ବିଦ୍ୟାଳୟ ଘରେ ଚାଲିଛି ଏଲ୍ ଆଣ୍ଡ ଟିର ଶିବିର

ତେଲକୋଇ: ଠିକା ସଂସ୍ଥାର ଅସ୍ଥାୟୀ ଶିବିର ସାଜିଛି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଘର। ଅଡୁଆ ଲାଗୁଥିଲେ ମଧ୍ୟ କଥାଟା କିନ୍ତୁ ସତ୍ୟ। ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ବ୍ଲକ ସଲେଇକେନା ପଞ୍ଚାୟତ ସଲେଇକେନା ଗାଁରେ। ତେଲକୋଇ ବ୍ଲକର ସବୁ ଅଞ୍ଚଳରେ ନଳ ପାଣି ଯୋଗାଇଦେବା ପାଇଁ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଏଲଏଣ୍ଡଟି ର କିଛି ଶ୍ରମିକଙ୍କୁ ଦୁଇ ସପ୍ତାହରୁ ଉର୍ଦ୍ଧ୍ବ ହେବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସଲେଇକେନାର ଦୁଇଟି କୋଠରୀକୁ ରହିବାକୁ ଦିଆଯାଇଛି। ବିଦ୍ୟାଳୟର ବିଭିନ୍ନ ଆସବାବପତ୍ର ଏବଂ ବହି ଖାତାକୁ ବାରଣ୍ଡାରେ ପକାଇ ଠିକା ସଂସ୍ଥାର ଯନ୍ତ୍ରପାତିକୁ ଗୋଟିଏ କୋଠରୀରେ ରଖାଯାଇଥିବା ବେଳେ ଅନ୍ୟ ଏକ କଠୋରୀରେ ଶ୍ରମିକ ମାନେ ରହୁଥିବା ଦେଖିବାକୁ ମିଳିଛି।

ସରକାରୀ ବିଦ୍ୟାଳୟକୁ କୌଣସି ଲୋକଙ୍କୁ ଭଡା ଦେବାର ନିୟମ ନଥିବା ବେଳେ କିଭଳି ଭାବେ ଏଲଏଣ୍ଡଟି ଠିକା ସଂସ୍ଥାର ଶ୍ରମିକମାନଙ୍କୁ ସରକାରୀ ବିଦ୍ୟାଳୟ ଘରକୁ ଦିଆଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଲକୋଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସରକାରୀ ବିଦ୍ୟାଳୟ ଘରକୁ ଭଡା ଦେବାର ନିୟମ ନାହିଁ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିରାଚରିତ ଢଙ୍ଗରେ ଉତ୍ତର ରଖିଥିଲେ।

Comments are closed.