କରୋନା କାଳରେ ଉପାଦେୟ ହେଉଛି ଟେଲିମେଡିସିନ୍

ଭୁବନେଶ୍ୱର: ସମଗ୍ର ବିଶ୍ୱ ତଥା ଦେଶ ଏବେ ଘୋର ସଙ୍କଟ ମଧ୍ୟରେ ଗତି କରୁଛି। ମହାମାରୀ କରୋନାର କରାଳ କାୟା ମାନବ ସମାଜକୁ ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ଧରି ଆଚ୍ଛାଦିତ କରିରଖିଛି। ପ୍ରଥମ ଲହରୀ ପରେ ଦ୍ୱିତୀୟ ଲହରୀ ଆତଙ୍କ ଖେଳାଇଛି। ସଂକ୍ରମିତଙ୍କ ସଂଖ୍ୟାରେ ବ୍ରେକ୍ ଲଗାଇବା କଷ୍ଟକର ହେଉଛି ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଦିନକୁ ଦିନ କରୋନାର ନୂଆ ଷ୍ଟ୍ରେନ୍ ଓ ପରିବର୍ତ୍ତିତ ଲକ୍ଷଣ
ଡାକ୍ତରମାନଙ୍କୁ ମଧ୍ୟ ଅକଳରେ ପକାଇଛି। ପୁଣି ଅକ୍ଟୋବରରୁ ତୃତୀୟ ଲହରୀ ଆସିବା ନେଇ ବୈଜ୍ଞାନିକମାନେ ଆକଳନ କଲେଣି। ତଥାପି ଆକ୍ରାନ୍ତଙ୍କୁ ସେବା ଯୋଗାଇବାକୁ ଡାକ୍ତରମାନେ ଅକ୍ଲାନ୍ତ ପରିଶ୍ରମ ଜାରି ରଖିଛନ୍ତି। ହେଲେ ଗୁରୁତର ରୋଗୀଙ୍କ ବ୍ୟତୀତ ଅନ୍ୟ ଆକ୍ରାନ୍ତଙ୍କ ପାଇଁ ମେଡିକାଲ ମନା। ଲକଡାଉନ୍, ସଟଡାଉନ୍ ପରିସ୍ଥିତି ଭିତରେ ଡାକ୍ତରଙ୍କ ସହ ଯୋଗାଯୋଗ ଓ ପରାମର୍ଶ ସମ୍ଭବ ହୋଇପାରୁନାହିଁ। ଏଭଳି ସ୍ଥିତିରେ ରୋଗୀ ଉପଯୁକ୍ତ ଡାକ୍ତରୀ ପରାମର୍ଶ ପାଇବା ପାଇଁ ରାହା ଖୋଜୁଛନ୍ତି।
କୋରାନାର ପ୍ରଥମ ଲହରୀ ଅପେକ୍ଷା ଦ୍ୱିତୀୟ ଲହରୀ ଗ୍ରାମାଞ୍ଚଳକୁ ଅଧିକ ପ୍ରଭାବିତ କରୁଛି। ବିଶେଷ ଭାବେ ଅନ୍ଧବିଶ୍ୱାସ ଓ ସଚେତନତାର ଅଭାବ କରୋନାର ବ୍ୟାପ୍ତିକୁ ପ୍ରୋତ୍ସାହିତ କରୁଛି। ଲୋକେ ଡାକ୍ତରଙ୍କ ସହ ପରାମର୍ଶ କରିବା ବଦଳରେ ଲୋକଲଜ୍ଜା ଓ ସାମାଜିକ ଅଗ୍ରହଣୀୟତାକୁ ଭୟ କରି କୋଭିଡ୍ ପରୀକ୍ଷା କରାଇବାକୁ ମଙ୍ଗୁ ନାହାଁନ୍ତି। ଏପରିକି ଲକ୍ଷଣ ପ୍ରକାଶ ପାଇଲେ ମଧ୍ୟ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଯାଉନାହାଁନ୍ତି କିମ୍ବା ଯିବାକୁ ଚେଷ୍ଟା କଲେ ମଧ୍ୟ ଗ୍ରାମଠାରୁ ସ୍ୱାସ୍ଥ୍ୟକେନ୍ଦ୍ରର ଦୂରତା ବାଧକ ସାଜୁଛି। ଯାହାଦ୍ୱାରା ରୋଗୀ ଗୁରୁତର