ଟାଟା ପାୱାର ରାଜ୍ୟରେ ୩୦୦୦ରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି, ୭୫% ସ୍ଥାନୀୟ ପ୍ରାର୍ଥୀ: ମୁଖ୍ୟ ମାନବ ସମ୍ବଳ ଅଧିକାରୀ

• ନୂଆ ନିଯୁକ୍ତିରେ ଅତିକମ୍‌ରେ ଏକ ତୃତୀୟାଂଶ ମହିଳା ରହିବେ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହ ଯୌଥ ଉଦ୍ୟୋଗ ସ୍ଥାପନ କରି ଓଡ଼ିଶାର ଚାରିଟି ବିଦ୍ୟୁତ ବଂଟନ କଂପାନି ଟିପିସିଓଡିଏଲ୍‌, ଟିପିଏନ୍‌ଓଡିଏଲ୍‌, ଟିପିଏସ୍‌ଓଡିଏଲ୍‌ ଏବଂ ଟିପିଡବ୍ଲୁଓଡିଏଲ୍‌ର ପରିଚାଳନା କରୁଥିବା ସଂସ୍ଥା ଟାଟା ପାୱାର ରାଜ୍ୟରେ ୩୦୦୦ରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିଛି । ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏକ ଆଲୋଚନାରେ ଟାଟା ପାୱାରର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ହିମଳ ତିୱାରୀ କହିଛନ୍ତି ଯେ ନୂଆ କର୍ମଜଚାରୀମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ହେଉଛନ୍ତି ଓଡ଼ିଶାର ଲୋକ । କେବଳ ପ୍ରଯୁକ୍ତି, ଆଇଟି, ସାପ୍‌ ଆଦି କିଛି ନିର୍ଦିଷ୍ଟ କ୍ଷେତ୍ର ଯେଉଁଠାରେ ପ୍ରତିଭାଙ୍କ ଅଭାବ ଥିଲା କେବଳ ସେହି ସ୍ଥାନରେ ଅଲଗା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ସେ କହିଛନ୍ତି ।
ଓଡ଼ିଶାରେ ପୁରୁଣା ଡିସ୍‌କମ୍‌ଗୁଡ଼ିକୁ ଅଧିଗ୍ରହଣ କରିବା ପରେ କର୍ମଚାରୀମାନଙ୍କ ମଧ୍ୟରେ ବ୍ୟାପକ ପରିବର୍ତନ ଆଣିବା ଦିଗରେ କଂପାନି କାର୍ଯ୍ୟ କରିଛି । ଏଥିପାଇଁ “ପରିବର୍ତନରୁ ପ୍ରଗତି’ ନାମକ କାର୍ଯ୍ୟକ୍ରମ ଲାଗୁ କରାଯାଇଛି । ତାହାର ୧୦ଟି ଦିଗ ରହିଛି । ତାହା ହେଉଛି ପରିଚୟ, ଶୁଭାରମ୍ଭ, ପ୍ରତିଜ୍ଞା, ପ୍ରେରଣା, ପ୍ରୟାସ, ପରିଚୟ, ପାଠଶାଳା, ପ୍ରଶଂସା, ପରିବାର ଏବଂ ପ୍ରସାର । ଶ୍ରୀ ତିୱାରୀ କହିଛନ୍ତି ଯେ ଆମେ ସଫଳତାର ସହ ଏହାକୁ କାର୍ଯ୍ୟକାରୀ କରିପାରିଛୁ ।
ଏକ କଂପାନି ଭାବେ ଦକ୍ଷତା ଗଠନ ଉପରେ ଟାଟା ପାୱାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଥାଏ । ନୂଆ ପ୍ରଯୁକ୍ତି ଓ ବୈଷୟିକ ଦକ୍ଷତା ଗଠନ ଉପରେ ଜୋର ଦିଆଯାଇଥାଏ । ଏଥିପାଇଁ ଆମର ଇ-ଲର୍ଣ୍ଣିଂ ମଡ୍ୟୁଲ୍‌ “ଜ୍ଞାନକୋଷ’ ରହିଛି । ଓଡ଼ିଶାର କର୍ମଚାରୀମାନେ ତାହାକୁ ବହୁତ ଭଲ ଭାବେ ଗ୍ରହଣ କରିବା ଅତ୍ୟନ୍ତ ଖୁସିର ବିଷୟ ବୋଲି ଶ୍ରୀ ତିୱାରୀ କହିଛନ୍ତି । ଟାଟା ପାୱାର କେବଳ କର୍ମଚାରୀ ନୁହେଁ ସେମାନଙ୍କ ସାମଗ୍ରିକ ବିକାଶର ଚିନ୍ତା କରୁଛି । ସେଥିପାଇଁ ସେମାନଙ୍କ ପରିବାର ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛି । ପ୍ରତିଭାମାନଙ୍କୁ ଚିହ୍ନଟ କରିସେମାନଙ୍କୁ ସମ୍ମାନିତ କରିବା ଲାଗି ମଧ୍ୟ ଉଦ୍ୟମ କରାଯାଉଛି ।
