ଶିକ୍ଷକ-ଶିକ୍ଷୟିତ୍ରୀ ପଦୋନ୍ନତି ଖେଳ: କୁହୁଳୁଛି ଅସନ୍ତୋଷ, ତଦନ୍ତ ହେଲେ ଧରାପଡିବ ଚଞ୍ଚକତା

ବଲାଙ୍ଗିର:ଗତ ଅକ୍ଟୋବର ମାସରେ ବଲାଙ୍ଗିର ଜିଲାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପାଠ ପଢାଉଥିବା ୧୨ଶହରୁ ଊର୍ଦ୍ଧ ଏଲିମେଣ୍ଟାରୀ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଲେଭେଲ୍-ଏରୁ ଲେଭେଲ୍-ବିକୁ ପଦୋନ୍ନତି ଦେଇଛି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ। କେବଳ ବଲାଙ୍ଗିର ଜିଲା ନୁହେଁ, ରାଜ୍ୟର ବିଭିନ୍ନ ଜିଲାରେ ଏଭଳି ପଦୋନ୍ନତି ଦିଆଯାଇଥିବା ଜଣାପଡିଛି। ଏଥିସହିତ ଏହି ପଦୋନ୍ନତିରେ ଚଞ୍ଚକତା କରାଯାଇଥିବା ଭଳି ସାଂଘାତିକ ଅଭିଯୋଗ ବି ସାମ୍ନାକୁ ଆସିଛି। ଆଉ ସମାନ ଅଭିଯୋଗ ଏବେ ବଲାଙ୍ଗିର ଜିଲାରେ ମଧ୍ୟ ଉଠୁଛି। ପଦୋନ୍ନତି ପାଇଁ ଆବଶ୍ୟକ କାଗଜପତ୍ରରେ ଚଞ୍ଚକତା କରାଯାଇ ପଦୋନ୍ନତି ଦିଆଯାଇଥିବା ସନ୍ଦେହ ହେଉଛି। ପଦୋନ୍ନତିରୁ ବଞ୍ଚିତ ଶିକ୍ଷକ-ଶିକ୍ଷୟିତ୍ରୀ ରୋଷର ଶିକାର ହେବେ, ତେଣୁ ସେମାନେ ସିଧାସଳଖ ଜିଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିବାକୁ କୁଣ୍ଠାବୋଧ କରୁଛନ୍ତି।

୨୦୨୦ ମସିହାରେ ଏଲିମେଣ୍ଟରୀ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ଦେବା ପାଇଁ ୨ଟି କ୍ୟାଡର୍ ଗଠନ କରାଯାଇଥିଲା। ଚାକିରୀ ସମୟରେ ମାଟ୍ରିକ ସିଟି ଓ ଯୁକ୍ତ ୨ ସିଟି କରିଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପ୍ରଥମ କ୍ୟାଡର୍ ଓ ବିଏ ସିଟି ତଥା ବିଏଡ୍ କରିଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଦ୍ୱିତୀୟ କ୍ୟାଡର ଭୁକ୍ତ କରାଯାଇଛି। ଏହି କ୍ୟାଡର୍ ଭିତ୍ତିରେ ପଦୋନ୍ନତି ଦିଆଯାଇଥିବା ଜଣାପଡିଛି। ତେବେ ବିଏଡ କ୍ୟାଡରରେ ମନମୁଖି କାରବାର କରାଯାଇଥିବା ଅଭିଯୋଗ ଆସୁଛି। ସାଧାରଣ ଭାବେ ପଦୋନ୍ନତି ସମୟରେ ଚରିତ୍ର ପଞ୍ଜିକା(ସିସିଆର୍)କୁ ଗୁରୁତ୍ୱ ଦିଆଯାଇଥାଏ ବିଭାଗ ପକ୍ଷରୁ। କିନ୍ତୁ ଏହି ସିସିଆର୍ରେ ଜାତି ସଂପର୍କରେ ଉଲ୍ଲେଖ ନଥାଏ। ସେହିପରି ପ୍ରଥମେ ଯିଏ ମାଟ୍ରିକ, ଯୁକ୍ତ ଦୁଇ ପଢିବା ପରେ ସିଟି କରି ଶିକ୍ଷକ-ଶିକ୍ଷୟିତ୍ରୀ ନିଯୁକ୍ତି ପାଇଥିଲେ, ପରବର୍ତ୍ତୀ ସମୟରେ ମାଟ୍ରିକ ସିଟି ଶିକ୍ଷକ-ଶିକ୍ଷୟିତ୍ରୀ ଯୁକ୍ତ ଦୁଇ ପାଠ କେମିତି ପଢିଲେ? ଯୁକ୍ତ ୨ ସିଟି ଶିକ୍ଷକ-ଶିକ୍ଷୟିତ୍ରୀ ଚାକିରି କରିବା ପରେ ସେମାନେ ଯୁକ୍ତ ତିନି କେମିତି ପଢିଲେ ତାହା ପ୍ରଶ୍ନବାଚୀ ହୋଇଛି। ଯଦି ସେମାନେ ନିୟମିତ ଶିକ୍ଷକ-ଶିକ୍ଷୟିତ୍ରୀ ତା’ହେଲେ ଯୁକ୍ତ ୨ ଓ ଯୁକ୍ତ ତିନି ପାଠ୍ୟକ୍ରମ ବି ନିୟମିତ କଲେଜରେ ପାଠ ପଢିଥିବା ଦର୍ଶାଇଛନ୍ତି। ଶିକ୍ଷକତା ସହ ସମାନ୍ତରାଳ ଭାବେ ଶିକ୍ଷା ଆହରଣ କରିବା ସନ୍ଦେହ ସୃଷ୍ଟି କରୁଛି। ଏଥିସହିତ ଉଚ୍ଚ ଶିକ୍ଷା ପାଇଁ ଉପରିସ୍ଥ ଅଧିକାରୀଙ୍କଠାରୁ ଅନୁମତି ନେବା ବି ଆବଶ୍ୟକ ହୋଇଥାଏ। କିନ୍ତୁ କୌଣସି ଅନୁମତି ନନେଇ ଉଚ୍ଚ ଶିକ୍ଷା ଗ୍ରହଣ କରିଥିବା ଜଣାଯାଇଛି। ବଲାଙ୍ଗିର ଜିଲାରେ ଏଭଳି ସନ୍ଦେହ ସୃଷ୍ଟିକାରୀ ଶିକ୍ଷକ ଅନେକେ ଏବେ ପଦୋନ୍ନତି ପାଇଛନ୍ତି। କାଁ ଭାଁ କିଛି ଡିଷ୍ଟାନ୍ସ କୋର୍ସ ଜରିଆରେ ଶିକ୍ଷା ଗ୍ରହଣ କରିଥିବା ପ୍ରମାଣପତ୍ର ଦେଖାଇ ପାରିବେ। କିନ୍ତୁ ଶିକ୍ଷକତା ସହ ସମାନ୍ତରାଳ ଭାବେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଉପରେ ପ୍ରଶ୍ନ ଚିହ୍ନ ଲାଗିବା ସ୍ୱାଭାବିକ। କିନ୍ତୁ ଏହାକୁ ପଦୋନ୍ନତି ସମୟରେ ଗୌଣ କରିଦିଆଯାଇଛି ଓ କୌଣସି ଗୁରୁତ୍ୱ ହିଁ ଦିଆଯାଇ ନାହିଁ। ଯାହାକୁ ନେଇ ପଦୋନ୍ନତି ପାଇ ନଥିବା ଅସନ୍ତୁଷ୍ଟ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି।

