ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟିକ ସମାବେଶ ଜାନୁଆରୀ ୮-୯ରେ

ଭୁବନେଶ୍ୱର: ସାହିତ୍ୟ ଏବଂ ସଂଗୀତ ଓ ମଞ୍ଚନାଟକ ସମେତ ଆନୁଷଙ୍ଗିକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରିବାକୁ ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟିକ ସମାବେଶ ପୁଣି ଥରେ ଫେରିଛି ଏବଂ ଏହା ୨୦୨୨ ଜାନୁଆରୀ ୮ଓ ୯ ତାରିଖରେ ସପ୍ତାହାନ୍ତରେ ଆୟୋଜିତ ହେବାକୁ ଯାଉଛି । ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟିକ ସମାବେଶର ଷଷ୍ଠ ସଂସ୍କରଣ ଚଳିତ ଥର ଭୁବନେଶ୍ୱର କ୍ଲବରେ ଅନୁଷ୍ଠିତ ହେବ, ଯେଉଁଠାରେ ଏହି କାର୍ଯ୍ୟକ୍ରମ ମୁକ୍ତାକାଶରେ ଆୟୋଜିତ ହେବାକୁ ଯାଉଛି । ଏହି ଉତ୍ସବ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କବି ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ରମାକାନ୍ତ ରଥ ଏବଂ ବିଶିଷ୍ଟ ଲେଖକ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ଅମିତାଭ ଘୋଷଙ୍କ ଦ୍ୱାରା ଉଦ୍‍ଘାଟିତ ହେବ । ପ୍ରତିଷ୍ଠିତ ଓଡ଼ିଆ କିମ୍ବଦନ୍ତୀ ପୁରୁଷ ମନୋଜ ଦାସ ଏବଂ ଚଳଚ୍ଚିତ୍ର ନିର୍ମାଣରେ ବିଶାରଦ ସତ୍ୟଜିତ ରାୟଙ୍କ ଜୀବନୀ ପ୍ରଦର୍ଶିତ ହେବ । ଅବହେଳିତ ଏବଂ ଅଦୃଶ୍ୟ ସମ୍ପର୍କିତ ଲେଖାଗୁଡିକ ସମ୍ପର୍କରେ ଓଡ଼ିଶାର ପୂର୍ବତନ ବ୍ୟୁରୋକ୍ରାଟ ଅନିତା ଅଗ୍ନିହୋତ୍ରୀ ଆଲୋଚନା କରିବେ, ଯିଏ ନିଜେ ମଧ୍ୟ ଜଣେ ପୁରସ୍କାର ବିଜୟିନୀ ଲେଖିକା ଏବଂ ତାଙ୍କ ସହିତ ଯୁବ ଲେଖିକା ପୂଜା ଚାଙ୍ଗୋଇୱାଲା ଏହି ଆଲୋଚନାରେ ସାମିଲ ହେବେ । ଏହି ଉତ୍ସବର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଇତିହାସ, ଏଥିରେ ଆମେରିକା ଏବଂ ବ୍ରିଟେନର ଶିକ୍ଷାବିତ୍‍ ଯଥାକ୍ରମେ ଦେବୋରା ବେକର ଏବଂ ଜୋନାଥନ ଗିଲ୍‍ ହାରିସ୍‍ ଔପନିବେଶିକ କାଳରେ ୟୁରୋପୀୟ ଏବଂ ଭାରତ ମଧ୍ୟରେ ମିଳନ ବିନ୍ଦୁ ସମ୍ପର୍କରେ ବକ୍ତବ୍ୟ ରଖିବେ । ଲେଖକ ଏବଂ ବ୍ୟୁରୋକ୍ରାଟ ଆର ବାଲକ୍ରିଷ୍ଣନ ପ୍ରାଚୀନ ଭାରତ ଉପରେ ତାଙ୍କର ପୁସ୍ତକ ‘ଜର୍ଣ୍ଣି ଅଫ୍‍ ଏ ସିଭିଲାଇଜେସନ: ଇଣ୍ଡସ୍‍ ଟୁ ଭାଇଗାଇ’ ଉପରେ ଏହି ଉତ୍ସବରେ ସୁନ୍ଦର ଗଣେଶନ୍‍ଙ୍କ ସହିତ ମିଶି ଆଲୋଚନା କରିବେ । ଟିଏସ୍‍ବିଏଲଏମ ଅନ୍ୟ ଯେଉଁ ପରମ୍ପରାକୁ ଉଜ୍ଜୀବିତ କରି ରଖିଛି ତାହା ହେଉଛି ସାନ୍ଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ । ଲୋକପ୍ରିୟ ଚଳଚ୍ଚିତ୍ର ଅଭନେତା ବିନୟ ପାଠକ ଜାନୁଆରୀ ୮ ତାରିଖରେ ରେଲ ଅଡିଟୋରିୟମରେ ‘ନଥିଙ୍ଗ ଲାଇକ ଲିୟର’ ପ୍ରଦର୍ଶନ କରିବାବେଳେ ଏହି ଉତ୍ସବ ଜାନୁଆରୀ ୯ ସଂଧ୍ୟାରେ କଣ୍ଠଶିଳ୍ପୀ ସୋନମ କାଲରାଙ୍କ ସଂଗୀତ କାର୍ଯ୍ୟକ୍ରମ ସହିତ ଉଦ୍‍ଯାପିତ ହେବ । ସମୁଦାୟ ଉତ୍ସବ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି, କିନ୍ତୁ ସମସ୍ତ ଦର୍ଶକ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ ।

Comments are closed.