ଓଡ଼ିଶାର ଡିସକମ୍‌ଗୁଡ଼ିକୁ ଅଧିଗ୍ରହଣ କରିବା ପରେ କର୍ମଚାରୀମାନଙ୍କ ମାନସିକତାରେ ପରିବର୍ତନ ଆଣିବା ଲାଗି କରାଯାଇଥିବା କାର୍ଯ୍ୟଗୁଡ଼ିକ ସମ୍ପର୍କରେ ବର୍ଣ୍ଣନା କରି ଶ୍ରୀ ତିୱାରୀ କହିଛନ୍ତି ଯେ ଆମେ କାର୍ଯ୍ୟାଳୟଗୁଡ଼ିକୁ ଏଭଳି ଢଙ୍ଗରେ ବିକାଶ କରିଛୁ ଯେ କର୍ମଚାରୀମାନେ ସେଠାରେ ଖୁସିରେ କାର୍ଯ୍ୟ କରୁଛନ୍ତି । ପ୍ରଯୁକ୍ତିକୁ ବ୍ୟବହାର କରି ସେମାନେ ବହୁତ ଭଲ ଭାବେ କାର୍ଯ୍ୟ କରୁଛନ୍ତି । ଦେଶର କୌଣସି ସ୍ଥାନରେ କାର୍ଯ୍ୟ କରୁଥିବା ଟାଟା ପାୱାରର ଦକ୍ଷ କର୍ମଚାରୀଙ୍କ ଭଳି ଓଡ଼ିଶାର କର୍ମଚାରୀମାନେ କାର୍ଯ୍ୟ କରୁଥିବା ଦେଖି ଖୁସି ଲାଗୁଛି ବୋଲି ଶ୍ରୀ ତିୱାରୀ କହିଛନ୍ତି ।
ଟାଟା ପାୱାର ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ଉପରେ ବିଶ୍ୱାସ କରେ । ସେଥିପାଇଁ ଆମେ ସମସ୍ତଙ୍କ ସହିତ ରହିଛୁ ଏବଂ ୟୁନିୟନ୍‌ ମଧ୍ୟ ଆମ କଂପାନିର ଏକ ଅଂଶ । ସେମାନଙ୍କୁ ଆମେ ଅଲଗା ବୋଲି ବିଚାର କରୁନାହୁଁ ବୋଲି ଶ୍ରୀ ତିୱାରୀ କହିଛନ୍ତି । ଟାଟା ପାୱାରକୁ ଅଧିଗ୍ରହଣ କରିବା ପରେ ଆମେ ବଡ଼ ଧରଣର ସମ୍ପ୍ରସାରଣ କରିଛୁ । ୩୦୦୦ରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛୁ ।
ପୂର୍ବରୁ ଥିବା କଂପାନିରେ କର୍ମଚାରୀମାନଙ୍କ ବହୁ ପ୍ରକାର ସମସ୍ୟା ଥିଲା । ସେମାନଙ୍କୁ ସବୁ ସୁବିଧା ସୁଯୋଗ ଠିକ୍‌ ଭାବେ ମିଳୁନଥିଲା । ଟାଟା ପାୱାର ଡିସ୍‌କମ୍‌ଗୁଡ଼ିକୁ ଅଧିଗ୍ରହଣ କରିବା ପରେ କର୍ମଚାରୀମାନଙ୍କ ନିଯୁକ୍ତି ନିୟମରେ ରହିଥିବା ବ୍ୟବସ୍ଥାକୁ ସମ୍ମାନ ଦେଉଛି । ଅବସର ଗ୍ରହଣ କରୁଥିବା କର୍ମଚାରୀ କାର୍ଯ୍ୟଦିବସର ଶେଷ ଦିନରେ ନିଜର ସବୁ ପ୍ରାପ୍ୟ ପାଉଛନ୍ତି । ପୂର୍ବରୁ କିଛି କର୍ମଚାରୀ ନିଜ ପ୍ରାପ୍ୟ ପାଇବା ଲାଗି ବର୍ଷ ବର୍ଷ ଅପେକ୍ଷା କରୁଥିଲେ ବୋଲି ସେ କହିଛନ୍ତି ।
ଟାଟା ପାୱାର ଏହାର କର୍ମଚାରୀମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ପ୍ରଦାନ କରୁଛି । ସେଥିପାଇଁ “ଉଡାନ’ ନାମକ ଏକ ସ୍କିମ୍‌ କାର୍ଯ୍ୟକାରୀ କରାଯାଇଛି । ଏହି ସ୍କିମ୍‌ ଅଧୀନରେ ୧୩୦୦ ଲୋକଙ୍କୁ ଆଇଟିଆଇରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଆଗାମୀ ଦିନରେ ସେହି କାର୍ଯ୍ୟକୁ ଆହୁରି ସମ୍ପ୍ରସାରଣ କରାଯିବ ବୋଲି ଶ୍ରୀ ତିୱାରୀ କହିଛନ୍ତି । ଟିପିସିଓଡିଏଲ୍‌ କର୍ମଚାରୀଙ୍କ କିଛି ଭବିଷ୍ୟନିଧି ପାଣ୍ଠି (ପିଏଫ୍‌) ସମ୍ପର୍କିତ ସମସ୍ୟା ରହିଛି । ତାହାକୁ ସମାଧାନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ ଏବଂ ସେ ଦିଗରେ କାର୍ଯ୍ୟ କରୁଛୁ ବୋଲି ଶ୍ରୀ ତିୱାରୀ କହିଛନ୍ତି ।