ହେଉଛନ୍ତି। ଏଭଳି ପରିସ୍ଥିତିରେ ଉପଯୁକ୍ତ ଡାକ୍ତରୀ ପରାମର୍ଶ ପାଇଁ ସାଧାରଣ ଲୋକଙ୍କ ଭରସା ପାଲଟିଛି ଟେଲି କନସଲଟାନ୍‌ସି ଘରୁ ବାହାରି ଡାକ୍ତରଙ୍କ ପାଖକୁ ଯିବା ସମୟରେ କିମ୍ବା ଡାକ୍ତରଖାନାରେ ଲୋକଙ୍କ ଗହଳି ଯୋଗୁ ଁ କରୋନା ସଂକ୍ରମଣର ଭୟ ରହିଛି। ଟେଲି କନସଲଟାନ୍ସିି ଦ୍ୱାରା ଘରୁ ନ ବାହାରି କେବଳ ଫୋନ୍ ମାଧ୍ୟମରେ ଡାକ୍ତରଙ୍କଠାରୁ ପରାମର୍ଶ ଗ୍ରହଣ କରି ଜଣେ ରୋଗମୁକ୍ତ ହୋଇପାରିବ। ଏହି ବ୍ୟବସ୍ଥା ଏବେ ଲୋକଙ୍କ ମଧ୍ୟରେ ଆଦୃତ ହେବାରେ ଲାଗିଛି। ଏ କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ, ଅଣଲାଭକାରୀ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପ୍ରମୁଖ ଭୂମିକା ଗ୍ରହଣ କରିଛି। ‘ଓଡ଼ିଆ ସମାଜ କୋଭିଡ୍ କେୟାର’ କାର୍ଯ୍ୟକ୍ରମ ମାଧ୍ୟମରେ ଅଭିଜ୍ଞ ଡାକ୍ତରଙ୍କ ସହଯୋଗରେ ସଂକ୍ରମିତଙ୍କୁ ନିଃଶୁଳ୍କ ପରାମର୍ଶ ପ୍ରଦାନ କରାଯାଉଛି। ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଘରୋଇ ମେଡିକାଲ ଓ ପିଏସ୍ୟୁରେ କାର୍ଯ୍ୟରତ ୨୦ରୁ ଅଧିକ ଅଭିଜ୍ଞ ଡାକ୍ତର ଏହି କାର୍ଯ୍ୟରେ ନିରନ୍ତର ଲାଗିଛନ୍ତି। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଯେଉଁ କରୋନା ସଂକ୍ରମିତ ବ୍ୟକ୍ତିମାନେ ଡାକ୍ତରଙ୍କ ପାଖରେ ପହଞ୍ôଚପାରୁନାହାନ୍ତି, ସେମାନଙ୍କୁ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଦେବା ସହ ସେମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଆଯାଉଛି। ଏଥିସହ ଅଧିକରୁ ଅଧିକ ଲୋକ କିପରି ଡାକ୍ତରୀ ପରାମର୍ଶ ନେଇପାରିବେ ସେ ଦିଗରେ ଓଡ଼ ଠିଆ ସମାଜ ପ୍ରୟାସ ଜାରି ରଖିଛି। ଡାକ୍ତରମାନେ ସ୍ୱେଚ୍ଛାକୃତ ଭାବେ ନିଜ ତରଫରୁ ପ୍ରତିଟି ଲୋକଙ୍କୁ ଡାକ୍ତରୀ ସେବା ଯୋଗାଇବାକୁ ଉଦ୍ୟମରତ।

 

