ନଗଦ ଟଙ୍କା ଉଠାଣ ପାଇଁ କଟିବ ଟିଡିଏସ୍‌

ରିଟର୍ଣ୍ଣ ଦାଖଲ କରୁ ନ ଥିଲେ ୨୦ ଲକ୍ଷରୁ ଅଧିକ ଉଠାଣ ପାଇଁ ଦେବେ ଟିକସ, ଆୟକର ଦେଉଥିଲେ ୧ କୋଟିରୁ ଅଧିକ ଉଠାଣ ପାଇଁ କଟିବ ୨% ଟିଡିଏସ୍‌

ନୂଆଦିଲ୍ଲୀ : ଏଣିକି ରିଟର୍ଣ୍ଣ ଦାଖଲ କରୁ ନ ଥିବା ବା ଆୟକର ଦେଉ ନ ଥିବା କରଦାତାଙ୍କୁ ସର୍ତକ ହେବାକୁ ପଡିବ। କାରଣ ସରକାର ଏଭଳି କରଦାତାଙ୍କ ପାଇଁ କେତେକ ନୂଆ ନିୟମ ଆଣିଛନ୍ତି। ଏହି ଅନୁଯାୟୀ, ବ୍ୟାଙ୍କ ହେଉ କି ଡାକଘର ​‌ଯେଉଁଠାରୁ ବିନଗଦ ଅର୍ଥ ଉଠାଣ କରୁଥାନ୍ତ ସେଥିପାଇଁ ଆପଣକୁ ଦେବାକୁ ହେବ ଟିକସ। ବ୍ୟାଙ୍କ ଏବଂ ଡାକଘରୁ ଏକ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଅର୍ଥ ଉଠାଇଲେ ଆପଣ ଦେବେ ଉତ୍ସରୁ ଟିକସବାଦ୍‌ (ଟିଡିଏସ୍‌)। ନୂଆ ନିୟମରେ ରିଟର୍ଣ୍ଣ ଦାଖଲ କରୁ ନ ଥିଲେ ୨୦ ଲକ୍ଷ ଟଙ୍କାରୁ ଅଧିକ ଉଠାଣ ପାଇଁ କରଦାତାଙ୍କୁ ଟିକସ ଦେବାକୁ ହେବ। ଏହାଛଡା ରିଟର୍ଣ୍ଣ ଦାଖଲ କରୁଥିଲେ ୧ କୋଟିରୁ ଅଧିକ ଉଠାଣ ପାଇଁ କରଦାତାଙ୍କୁ ଦେବାକୁ ହେବ ୨% ଟିଡିଏସ୍‌। ଉଭୟ ବ୍ୟାଙ୍କ ଏବଂ ଡାକଘର ଜରିଆରେ ଅର୍ଥ ଉଠାଣ କ୍ଷେତ୍ରରେ ଏହି ଟିଡିଏସ୍‌ କଟିବ।  ଟଙ୍କା ଉଠାଣ କ୍ଷେତ୍ରରେ ଟିଡିଏସ୍‌ ଲାଗୁ ନେଇ ଜାରି କରାଯାଇଥିବା ଏହି ନୂଆ ନିୟମ ଚଳିତମାସରୁ ଲାଗୁ କରାଯାଇଛି। ଯଦି ଖାତାଧାରୀ ନିଜ ବ୍ୟାଙ୍କ ଆକାଉଣ୍ଟରୁ ବାର୍ଷିକ ୨୦ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଉଠାଉଛନ୍ତି ତେବେ ତାଙ୍କୁ ମୋଟା ଅଙ୍କର ଟିକସ ଦେବାକୁ ପଡିପାରେ। ଆୟକର ବିଭାଗର ନିୟମାନୁଯାୟୀ, ଯେଉଁ ବ୍ୟକ୍ତି ଆୟକର ରିଟର୍ଣ୍ଣ ଦାଖଲ କରୁ ନ ଥିବେ ବାର୍ଷିକ ୨୦ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଉଠାଣ ଉପରେ ସେ ୨% ହାରରେ ଟିଡିଏସ ଦେବାକୁ ବାଧ୍ୟ। ଯଦି ବ୍ୟକ୍ତି ଜଣକ ୧ ​କୋଟିରୁ ଅଧିକ ଟଙ୍କା ଉଠାଣ କରନ୍ତି ତେବେ ସେ ୫% ହାରରେ ଟିଡିଏସ୍‌ ଦାଖଲ କରିବେ। ସେହିଭଳି ରିଟର୍ଣ୍ଣ ଦାଖଲକାରୀଙ୍କ ପାଇଁ ଭିନ୍ନ ନିୟମ ରହିଛି। ରିଟର୍ଣ୍ଣ ଦେଉଥିଲେ ଯଦି ଆପଣ ୧ ​କୋଟିରୁ ଅଧିକ ଟଙ୍କା ଉଠାଣ କରନ୍ତି, ସେ କ୍ଷେତ୍ରରେ ୨% ହାରରେ ଟିଡିଏସ୍‌ ଦାଖଲ କରିବାକୁ ହେବ। ବ୍ୟାଙ୍କ ଏବଂ ଡାକଘରଗୁଡିକୁ କେବଳ ନଗଦ ଅର୍ଥ ଉଠାଣ କରୁଥିବା ଖାତାଧାରୀଙ୍କ ପାନ୍‌ ନମ୍ବର ଏଣ୍ଟ୍ରି କରିବାକୁ ହେବ‌। ଏହା କରିବା ଦ୍ବାରା ବିଭାଗର ସ୍କ୍ରିନ୍‌ରେ ଏକ ମେସେଜ୍‌ ​ଦେଖାଦେବ ଯେଉଁଥିରେ, ଖାତାଧାରୀଙ୍କ କେତେ ଟିଡିଏସ୍‌ କାଟ୍‌ ହେବ ତାହା ଆସିଯିବ।

Comments are closed.