ଏହି ଅବସରରେ ଶ୍ରୀ ତିୱାରୀ କହିଛନ୍ତି ଯେ ଟାଟା ପାୱାର ପକ୍ଷରୁ ମହିଳା କର୍ମଚାରୀଙ୍କ ସଂଖ୍ୟା ବଢ଼ାଇବା ଉପରେ ଜୋର ଦିଆଯାଉଛି । ମହିଳା ସଶକ୍ତୀକରଣ ଦିଗରେ କାର୍ଯ୍ୟ କରୁଥିବା କଂପାନି ପ୍ରଥମେ କାର୍ଯ୍ୟାଳୟକୁ ମହିଳାମାନଙ୍କ ପାଇଁ ମିତବ୍ୟୟୀ କରିବାକୁ ଚାହୁଛି । କଂପାନି ଆଗାମୀ ଦିନରେ ଯେଉଁ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିବ, ତାହାର ଏକ ତୃତୀୟାଂଶ ମହିଳା ହେବେ ବୋଲି ସେ କହିଛନ୍ତି ।
ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରି ଶ୍ରୀ ତିୱାରୀ କହିଛନ୍ତି ଯେ ବର୍ତମାନ ଆମ କର୍ମଚାରୀମାନଙ୍କ ମଧ୍ୟରୁ ୫-୬ ପ୍ରତିଶତ ହେଉଛନ୍ତି ମହିଳା । ଭାରତର ହାରାହାରି ଦୃଷ୍ଟିରୁ ଏହା ଠିକ୍‌ ଥିଲେ ମଧ୍ୟ ଟାଟା ପାୱାରର ହାରାହାରି ସହ ଏହା ସମାନ ନାହିଁ । ଅତିକମ୍‌ରେ ଆମ ନିଜ ହାରକୁ ହାସଲ କରିବା ଲାଗି ଆମେ କାମ ଜାରି ରଖିଛୁ । ଏଥିପାଇଁ ଆମେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଛୁ । ପ୍ରଥମେ ଆମେ କାର୍ଯ୍ୟାଳୟଗୁଡ଼ିକୁ ମହିଳାଙ୍କ ପାଇଁ ମିତବ୍ୟୟୀ କରୁଛୁ । ସେଠାରେ ସେମାନଙ୍କ ପାଇଁ ମୌଳିକ ସୁବିଧା ରହିଛି । ଏହା ପରେ ଆମେ ଯେତେବେଳେ ଆମ ନିଜସ୍ୱ କାର୍ଡର ଗଠନ କରିବା ଲାଗି ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେବୁ ସେତିକି ବେଳେ ଅତିକମ୍‌ରେ ଏକ ତୃତୀୟାଂଶ ମହିଳାଙ୍କୁ ନିଯୁକ୍ତି ପ୍ରଦାନ କରିବୁ । ଆମର କିଛି ଗ୍ରାହକ ସେବା କେନ୍ଦ୍ର ରହିଛି ଯାହା ସମ୍ପୂର୍ଣ୍ଣ ରୂପେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେଉଛି । ମହିଳା କର୍ମଚାରୀମାନେ ବୃତିଗତ ଜୀବନରେ ଯେଭଳି ଆଗକୁ ବଢ଼ିପାରିବେ ତାହା ଉପରେ ମଧ୍ୟ କଂପାନି ଧ୍ୟାନ ଦେବ । ମହିଳା ସଶକ୍ତୀକରଣ ଲାଗି ଅନୋଖା ଧାଗା, ସହେଲି ଭଳି କାର୍ଯ୍ୟକ୍ରମ ମଧ୍ୟ ଲାଗୁ କରାଯାଇଛି । ନିଯୁକ୍ତି, ଦକ୍ଷତା ବୃଦ୍ଧି, ଅଧିକାରକୁ ନେଇ ସଚେତନତା ଏବଂ ସ୍ୱାସ୍ଥ୍ୟ ଆଦି ସାମଗ୍ରିକ କ୍ଷେତ୍ରରେ ମହିଳାଙ୍କ ସଶକ୍ତୀକରଣ ଲାଗି ଆମେ ଉଦ୍ୟମ କରୁଛୁ ବୋଲି ସେ କହିଛନ୍ତି ।

Comments are closed.