ବର୍ତ୍ତମାନ ସମୟରେ କରୋନାରୁ ରକ୍ଷା ପାଇବା ପାଇଁ ସଚେତନତା ଲୋଡା। ସାମାଜିକ ଦୂରତା ରଖିବା, ମାସ୍କ ପିନ୍ଧିବା ସହ ନିୟମିତ ହାତ ଧୋଇବା ଭଳି କୋଭିଡ୍-୧୯ ନିର୍ଦ୍ଦେଶାବଳୀର ଅନୁପାଳନ ପାଇଁ ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଛି। ତେବେ କୌଣସି ଲକ୍ଷଣ ପ୍ରକାଶ ପାଇଲେ ଡାକ୍ତରୀ ପରାମର୍ଶର ଆବଶ୍ୟକତା ରହିଛି। କାରଣ କରୋନା ଲକ୍ଷଣକୁ ହେୟ ଜ୍ଞାନ କରିବା ଅର୍ଥ ବିପଦକୁ ଆମବଣ କରିବା। ତେଣୁ ମାସ୍କ ପିନ୍ଧିବା ଯେତିକି ଜରୁରୀ, ଡାକ୍ତରୀ ପରାମର୍ଶ ତା’ଠାରୁ ଅଧିକ ଜରୁରୀ। ବିଶେଷ କରି ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ସ୍ଥିତିକୁ ଦେଖିଲେ ଟେଲି କନ୍ସଲ୍ଟାନ୍ସ ି ବ୍ୟବସ୍ଥାର ଗୁରୁତ୍ୱ ଅନୁଭବ ହୁଏ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଆ ସମାଜ ନିୟମିତ ବ୍ୟବଧାନରେ ୱେବିନାରମାନ ଆୟୋଜନ କରି ଲୋକଙ୍କୁ ବିଶେଷଜ୍ଞମାନଙ୍କ ପରାମର୍ଶ ଉପଲବ୍ଧ କରାଉଛି।
ଗତ ଏପ୍ରିଲ ମାସ ୨୮ ତାରିଖରୁ ଆରମ୍ଭ ହୋଇଥିବା ‘ଓଡ଼ିଆ ସମାଜ କୋଭିଡ କେୟାର’ କାର୍ଯ୍ୟକ୍ରମ ଏବେ ଦେଶର କୋଣଅନୁକୋଣରେ ଥିବା ରୋଗୀଙ୍କୁ ସେବା ଯୋଗାଇପାରିଛି। ଦେଢ଼ ମାସ ମଧ୍ୟରେ ୫ ହଜାରରୁ ଅଧିକ ଲୋକ ଡାକ୍ତରୀ ପରାମର୍ଶ କ୍ରମେ ରୋଗରୁ ମୁକ୍ତି ପାଇ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଥିସହ ଡାକ୍ତରମାନଙ୍କ ସରଳ ପରାମର୍ଶ କିପରି ସେମାନଙ୍କୁ ରୋଗ ଯବଣାରୁ ରକ୍ଷା କରିଥିଲା ତାହା ବଖାଣିଛନ୍ତି। ଗ୍ରାମାଞ୍ଚଳର ଅଧିକରୁ ଅଧିକ ଲୋକ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ଏହି କୋଭିଡ କେୟାର ସେବାରୁ ଉପକୃତ ହେଲେଣି। ଡାକ୍ତରୀ ପରାମର୍ଶ ପାଇବାକୁ ଆଗ୍ରହୀ ବ୍ୟକ୍ତି ସକାଳ ୯ଟାରୁ ରାତି ୯ଟା ମଧ୍ୟରେ ୦୧୧ ୪୧୨୩୬୬୭୯ ନମ୍ବରରେ ମିସଡ କଲ୍ କଲେ ଓଡ଼ିଆ ସମାଜର ଅଭିଜ୍ଞ ଡାକ୍ତର ସେମାନଙ୍କୁ କଲ୍ ବ୍ୟାକ୍ କରି ଆବଶ୍ୟକ ପରାମର୍ଶ ଦେଉଛନ୍ତି।

Comments are closed.