ତୀସ୍‌ ହଜାରୀ ହିଂସା; ମହିଳା ଡିସିପି ହାତଯୋଡ଼ି ହିଂସା ନ କରିବାକୁ ବିନତି କରୁଥିଲେ, ପିଟି ଚାଲିଥିଲେ ଓକିଲ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତୀସ୍‌ ହଜାରୀ ହିଂସା ସମୟରେ ଓକିଲମାନଙ୍କ ଗୁଣ୍ଡାଗିରିର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଓକିଲ-ପୁଲିସ ଖଣ୍ଡଯୁଦ୍ଧ ସମୟରେ ଓକିଲମାନେ କିପରି ଆଇନକୁ ହାତକୁ ନେଇ ମହିଳା ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିଥିଲେ ତାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏପରି କି ଏକ ଭିଡିଓରେ ଉତ୍ତର ଦିଲ୍ଲୀର ମହିଳା ଡିସିପି ମୋନିକା ଭରଦ୍ବାଜଙ୍କୁ ଓକିଲମାନେ ଠେଲାପେଲା କରିବା ସହିତ ମାଡ଼ ମାରୁଥିବା ଦେଖାଯାଇଛି। ମହିଳା ଡିସିପି ଭରଦ୍ବାଜ ହାତଯୋଡ଼ି ହିଂସା ନ କରିବାକୁ ବିନତି କରୁଥିବାବେ​‌ଳେ ଓକିଲମାନେ ତାଙ୍କୁ ମାଡ଼ ମାରିଥିଲେ। ପଛରେ ଥିବା ପିଏସଓ ଓ ଅନ୍ୟ କର୍ମଚାରୀ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ହେଁ ଓକିଲମାନେ ସେମାନଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ଜଣେ ଓକିଲ ଡିସିପିଙ୍କ ହାତ ମୋଡ଼ି ଧରିଥିଲେ।

ପିଏସଓ ଜଣକ କହିଛନ୍ତି, ଭରଦ୍ବାଜ ବିଶେଷ ଆହତ ହୋଇ ନ ଥିଲେ ହେଁ ପୁରୁଷ ଓକିଲମାନେ ତାଙ୍କ କାନ୍ଧକୁ ଧରି ଠେଲି ଦେଇଥିଲେ। ତାଙ୍କ ଶାର୍ଟ କଲର ଧରିବାକୁ ଉଦ୍ୟମ କରିବା ସହିତ ଗାଳିଗୁଲଜ କରିଥିଲେ।

ସୂଚନାଯୋଗ୍ୟ, ଗତ ଶନିବାର ଦିଲ୍ଲୀର ତୀସ୍‌ ହଜାରୀ କୋର୍ଟ ପରିସରରେ ଗାଡ଼ି ପାର୍କିଂକୁ ନେଇ ବିବାଦ ହେବା ପରେ ଓକିଲ ଏବଂ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଏଥିରେ ବହୁ ପୁଲିସ କର୍ମଚାରୀ ଏବଂ ଓକିଲ ଆହତ ହୋଇଥିଲେ।

Comments are closed.