ସପ୍ତାହେ ଲାଗି ରହିବ ଗ୍ରୀଷ୍ମପ୍ରବାହ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଦିନକୁ ଦିନ ଅସମ୍ଭାଳ ହେଉଛି। ପାରଦ ଧୀରେ ଧୀରେ ତେଜୁଥିବାବେଳେ ସକାଳ ୯ରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ସବୁଠି ମୁଣ୍ଡଫଟା ଖରା ଲାଗିରହିଛି। ରାଜ୍ୟର କିଛି ଅଞ୍ଚଳରେ ତାପମାତ୍ରା ୪୨ଡ଼ିଗ୍ରୀକୁ ମୁହାଁଇଲାଣି। ବୁଧବାର ତାଳଚେରର ତାପମାତ୍ରା ସବୁଠୁ ଅଧିକ ୪୧.୭ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ବଲାଙ୍ଗୀର ତାପମାତ୍ରା ମଧ୍ୟ ୪୧ ଡ଼ିଗ୍ରୀ ଉପରେ ରହିଛି। ଏହାଛଡ଼ା ମାଳକାନଗିରି ସହିତ ଶିଳ୍ପ ସହର ଅନୁଗୋଳରେ ପାରଦ କିଛି ଦିନ ହେଲା କ୍ରମାଗତ ଭାବେ ୪୦ଡ଼ିଗ୍ରୀ ଉପରେ ରହୁଛି। ଟିଟିଲାଗଡ଼, ମାଲକାନଗିରି, ସୋନପୁର ଓ ବୌଦ୍ଧରେ ତାପମାତ୍ରା ୪୦ରୁ ୪୧ଡ଼ିଗ୍ରୀ ମଧ୍ୟରେ ରହିଛି। ରାଜ୍ୟର ୧୨ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୩୯ରୁ ୪୦ଡ଼ିଗ୍ରୀ ମଧ୍ୟରେ ରହିଛି। ଆସନ୍ତା ସପ୍ତାହେ ଧରି ରାଜ୍ୟରେ ତାତି ଲାଗିରହିବାର ସମ୍ଭାବନା ଅଛି। ତେବେ ଏହି ସମୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୦ ଡ଼ିଗ୍ରୀ ବା ଅଧିକ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ରାଜ୍ୟବ୍ୟାପୀ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଲୋକେ ପାଣି ପାଇଁ ଡହଳବିକଳ ହେଲେଣି। ଗ୍ରୀଷ୍ମପ୍ରବାହ ପାଇଁ ସତର୍କତାମୂଳକ ପଦକ୍ଷେପ ନେବା ଲାଗି ଏସଆରସି ସବୁ ଜିଲାପାଳଙ୍କୁ ଇତିମଧ୍ୟରେ ନିର୍ଦେଶନାମା ଜାରି କରିଛନ୍ତି। ତେବେ କରୋନା ପାଇଁ ରାଜ୍ୟ ସରକାର ବ୍ୟାପକ ପଦ​​‌କ୍ଷେପ ‌ହାତକୁ ନେଇଥିବାବେଳେ ଜିଲା ପ୍ରଶାସନ ଏଥିରେ ସମ୍ପୂର୍ଣ୍ଣ ଭାବେ ବ୍ୟସ୍ତ ରହିଥିବାରୁ ଗ୍ରୀଷ୍ମ ପ୍ରବାହ ମୁକାବିଲା କ୍ଷେତ୍ରରେ ଯେଭଳି ସତର୍କତାମୂଳକ ପଦକ୍ଷେପ ନେବା କଥା ନେଇପାରି ନାହାନ୍ତି। ସହର ଓ ଗ୍ରାମାଞ୍ଚଳରେ ଲକ ଡାଉନ ଯୋଗୁଁ ଗହଳି ନାହିଁ। ତଥାପି ରାସ୍ତା ଘାଟରେ ବୁଲୁଥିବା ପ୍ରାଣୀ ତଥା ଗୋସମ୍ପଦ ଏବଂ ବନ୍ୟ ପ୍ରାଣୀମାନେ ପାଣି ବିନା ଡହଳବିକଳ ହେଉଛନ୍ତି। ପାରଦ କ୍ରମାଗତ ଭାବେ ଅଧିକାଂଶ ସହରରେ ୪୦ଡ଼ିଗ୍ରୀ ଉପରେ ରହୁଥିବାବେଳେ ଗ୍ରୀଷ୍ମପ୍ରବାହ ସପ୍ତାହେ ଭିତରେ ଥମିବାର ସମ୍ଭାବନା ନାହିଁ। ଏଭଳି ସ୍ଥିତିରେ ସାରା ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ଓ ଅଂଶୁଘାତ ମୁକାବିଲା ଜରୁରୀ ହୋଇପଡ଼ିଛି।

Comments are closed.