୨/୩ମାସ ପୂର୍ବରୁ ଏକ ତଥ୍ୟ ଭିତ୍ତିକ ସଚିତ୍ର ଖବର ପ୍ରକାଶ ପାଇଥିଲା । ପ୍ରକାଶିତ ଖବରକୁ ପଢି ଆଠଗଡର ପୂର୍ବତନ ବିଧାୟକ ତଥା ଗୁରୁଡିଝାଟିଆ ଅଞ୍ଚଳର ମୁରବୀ ରସାନନ୍ଦ ସାହୁ ବ୍ୟଥିତ ହୋଇଥିଲେ । ମନ୍ଦିର ର ପୁନଃଉଦ୍ଧାର ଓ ମରାମତି ପାଇଁ ଗ୍ରାମର ଯୁବକମାନଙ୍କ ସହିତ କଥା ହୋଇଥିଲେ । ପୂର୍ବତନ ବିଧାୟକ ଶ୍ରୀ ସ୍ୱାଇଁଙ୍କ ମହନୀୟ ଭାବ ଓ ଆର୍ଥିକ ସହଯୋଗ ପାଇଁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ମନ୍ଦିର ଓ ଚୁଳରେ ଗଛ ହୋଇ ମନ୍ଦିରରେ ଫାଟ ସୃଷ୍ଟି କରୁଥିବା ମନ୍ଦିରଟି ଏବେ ନୂଆରୂପରେ ଝଲସି ଉଠିଛି । ମନ୍ଦିରର ନୂତନ ରୂପକୁ ଦେଖି ନବେଢା ଅଞ୍ଚଳର ଜନସାଧାରଣ ଓ ଅଧ୍ୟାତ୍ମିକବାଦୀ ଚିନ୍ତକମାନେ ଅତ୍ୟନ୍ତ ସନ୍ତୋଷ ପ୍ରକଟ କରିଛନ୍ତି । ପୂର୍ବତନ ବିଧାୟକ ତଥା ସ୍ଥାନୀୟ ଅଞ୍ଚଳର ମୁରବୀ ଶ୍ରୀ ସାହୁଙ୍କ ମହନୀୟ ଉଦ୍ୟମ ପାଇଁ ଗ୍ରାମବାସୀ ,ବୁଦ୍ଧିଜୀବିମାନେ କୃତଜ୍ଞତା ସହିତ ସାଧୁବାଦ ଜଣାଇଛନ୍ତି ।

 

Comments are closed.