ଟାଟା ପାୱାରର ମନମୁଖୀ କାର୍ଯ୍ୟକୁ ବିରୋଧ

ଚୌଦ୍ୱାର :  ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ କୌଣସି ପ୍ରାକ୍ ସୂଚନା ନଦେଇ ଟାଟା ପାୱାର ତରଫରୁ ମନମୁଖୀ ଭାବେ କରା ଯାଉଥିବା ବିଭିନ୍ନ କାର୍ଯ୍ୟକୁ ଚୌଦ୍ୱାର ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ ତରଫରୁ ତୀବ୍ର ବିରୋଧ କରାଯାଇଛି। ମଞ୍ଚ ତରଫରୁ ଅଭିଯୋଗ କରାଯାଇଛି ଯେ, ସୋମବାର ସକାଳେ ଟାଟା ପାୱାରର କିଛି କର୍ମଚାରୀ ଚୌଦ୍ୱାର ପୌରପାଳିକା ୪ନମ୍ବର ୱାର୍ଡ଼ ଅନ୍ତର୍ଗତ ସରଦେଈ ଠାକୁରାଣୀ ମନ୍ଦିର ସମ୍ନା ରାସ୍ତାରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ବକ୍ସ ବସାଇବା ଆରମ୍ଭ କରିଥିଲେ । ଖବର ପାଇ ଉପଭୋକ୍ତା ମଞ୍ଚର ସଭାପତି ଜୟ ସିଂଙ୍କ ନେତୃତ୍ୱରେ ମଞ୍ଚର ବହୁ ସଂଖ୍ୟକ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ବକ୍ସ କାହିଁକି ବସା ଯାଉଛି ବୋଲି କର୍ମଚାରୀ ମାନଙ୍କୁ ପଚାରିବାରେ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାଇ ନଥିଲେ । ମଞ୍ଚ ସଦସ୍ୟ ମାନେ ବକ୍ସ ବସାଇବାକୁ କର୍ମଚାରୀ ମାନଙ୍କୁ ବାରଣ କରିବା ଫଳରେ ଘଟଣାସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଠି ହେବାରୁ ବିଦ୍ୟୁତ୍ କର୍ମଚାରୀ ମାନେ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ । ବିଦ୍ୟୁତ୍ ଖୁଣ୍ଟରେ ବକ୍ସ ବସାଇ ସେଥିରେ ସ୍ଥାନୀୟ ଉପଭୋକ୍ତା ମାନଙ୍କ ଘରକୁ ଯାଇଥିବା ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଟାଟା ପାୱାର ତରଫରୁ ମସୁଧା କରାଯାଉଥିବା ଏବଂ ଉପଭୋକ୍ତା ମାନଙ୍କୁ ନାନାମତେ ହଇରାଣ କରା ଯିବାର ଯୋଜନା କରାଯାଉଥିବା ମଞ୍ଚ ତରଫରୁ ଅଭିଯୋଗ କରାଯାଇଛି ।

Comments are closed.