କୋରାପୁଟ ଜିଲାରେ ଏଭଳି ଅବିଚାରିତ ଭାବେ ପଦୋନ୍ନତି ଦିଆଯାଇଥିବାରୁ ବଞ୍ଚିତ ଶିକ୍ଷକ-ଶିକ୍ଷୟିତ୍ରୀ ଅଭିଯୋଗ କରିଥିଲେ। ଜିଲାପାଳଙ୍କ ନିର୍ଦେଶକ୍ରମେ ସେଠାରେ ଗୋଟି ଗୋଟି କରି ଯାଞ୍ଚ କରାଯାଉଛି। କୋରାପୁଟ କାହିଁକି, ପଡୋଶୀ ଜିଲା ନୂଆପଡ଼ାରେ ମଧ୍ୟ ସମାନ କଥା। ନୂଆପଡ଼ା ଜିଲାରେ ମଧ୍ୟ ମନଇଚ୍ଛା ପଦୋନ୍ନତି ଦିଆଯାଇଥିଲା। ଉଚ୍ଚ ଅଧିକାରୀଙ୍କ ସନ୍ଦେହ ଓ ହସ୍ତକ୍ଷେପ ଫଳର ପୁନଃ ଯାଞ୍ଚ ଚାଲିଛି। ଖୁବଶୀଘ୍ର ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ଅନେକ ଶିକ୍ଷକ ପୁନଃ ଯାଞ୍ଚ ଜରିଆରେ ପଦୋନ୍ନତି ପାଇଥିଲେ ବି ବଞ୍ଚିତ ହେବେ ବୋଲି ଆଲୋଚନା ହେଲାଣି। ବଲାଙ୍ଗିର ଜିଲାରେ ମଧ୍ୟ ସମାନ ଢଙ୍ଗରେ ପଦୋନ୍ନତି ପାଇଥିବାର ଅଭିଯୋଗ ହେଉଛି। ତେଣୁ ଜିଲାପାଳ ଓ ଜିଲା ଶିକ୍ଷାଧିକାରୀ ଏହାକୁ ଗୁରୁତର ସହ ବିଚାର କରି ଯାଞ୍ଚ କରାଇଲେ ଚଞ୍ଚକତା କରି ପଦୋନ୍ନତି ପାଇଥିବା ଶିକ୍ଷକ-ଶିକ୍ଷୟିତ୍ରୀ ଧରାପଡିବା ସହ ହକ୍ ପଦୋନ୍ନତି ପାଇବାକୁ ଥିବା ଶିକ୍ଷକ-ଶିକ୍ଷୟିତ୍ରୀ ସୁଯୋଗ ପାଆନ୍ତେ ବୋଲି ମତପ୍ରକାଶ ପାଇଛି।

Comments are closed.