ଫେରିବ ବିଜୁଙ୍କ ‘ଡାକୋଟା’, ଟେକ୍ନୋ-କମର୍ସିଆଲ ପରଚେଜ କମିଟି ଗଠିତ

ଭୁବନେଶ୍ବର: କଲକାତାରେ ଥିବା ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ(ଡିସି-୩)କୁ ଉଦ୍ଧାର କରି ଭୁବନେଶ୍ବର ଫେରାଇ ଆଣିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିବାବେଳେ ଏବେ ଏଥିପାଇଁ ଆନୁଷଙ୍ଗିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟେକ୍ନୋ-କମର୍ସିଆଲ ପରଚେଜ କମିଟି ଗଠନ ହୋଇଛି। ସରକାରଙ୍କ ଦ୍ବାରା ଗଠିତ ୧୧ଜଣିଆ କମିଟିରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ଅଧ୍ୟକ୍ଷ ଥିବାବେଳେ ବିଭାଗର ସ୍ବତନ୍ତ୍ର ସଚିବ, ଅତିରିକ୍ତ ସଚିବ ସଦସ୍ୟ ଅଛନ୍ତି। ଅତିରିକ୍ତ/ଯୁଗ୍ମ ସଚିବ ଆବାହକ ସଦସ୍ୟ ଅଛନ୍ତି। ସାଧାରଣ ପ୍ରଶାସନ, ପୂର୍ତ୍ତ, ପର୍ୟ୍ୟଟନ, ଆଭିଏସନ, ବିଏମସି ଏବଂ ଭୁବନେଶ୍ବର ବିମାନ ବନ୍ଦର ନିର୍ଦେଶକ ମଧ୍ୟ ସଦସ୍ୟ ଅଛନ୍ତି।

ଏହି କମିଟି ନେତାଜୀ କଲକାତାସ୍ଥିତ ସୁଭାଷଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭଗ୍ନ ଅବସ୍ଥାରେ ଥିବା ଡାକୋଟା ବିମାନର ବିଭିନ୍ନ ଯନ୍ତ୍ରାଂଶ ଭୁବନେଶ୍ବରକୁ ସ୍ଥାନାନ୍ତର କରିବା କ୍ଷେତ୍ରରେ ସେବା ଯୋଗାଣକାରୀ ପରିବହନ ସଂସ୍ଥା ବା ଭେଣ୍ଡର ମନୋନୟନ ପ୍ରକ୍ରିୟା ଚୂଡ଼ାନ୍ତ କରିବ। ବିମାନର ଯନ୍ତ୍ରାଂଶ ବା ଭଗ୍ନାବ‌େ‌ଶଷ ଭୁବନେଶ୍ବରକୁ ଆଣିବା ପରେ ଏଠାରେ ସେସବୁ ଯନ୍ତ୍ରାଂଶକୁ ଉକ୍ତ ବିମାନରେ ପୁନର୍ବାର ଖଞ୍ଜାଯାଇ ଏହାର ପୁନରୁଦ୍ଧାର ଏବଂ ନବୀକରଣ କରାଯିବ ବୋଲି ଜଣାପଡ଼ିଛି।

Comments are closed.